ଘାଇଲା କଲେ ଲାକମଲ୍‌

ଭାରତ ୧୭/୩

କୋଲକାତା: ଭାରତରେ କ୍ୱଚିତ ଏମିତି ପରିବେଶ ଓ ପିଚ୍‌ ମିଳେ ଯେଉଁଠି ଦ୍ରୁତ ବୋଲର ଆରମ୍ଭରୁ ଉତ୍ସବ ପାଳନ୍ତି, ଆଉ ବ୍ୟାଟ୍ସମ୍ୟାନ୍‌ ଭାଗ୍ୟକୁ ନିନ୍ଦନ୍ତି। ଗୁରୁବାର କୋଲକାତାର ଇଡେନ୍‌ ଗାର୍ଡେନ୍ସ ପରିବେଶ ଓ ପରିସ୍ଥିତି କିନ୍ତୁ ଠିକ୍‌ ଏମିତି ଥିଲା। କୋହଲା ପାଗକୁ ସବୁଜ ପିଚ୍‌ ଏବଂ ତା’ ସହ ଆଦ୍ରତା ଭରା ବାୟୁମଣ୍ଡଳ ପାଇଁ ଏହି ଐତିହାସିକ ଷ୍ଟାଡିୟମ୍‌ କିଛି ସମୟ ଲାଗି ବୋଲରଙ୍କୁ ଭୂସ୍ୱର୍ଗ ପାଲଟି ଯାଇଥିଲା। ଶାଣୀତ ବୋଲିଂରେ ସିଂହଳୀ ଦ୍ରୁତ ବୋଲର ସୁରଜ ଲାକମଲ ଭାରତର ହୋସ୍‌ ଉଡ଼ାଇ ଦେଇଥିଲେ।

ସକାଳେ ଝିପି ଝିପି ବର୍ଷା ଏବଂ ଅପରାହ୍ନରେ ମେଘାଛନ୍ନ ଆକାଶ ପାଇଁ ଆଲୋକ କମିଯିବାରୁ ଗୁରୁବାର ମାତ୍ର ୧୧.୫ ଓଭରର ଖେଳ ହୋଇ ପାରିଥିଲା। ହେଲେ ସେତିକି ସମୟ ମଧ୍ୟରେ ଶ୍ରୀଲଙ୍କା ବୋଲର ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ପୂରା ଘାଣ୍ଟି ଦେଇଥିଲେ। ଦ୍ରୁତ ବୋଲର ଲାକମଲ ଏହାର ନେତୃତ୍ୱ ନେଇ ତାରକା ଖଚିତ ଭାରତୀୟ ଶୀର୍ଷକ୍ରମକୁ ପୂରା ନୟାନ୍ତ କରି ଦେଇଥିଲେ। ବିଶ୍ୱ କ୍ରିକେଟ୍‌ର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ବୋଲାଉଥିବା ବିରାଟ କୋହଲି ଏବଂ ଉଦୀୟମାନ ତାରକା ଲୋକେଶ ରାହୁଲଙ୍କୁ ଖାତା ଖୋଲିବାର ସୁଯୋଗ ଦେଇ ନଥିଲେ ସେ। ସେହିଭଳି ସାଂପ୍ରତିକ କ୍ରିକେଟର ଅନ୍ୟତମ ଦକ୍ଷ ପ୍ରାରମ୍ଭିକ ଖେଳାଳି ଶିଖର ଧାଓ୍ଵନଙ୍କ ପାଳିକୁ ଏକଅଙ୍କରେ ସୀମିତ ରଖି ଦେଇଥିଲେ। ତିନିଟି ଜଣ ଯାକ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଲାକମଲ ତିନି ପ୍ରକାର ଢଙ୍ଗରେ ପାଭିଲିୟନ ଫେରାଇଥିଲେ। ରାହୁଲ କ୍ୟାଚ୍‌, କୋହଲି ଏଲ୍‌ବିଡବ୍ଲ୍ୟୁ ଏବଂ ଶିଖର ବୋଲ୍ଡ ହୋଇଥିଲେ।

ଆଜି ଦୁଇଟି ପର୍ଯ୍ୟାୟରେ ପଡ଼ିଥିବା ୭୧ ବଲ୍‌ରେ ଭାରତ ୩ ଓ୍ଵିକେଟ୍‌ ହରାଇ ମାତ୍ର ୧୭ ରନ୍‌ କରିଥିଲା। ସେଥିମଧ୍ୟରୁ ଲାକମଲ ୬ ଓଭର ବା ୩୬ ବଲ୍‌ ବୋଲିଂ କରିଥିଲେ। ୬ଟି ଯାକ ଓଭରରକୁ ସେ ମେଡେନ୍‌ ନେଇଥିଲେ। ନିର୍ଧାରିତ ସମୟର ଢେର ପୂର୍ବରୁ ଖେଳ ବନ୍ଦ ହେଲା ବେଳକୁ ଚେତେଶ୍ୱର ପୂଜାରା (୮*) ଓ ଅଜିଙ୍କ୍ୟ ରାହାଣେ ଅପରାଜିତ ରହିଥିଲେ। ପୂଜାରା ଜବରଦସ୍ତ ଏକାଗ୍ରତାର ପରିଚୟ ଦେଇ ନିଜ ୪୩ ବଲ୍‌ରୁ ପାଳିରେ ଦୁଇଟି ଦର୍ଶନୀୟ ଚୌକା ମାରିଥିଲେ। ଅନ୍ୟ ସମସ୍ତ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ମିଳିତ ଭାବେ ମାତ୍ର ୨୮ ବଲ୍‌ ଖେଳିଥିଲେ। ଏବଂ ୯ ରନ୍‌ କରି ପାରିଥିଲେ।

ପ୍ରଥମ ଦିନ ୧୧.୫ ଓଭର

ଗୁରୁବାର ସକାଳ ୯ ଟା ୩୦ରେ ଖେଳ ଆରମ୍ଭ ହେବାର ଥିଲା। ହେଲେ ପୂର୍ବାନୁମାନ ଅନୁଯାୟୀ ମଧ୍ୟାହ୍ନ ପର୍ଯ୍ୟନ୍ତ ଝିପି ଝିପି ବର୍ଷା ହେବା ସହ ପାଗ ଖେଳ ଉପଯୋଗୀ ହୋଇ ପାରି ନଥିଲା। ଆକାଶ ଟିକିଏ ଫର୍ଚା ହେବା ପରେ ଅମ୍ପାୟାର ୧୨ଟା ୪୫ ପଡ଼ିଆ ନିରୀକ୍ଷଣ କରି ଗୋଟାଏରେ ଟସ୍‌ କରିବାକୁ ଅନୁମତି ଦେଇଥିଲେ। ଶ୍ରୀଲଙ୍କା ଅଧିନାୟକ ଦୀନେଶ ଚାନ୍ଦିମାଳ ଟସ୍‌ ଜିତି ଆଦ୍ରତାଭରା ପାଗରୁ ଲାଭ ଉଠାଇବା ଲାଗି କ୍ଷେତ୍ରରକ୍ଷଣ ନିଷ୍ପତ୍ତି ନେଇଥିଲେ। ୨୦୦୬ ମସିହା ପରେ ଇଡେନ୍‌ ପଡ଼ିଆରେ ଦ୍ୱିତୀୟ ଥର ପାଇଁ କୌଣସି ଅଧିନାୟକ ଟସ୍‌ ଜିତି କ୍ଷେତ୍ରରକ୍ଷଣ କରିଥିଲେ। ଆହତ ମୁକ୍ତ ହୋଇ ଫେରିଥିବା ମୁରଲୀ ବିଜୟଙ୍କୁ ଭାରତ କିନ୍ତୁ ଦଳରେ ନେଇ ନଥିଲା। ଅନ୍ୟ ପକ୍ଷରେ ଦିନିକିଆ କ୍ରିକେଟ୍‌ରୁ ଦୀର୍ଘଦିନ ଅନୁପସ୍ଥିତ ରହିବା ପରେ ସ୍ପିନ୍‌ ଯୋଡ଼ି ଆର ଅଶ୍ୱିନ ଏବଂ ରବୀନ୍ଦ୍ର ଜାଦେଜା ଦୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଥିଲେ। ଏମାନଙ୍କ ସହ ପୂର୍ବତନ କ୍ରିକେଟର ଭିଭିଏସ୍‌ ଲକ୍ଷ୍ମଣ ମଧ୍ୟ ଇଡେନ୍‌ ଇତିହାସରେ ସ୍ଥାନ ପାଇ ଯାଇଥିଲେ। ଲକ୍ଷ୍ମଣ ଘଣ୍ଟି ବଜାଇବା ପରେ ଅପରାହ୍ନ ୧.୩୦ରେ ଖେଳ ଆରମ୍ଭ ହେବାର ଥିଲା। ସେହି ସମୟରେ ଖେଳାଳିମାନେ ପଡ଼ିଆ ଭିତରକୁ ବି ପଶିଥିଲେ। ହେଲେ ବଲ୍‌ ପଡ଼ିବାର ଠିକ୍‌ ପୂର୍ବରୁ ପୁଣି ଥରେ ବର୍ଷା ଆରମ୍ଭ ହୋଇଥିଲା। ଫଳରେ ସମସ୍ତେ ପାଭିଲିୟନ ଫେରିବାକୁ ବାଧ୍ୟ ହୋଇଥିଲେ। ଶେଷରେ ଅପରାହ୍ନ ୨ଟାରେ ଖେଳ ଆରମ୍ଭ ହୋଇଥିଲା। ଅପେକ୍ଷାରତ ଦର୍ଶକ ଆଶ୍ୱସ୍ତ ହୋଇଥିଲେ। ଇଡେନ୍‌ ପଡ଼ିଆ ବି ସେମାନଙ୍କ ପାଟିରେ କମ୍ପି ଉଠିଥିଲା। ପ୍ରଥମ ବଲ୍‌ରେ ଓ୍ଵିକେଟ୍‌ ଯିବା ପରେ ଏହା ଆବଶ୍ୟ ତୁରନ୍ତ ଥମି ଯାଇଥିଲା। ତେବେ ଦୁଇଟି ପର୍ଯ୍ୟାୟରେ ମାତ୍ର ୭୧ ବଲ୍‌ ପଡ଼ି ପାରିଥିଲା। ପ୍ରଥମ ପର୍ଯ୍ୟାୟର ୮.୨ ଓଭର ପରେ ଆଲୋକ ଅଭାବରୁ ଖେଳ ବନ୍ଦ ରହିଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ୩ଟା ୨୦ରୁ ୩.୫୦ ମଧ୍ୟରେ ଆଉ ମାତ୍ର ୩.୨ ଓଭରର ଖେଳ ସମ୍ଭବ ହୋଇଥିଲା। ଆଲୋକ ପୁଣି ଚାଲିଯିବାକୁ ୪ଟା ୧୮ରେ ଅମ୍ପାୟାର ଷ୍ଟମ୍ପ ଅପସାରଣର ସଂକେତ ଦେଇଥିଲେ।

ପ୍ରଥମ ବଲ୍‌ରେ ଓ୍ଵିକେଟ୍‌

ଖେଳ ପାଖା ପାଖି ସାଢ଼େ ଚାରି ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା। ଏହି ଦୀର୍ଘ ପ୍ରତୀକ୍ଷାର ମିଠା ଫଳ କିନ୍ତୁ ଶ୍ରୀଲଙ୍କାକୁ ପ୍ରଥମ ବଲ୍‌ରୁ ମିଳି ଯାଇଥିଲା। ଲାକମଲ ତାଙ୍କ ପ୍ରଥମ ବଲ୍‌ରେ ଭାରତକୁ ଅଦିନିଆ ଝଟ୍‌କା ଦେଇଥିଲେ। ଅଫ୍‌ ଷ୍ଟମ୍ପରେ ପଡ଼ି ବାହାରକୁ ଯାଉଥିବା ବଲ୍‌ ଅତିରିକ୍ତ ଉଚ୍ଛାଳ ନେବା ପରେ ରାହୁଲ ଏହାକୁ ଖେଳିବାକୁ ବାଧ୍ୟ ହୋଇଥିଲେ। ହେଲେ ବଲ୍‌ ତାଙ୍କ ବ୍ୟାଟ୍‌ର ଧାରରେ ବାଜି ଓ୍ଵିକେଟ୍‌ ରକ୍ଷକ ନିରୋସାନ ଡିକେଓ୍ଵଲାଙ୍କ ହାତକୁ ଚାଲି ଯାଇଥିଲା। ଶ୍ରୀଲଙ୍କା ଖେଳାଳି ଖୁସିରେ ଆତ୍ମହରା ହୋଇଗଲେ। ଭାରତ ବିନା ରନ୍‌ରେ ପ୍ରଥମ ଓ୍ଵିକେଟ୍‌ ହରାଇଲା। ରାହୁଲ ଏକ କଷ୍ଟକର ବଲ୍‌ରେ ଆଉଟ୍‌ ହୋଇଥିଲା ବେଳେ ଲାକମଲଙ୍କ ପରବର୍ତୀ ଶିକାର ଧାଓ୍ଵନ ନିଜ ଭୁଲରୁ ଓ୍ଵିକେଟ୍‌ ହରାଇଥିଲେ। ସଠିକ୍‌ ପାଦ ଚାଳନା ନକରି ବେପରୁଆ ଭାବେ ଡ୍ରାଇଭ୍‌ କଲା ବେଳେ ବଲ୍‌ ତାଙ୍କ ବ୍ୟାଟ୍‌କୁ ଛୁଇଁ ଷ୍ଟମ୍ପରେ ପଶି ଯାଇଥିଲା। ଭାରତ ୬.୨ ଓଭର ଏବଂ ମାତ୍ର ୧୩ ରନ୍‌ରେ ଦ୍ୱିତୀୟ ଓ୍ଵିକେଟ୍‌ ହରାଇଥିଲା। ଅଧିନାୟକ କୋହଲି ୧୧ ବଲ୍‌ ପର୍ଯ୍ୟନ୍ତ ଯୁଝିଥିଲେ। ହେଲେ ଅଫଷ୍ଟମ୍ପ ଲାଇନ୍‌ ବଲ୍‌କୁ ବୁଝି ନପାରି ଏଲବିଡବ୍ଲ୍ୟୁ ଆଉଟ୍‌ ହୋଇଥିଲେ। ବଲ୍‌ ବ୍ୟାଟ୍‌ ବଦଳରେ ପ୍ୟାଡ୍‌ରେ ବାଜିବା ପରେ ଅମ୍ପାୟାର ନିଗେଲ ଲଙ୍ଗ ତୁରନ୍ତ ଆଉଟ୍‌ ସଂକେତ ଦେଇଥିଲେ। ରିଭ୍ୟୁରୁ ଅମ୍ପାୟାର କଲ୍‌ ମିଳିବା ପରେ କୋହଲି ନିରାଶାର ସହ ପିଚ୍‌ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ରାହୁଲଙ୍କ ଭଳି ସେ ବି କୌଣସି ରନ୍‌ କରି ପାରି ନଥିଲେ।

ନେହରାଙ୍କ ନୂଆ ଜୀବନ

ଘରୋଇ ସହର ନୂଆଦିଲ୍ଲୀରେ ନିଜ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିବା ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ବାମହାତୀ ଦ୍ରୁତ ବୋଲର ଆଶିଷ ନେହରା ଗୁରୁବାର ନୂଆ ଜୀବନ ଆରମ୍ଭ କରିଥିଲେ। ୧୮ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସକ୍ରୀୟ ଥିବା ନେହରା ଆଜି ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟର ପ୍ରଥମ ଦିନର ଖେଳରେ ଧାରା ବିବରଣୀ ପ୍ରଦାନ କରୁଥିବା ଦେଖିବାକୁ ମିଳିଥିଲା। ଏଥିପାଇଁ ଅବଶ୍ୟ ତାଙ୍କୁ ଢେର ସମୟ ଅପେକ୍ଷା କରିବାକୁ ପଡ଼ିଥିଲା। ବର୍ଷା ପାଇଁ ଖେଳ ସାଢ଼େ ୪ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା। ତେବେ ଆରମ୍ଭ ହେବାର ଠିକ୍‌ ପରେ ନେହରା ନିଜ ପୁରୁଣା ସାଥୀ ବୀରେନ୍ଦ୍ର ସେହବାଗ ଏବଂ ଆକାଶ ଚୋପ୍ରାଙ୍କ ସହ ଆତ୍ମବିଶ୍ୱାସର ସହ ଧାରା ବିବରଣୀ ଦେଇଥିଲେ। ଖାଲି ସମୟରେ ସେ ବିଶିଷ୍ଟ ବ୍ୟକ୍ତିଙ୍କ ପାଇଁ ଉଦିଷ୍ଟ ଗ୍ୟାଲେରିରେ ପୂର୍ବତନ ଭାରତୀୟ ଅଧିନାୟକ ତଥା ବେଙ୍ଗଲ କ୍ରିକେଟ୍‌ ସଂଘ ସଭାପତି ସୌରଭ ଗାଙ୍ଗୁଲିଙ୍କ ସହ ଖୁସି କରିଥିଲେ।

ସମ୍ବନ୍ଧିତ ଖବର