କୁମ୍ବଲେ-ଦ୍ରାବିଡ଼ ସଂଘର୍ଷର ଲାଭ ଏବେକାର କ୍ରିକେଟର୍‌ଙ୍କୁ ମିଳୁଛି: ସେହବାଗ

ନୂଆଦିଲ୍ଲୀ,: ବିସିସିଆଇର ରାଜସ୍ବରୁ କିଛି ଅଂଶ ଖେଳାଳିଙ୍କୁ ଦେବାଲାଗି ଦୁଇ ପୂର୍ବତନ ଅଧିନାୟକ ଅନୀଲ କୁମ୍ବଲେ ଏବଂ ରାହୁଲ ଦ୍ରାବିଡ଼ ଅତୀତରେ କରିଥିବା ଲଢ଼େଇର ସୁଫଳ ଏବେକାର କ୍ରିକେଟର୍‌ଙ୍କୁ ମିଳୁଛି। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ଏହି କ୍ଷେତ୍ରରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଏଣୁ ନିଜ ଆର୍ଥିକ ସ୍ଥିରତା ଲାଗି ଚଳିତ ପିଢ଼ିର କ୍ରିକେଟର୍‌ ଏହି ତିନି କିମ୍ବଦନ୍ତୀ କ୍ରିକେଟର୍‌ଙ୍କୁ ଧନ୍ୟବାଦ ଦେବା ଉଚିତ ବୋଲି ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହବାଗ ବୁଧବାର କହିଛନ୍ତି। ଦୀର୍ଘ ଦିନର ଲଢ଼େଇ ପରେ ବିସିସିଆଇ ଖେଳାଳି ସଂଘ ଗଠନ ଲାଗି ଅନୁମତି ପ୍ରଦାନ କରିବାକୁ ପ୍ରସ୍ତୁତ ହେଉଥିବା ପରିପ୍ରେକ୍ଷୀରେ ସେହବାଗ ଏହା କହିଛନ୍ତି। ସେ କହିଛନ୍ତି, ଖେଳାଳି ସଂଘ ଗଠନର ମୂଳଦୁଆ ୨୦୦୧-୦୨ରେ ପଡ଼ିଥିଲା। ସେତେବେଳେ ସଚିନ, କୁମ୍ବଲେ ଓ ଦ୍ରାବିଡ଼ ଟେଲିଭିଜନ୍ ପ୍ରସାରଣ ଅଧିକାରରୁ ବିସିସିଆଇକୁ ମିଳୁଥିବା ରାଜସ୍ବର କିଛି ଅଂଶ ଖେଳାଳିଙ୍କୁ ଦେବାକୁ ଦାବି କରିଥିଲେ। ଏହା ପରେ ଭାରତୀୟ କ୍ରିକେଟ୍‌ରେ ଗୋଷ୍ଠୀ କନ୍ଦଳ ଏକପ୍ରକାର ବନ୍ଦ ହୋଇଯାଇଥିଲା। ସେହବାଗ ମଧ୍ୟ କ୍ରିକେଟ୍ ଭଳି ଅନ୍ୟଖେଳର ଖେଳାଳିଙ୍କୁ ମ୍ୟାଚ୍ ପାଉଣା ମିଳୁ ବୋଲି ଏକ କବାଡ଼ି ଲିଗ୍‌ର ଉଦଘାଟନୀ ଉତ୍ସବରେ ଅତିଥି ଭାବେ ଯୋଗ ଦେଇ ଦାବି କରିଥିଲେ।

ସମ୍ବନ୍ଧିତ ଖବର