ରାଜ୍ୟ ବିଲିୟାର୍ଡସ, ୧୧ ବର୍ଷ ପରେ କୁନାଲ ବିଜେତା

ଭୁବନେଶ୍ବର: ଓଡ଼ିଶା ଖଣି ନିଗମ (ଓଏମ୍‌ସି) ପ୍ରାୟୋଜିତ ୨୬ତମ ନିଖିଳ ଓଡ଼ିଶା କନିଷ୍ଠ ଓ ବରିଷ୍ଠ ବିଲିୟାର୍ଡ୍ସ ଏବଂ ସ୍ନୁକର ରାଜ୍ୟ ମାନ୍ୟତା ପ୍ରତିଯୋଗିତାର ବିଲିୟାର୍ଡସ ଫାଇନାଲରେ ବଡ଼ ବିପର୍ଯ୍ୟୟ ସୃଷ୍ଟି କରି କୁନାଲ ଅଗ୍ରୱାଲ ଦୀର୍ଘ ୧୧ ବର୍ଷ ପରେ ରାଜ୍ୟ ବିଜେତା ହେବାର ଗୌରବ ଅର୍ଜନ କରିଛନ୍ତି। ଶେଷ ଥର ପାଇଁ ସେ ୨୦୦୮ରେ ଏଭଳି ସଫଳତା ଲାଭ କରିଥିଲେ। ଗତ ଦୁଇ ବର୍ଷ ହେବ କୁନାଲ ଉପ ବିଜେତାରେ ସନ୍ତୁଷ୍ଟ ରହୁଥିଲେ। ଏଥର କିନ୍ତୁ ଗତବର୍ଷର ବିଜେତା ସୁବ୍ରତ ଦାସଙ୍କୁ ୪-୧ରେ ପରାସ୍ତ କରି ବିଜେତା ଆଖ୍ୟା ଅର୍ଜନ କରି ନେଇଥିଲେ। ଫାଇନାଲ୍ ବେଷ୍ଟ ଅଫ୍ ୭ ଫ୍ରେମ୍ ଏବଂ ରେସ୍ ଟୁ ୧୫୦ ପଏଣ୍ଟ ଭିତ୍ତିରେ ଖେଳାଯାଇଥିଲା। ଏଥିରେ କୁନାଲ ବିଜୟୀ ହୋଇ ସୁବ୍ରତଙ୍କୁ ଲଗାତାର ତୃତୀୟ ଥର ପାଇଁ ରାଜ୍ୟ ବିଲିୟାର୍ଡସ ବିଜେତା ହେବାରୁ ରୋକିଥିଲେ। ବରିଷ୍ଠ ସ୍ନୁକରରେ ଗୁରୁବାର ଖେଳା ଯାଇଥିବା ମ୍ୟାଚ୍‌ଗୁଡ଼ିକରେ ସୌଭାଗ୍ୟ ବେହେରା ୩-୦ରେ ବରୁଣ ନାୟକ ଓ ଅନୁଜ ପଣ୍ଡା ୩-୦ରେ ଜିତୁ ମହାପାତ୍ରଙ୍କୁ ପରାସ୍ତ କରିଥିଲେ।

ସମ୍ବନ୍ଧିତ ଖବର