ରାଜନୀତି କରିବେ ଲାଜରୁସ୍‌

ପଡ଼ିଆ ବାହାରୁ...

ଭୁବନେଶ୍ୱର: ଭାରତୀୟ ହକିର ଅନ୍ୟତମ ଶ୍ରେଷ୍ଠ ଡିଫେଣ୍ଡର୍‌, ଦୁଇ ଥର ହକି ବିଶ୍ୱକପ୍‌ ଖେଳିଥିବା ଅଲିମ୍ପିଆନ୍‌ ଲାଜରୁସ୍‌ ବାର୍ଲା ରାଜନୀତି କରିବେ। ନିର୍ବାଚନ ବର୍ଷ ପାଖେଇ ଆସୁଥିବାବେଳେ ବିଭିନ୍ନ ଦଳର ପ୍ରବଳ ଅନୁରୋଧ ଏବଂ ନିଜର ସେବା ଅଭିଳାଷକୁ ବାସ୍ତବ ରୂପ ଦେବାକୁ ଲାଜରୁସ୍‌ ସିଧାସଳଖ ନିର୍ବାଚନ ମଇଦାନରୁ ରାଜନୀତି ପଦାର୍ପଣ କରିବେ ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ଏଭଳି ସମ୍ଭାବନାକୁ ବି ଲାଜରୁସ୍‌ ଏଡ଼ାଇ ଦେଇ ନାହାନ୍ତି। ‘ଗତ ନିର୍ବାଚନ ସମୟରେ ବି ମୁଁ ଅନେକ ଅନୁରୋଧ ପାଇଥିଲି। କିନ୍ତୁ ଚୂଡାନ୍ତ ନିଷ୍ପତ୍ତି ନେଇ ପାରିନଥିଲି। ଏବେ କିନ୍ତୁ ମନ ସ୍ଥିର କରିଛି, ନିଜ ଅଞ୍ଚଳ ସୁନ୍ଦରଗଡ଼ ଜିଲ୍ଲା ଏବଂ ରାଜ୍ୟ ଖେଳ ଦୁନିଆ ପାଇଁ କିଛି କରିବାର ଈଚ୍ଛାଶକ୍ତିକୁ ଆଇ ସମ୍ବରଣ କରିପାରିନାହିଁ। ନିଜ ଅଞ୍ଚଳ ପ୍ରତି ଥିବା ଭଲ ପାଇବା ଏବଂ ଜନସେବାର ଶ୍ରେଷ୍ଠ ମାଧ୍ୟମ ଭାବେ ରାଜନୀତି କରିବାକୁ ମୁଁ ଏବେ ପ୍ରସ୍ତୁତ। ଭଲ ସୁଯୋଗ ଅପେକ୍ଷାରେ ରହିଛି ବୋଲି ଲାଜରୁସ୍‌ ପ୍ରକାଶ କରିଛନ୍ତି। ହକି ପ୍ରତି ସରକାରୀ ସମର୍ଥନ ଓ ସହଯୋଗରେ ଆଦୌ ସନ୍ତୁଷ୍ଟ ନୁହନ୍ତି ଲାଜରୁସ୍‌। ମୁଁ ନିୟମିତ ଭାବେ ସୁନ୍ଦରଗଡ଼ ଗସ୍ତ କରି ବିଭିନ୍ନ ଅନୁଷ୍ଠାନ ସହିତ ଜଡ଼ିତ ରହିଛି ଏବଂ ସେମାନଙ୍କୁ ଦେଉଥିବା ସମର୍ଥନ ମୋତେ ରାଜନୀତିରେ ସଫଳ କରାଇବ ବୋଲି ୩୯ ବର୍ଷୀୟ ଲାଜରୁସ୍‌ ଆଶା ପ୍ରକାଶ କରିଛନ୍ତି। କିନ୍ତୁ କେଉଁ ଦଳରେ ଯୋଗଦେବେ ସେ ସ୍ପଷ୍ଟ କରି ନଥିଲେ। ବର୍ତମାନର ରାଜ୍ୟସଭା ସାଂସଦ ଦିଲୀପ ତିର୍କିଙ୍କ ସହ ମିଶି ୨୦୦୦ ମସିହା ସିଡ୍‌ନି ଅଲିମ୍ପିକ୍ସ ଦଳରେ ଭାରତୀୟ ଦଳରୁ ଖେଳିଥିଲେ ଲାଜରୁସ୍‌। ୧୯୯୬ରେ ଆଟଲାଣ୍ଟାରେ ଦିଲୀପ ଆରମ୍ଭ କରିଥିବା ପରମ୍ପରାକୁ ଆଗକୁ ନେଇ ଲାଜରୁସ୍‌ ହୋଇଥିଲେ ରାଜ୍ୟର ଦ୍ୱିତୀୟ ହକି ଅଲିମ୍ପିଆନ୍‌। ଦିଲୀପ-ଲାଜରୁସ୍‌ଙ୍କ ଯୋଡ଼ି ବିଶ୍ୱ ହକିର ଅନ୍ୟତମ ପ୍ରାଚୀର ଭାବେ ଉଭା ହୋଇଥିଲେ। ନିଜ ସମୟରେ ଅନେକ ଖ୍ୟାତି ଓ ପ୍ରଶଂସା ବି ସାଉଁଟିଥିଲେ। ଭାରତୀୟ ଦଳରୁ ୧୫୯ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବା ଲାଜରୁସ୍‌ଙ୍କ ପାଇଁ ସବୁଠାରୁ ବଡ଼ ସଫଳତା ଥିଲା ସର୍ବକନିଷ୍ଠ ଖେଳାଳିଭାବେ ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ଜିତିବା। ମାତ୍ର ୧୯ ବର୍ଷ ବୟସରେ ସେ ବ୍ୟାଙ୍କକ୍‌ ଏସିଆଡ୍‌ ସ୍ୱର୍ଣ୍ଣ ବିଜୟୀ ଦଳର ସଦସ୍ୟ ଥିଲେ। ୧୯୯୭ ମିଲ୍‌ଟନ୍‌ କେନ୍‌ସ କନିଷ୍ଠ ବିଶ୍ୱକପ୍‌ ରୌପ୍ୟରୁ ନିଜ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିଥିବା ଲାଜରୁସ ବରିଷ୍ଠ ବର୍ଗରେ ମଧ୍ୟ ଦୁଇ ଦୁଇଟି ବିଶ୍ୱକପ୍‌ରେ ଭାରତୀୟ ଦଳରୁ ପ୍ରତିନିଧିତ୍ୱ କରିଥିଲେ। ୧୯୯୮ ୟୁଟ୍ରେକ୍‌ ଏବଂ ୨୦୦୨ କୁଆଲାଲମ୍ପୁର ବିଶ୍ୱକପ୍‌ରେ ଖେଳିଥିଲେ। ୨୦୦୧ରେ ଚାମ୍ପିଅନସ ଚାଲେଞ୍ଜ୍‌ରେ ବିଜେତା ଏବଂ ଢ଼ାକାରେ ପ୍ରାଇମ୍‌ମିନିଷ୍ଟର୍ସ ଗୋଲ୍‌ଡ କପ୍‌ରେ ସ୍ୱର୍ଣ୍ଣ ବିଜେତା ହୋଇଥିଲେ। ୨୦୦୦ ମସିହାରେ ସୁଲତାନ୍‌ ଆଜଲାନ୍‌ ଶାହା କପ୍‌ରେ କାଂସ୍ୟ ପଦକ ଜିତିବା ମଧ୍ୟ ଉଲ୍ଲେଖନୀୟ ଥିଲା। କନିଷ୍ଠ ବର୍ଗରେ ଭାରତୀୟ ଦଳର ନେତୃତ୍ୱ ନେବାର ସୁଯୋଗ ମଧ୍ୟ ତାଙ୍କୁ ମିଳିଥିଲା। ୨୦୦୦ ମସିହାରେ କନିଷ୍ଠ ଏସିଆ କପ୍‌ରେ ଦଳକୁ ରୌପ୍ୟ ବିଜେତା କରାଇବା ସହିତ ଦୁଇଟି ଗୋଲ୍‌ ମଧ୍ୟ ଦେଇ ବ୍ୟକ୍ତିଗତ ସଫଳତା ପାଇଥିଲେ। ସୁନ୍ଦରଗଡ଼ର ସଉନାମୁରା ଗାଁରେ ଜନ୍ମିତ ଲାଜରୁସ୍‌ ପାନପୋଷ କ୍ରୀଡ଼ା ଛାତ୍ରାବାସରେ ଆଦ୍ୟ ଜୀବନ ବିତାଇ ଭାରତୀୟ ହକିର ଶିଖରରେ ପହଞ୍ଚିଥିଲେ। ଇଣ୍ଡିଆନ୍‌ ଏୟାର୍‌ ଲାଇନ୍‌ସରେ ସେ ଏବେ ପ୍ରବଂଧକ ଭାବେ କାର୍ଯ୍ୟରତ। ଏହି ଅବସରରେ ପୂର୍ବତନ ସାଂସଦ ତଥା ଓଡ଼ିଶା ମହିଳା ହକି ସଂଘ ସଭାନେତ୍ରୀ ଫିି୍ରଡ଼ା ଟପ୍ନୋଙ୍କ ବିୟୋଗରେ ଲାଜରୁସ୍‌ ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର