କିଲିମାଞ୍ଜାରୋ ଶୀର୍ଷରେ କୁଶ, ଲିପିକା

ଭୁବନେଶ୍ବର: ଆଫ୍ରିକା ମହାଦେଶର ଉଚ୍ଚତମ ଗିରିଶୃଙ୍ଗ ମାଉଣ୍ଟ୍‌ କିଲିମାଞ୍ଜାରୋ ଶୀର୍ଷରେ ପହଞ୍ଚିଛନ୍ତି ଆଉ ଦୁଇ ଜଣ ଓଡ଼ିଆ ପର୍ବତାରୋହୀ। କୋରାପୁଟ ଜିଲ୍ଲାର କୁଶ ଆର୍ଲବ ଓ ବରଗଡ଼ର ଲିପିକା ସେଠ୍ ଗତ ୨୬ ତାରିଖରେ ପାଳିତ ହୋଇଥିବା ୭୦ତମ ସାଧାରଣତନ୍ତ୍ର ଦିବସରେ ଏହି ଅନନ୍ୟ ସଫଳତା ଲାଭ କରିଛନ୍ତି। ଦାର୍ଜିଂଲିଙ୍ଗ୍ ଏବଂ କଶ୍ମୀରରେ ପର୍ବତାରୋହଣର ମୌଳିକ ଏବଂ ଉଚ୍ଚତର କଳା କୌଶଳ ଶିକ୍ଷାଲାଭ କରିଥିବା କୁଶ ଓ ଲିପିକା ୮ ଜଣିଆ ଭାରତୀୟ ଦଳରେ ସାମିଲ ହୋଇ ୨୫ ତାରିଖ ଦିନ କିଲିମାଞ୍ଜାରୋ ବେସ୍‌କ୍ୟାମ୍ପ୍‌ରେ ପହଞ୍ଚିଥିଲେ। ଉଭୟ ସେହିଦିନ ରାତି ୧୨ରେ ଶିଖର ଅଭିମୁଖେ ଅଭିଯାନ ଆରମ୍ଭ କରିଥିଲେ। ପ୍ରତିକୂଳ ପାଗ, ଦ୍ରୁତ ଗତିରେ ବହୁ ଥିବା ପବନ, ଧୂଆଁଳିଆ ପାହାଡ଼ ତଥା ଉପର ଖସୁଥିବା ବରଫ ଖଣ୍ଡକୁ ପ୍ରତିହତ କରି ଉଭୟ ୨୬ ତାରିଖ ସକାଳେ କିଲିମାଞ୍ଜାରୋ ଶୀର୍ଷରେ ତ୍ରିରଙ୍ଗା ଉଡ଼ାଇଥିଲେ। ଏହି ଅଭିଯାନ ଲାଗି ଲିପିକାଙ୍କୁ ବରଗଡ଼ ସାଂସଦ ଏବଂ ଏମସିଏଲ୍ କଂପାନି ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଅନ୍ୟପକ୍ଷରେ କୁଶଙ୍କୁ ଭୁବନେଶ୍ବର ସ୍କୁଲ ଅଫ୍ ଆଡଭେଞ୍ଚର ସହଯୋଗର ହାତ ବଢ଼ାଇଥିଲା।

ଉଭୟ ଯୁବ ତାରକା ପର୍ବତାରୋହୀ ନୃସିଂହ ସାହୁଙ୍କଠାରୁ ପ୍ରେରଣା ଓ ଉତ୍ସାହ ପାଇ କିଲିମା‌ଞ୍ଜାରୋ ବିଜୟର ଦୁଃସାସିକ ଅଭିଯାନରେ ବାହାରି ଥିଲେ। ଦୁଇ ଜଣ ଯାକ ଆ‌ସନ୍ତା ଜୁଲାଇ ମାସରେ ୟୁରୋପ ମହାଦେଶର ସର୍ବୋଚ୍ଚ ଗିରିଶୃଙ୍ଗ ମାଉଣ୍ଟ ଏଲବ୍ରୁସ୍ ଏବଂ ଡିସେମ୍ବରରେ ମାଉଣ୍ଟ ଆକନକାଗୁଆ ଆରୋହଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଚଳିତ ବର୍ଷ ଆମେ ଆଉ ଦୁଇଟି ପର୍ବତ ଆରୋହରଣ କରିବାକୁ ଲକ୍ଷ୍ୟ ରଖୁଛି। ଏହାର ଅଭିଜ୍ଞତାକୁ ପାଥେୟ କରି ବିଶ୍ବର ସର୍ବୋଚ୍ଚ ଗିରିଶୃଙ୍ଗ ଏଭରେଷ୍ଟ ଉପରେ ତ୍ରିରଙ୍ଗା ଉଡ଼ାଇବାକୁ ଲକ୍ଷ୍ୟ ରଖିଛୁ ବୋଲି ‘ସମ୍ବାଦ’କୁ କୁଶ ଓ ଲିପିକା କହିଛନ୍ତି। କୋରାପୁଟ ଜିଲ୍ଲା ସରକାରୀ ମହାବିଦ୍ୟାଳୟରୁ ଯୁକ୍ତ ୩ ଶିକ୍ଷା ଶେଷ କରିଥିବା କୁଶ ହେଉଛନ୍ତି ଆର୍ଲବପୁଟ ଗାଁର କୃଷକ କମଳ ଲୋଚନ ଆର୍ଲବ ଓ ରାଇଲା ଆର୍ଲବଙ୍କ ପୁଅ। ଆର୍ଥିକ ଅନଟନ ସତ୍ତ୍ବେ କୁଶ ନିଜ ପ୍ରଚେଷ୍ଟା ଓ ଏକାଗ୍ରତା ବଳରେ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ସେପଟେ ବରଗଡ଼ର ଧେଡେନ୍ ବ୍ଲକର ଡାଲବ ଗାଁର କୃଷକ ଲକ୍ଷ୍ମଣ ଓ ବିଜୟଲକ୍ଷ୍ମୀ ସେଠଙ୍କ ସାନ ଝିଅ ଲିପିକା ଯୁକ୍ତ ୩ ଶିକ୍ଷା ଶେଷ କରି ଦୁଃସାହସିକ କ୍ରୀଡ଼ାରେ ନିଜ ଛାପ ଛାଡ଼ିବା ଲକ୍ଷ୍ୟରେ ରହିଛନ୍ତି। ରାଜ୍ୟର ଲକ୍ଷ ଲକ୍ଷ ଝିଅଙ୍କ ପାଇଁ ସେ ଏବେ ପ୍ରେରଣାର ଉତ୍ସ ପାଲଟିଛନ୍ତି।

ସମ୍ବନ୍ଧିତ ଖବର