ଲାଙ୍ଗର୍‌ ଅଷ୍ଟ୍ରେଲିଆର ନୂଆ ମୁଖ୍ୟ ପ୍ରଶିକ୍ଷକ

ମେଲ୍‌ବର୍ନ: ପୂର୍ବତନ ପ୍ରାରମ୍ଭିକ ବ୍ୟାଟସମ୍ୟାନ ଜଷ୍ଟିନ୍‌ ଲାଙ୍ଗରଙ୍କୁ ଅଷ୍ଟ୍ରେଲିଆ ଜାତୀୟ କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି। ଏଥି ସହ ଡାରେନ୍‌ ଲିମ୍ୟାନ୍‌ଙ୍କ ଉତ୍ତରାଧିକାରୀ ଚୟନ ନେଇ ରହିଥିବା ଅନିଶ୍ଚିତତା ଦୂର ହୋଇଛି। ନ୍ୟୁଲାଣ୍ଡ୍‌ରେ ଘଟିଥିବା ବଲ୍‌ ବିକୃତ ବିବାଦ ପରିପ୍ରେକ୍ଷୀରେ ଲିମ୍ୟାନ୍‌ ପଦତ୍ୟାଗ କରିଥିଲେ। ଏହି ନଯୁକ୍ତି ସହିତ କ୍ରିକେଟ୍‌ ଅଷ୍ଟ୍ରେଲିଆ ମଧ୍ୟ ଖେଳରେ ସ୍ୱଚ୍ଛତା ଅଭିଯାନ ଆରମ୍ଭ କରିଛି। ନୂଆ କ୍ରୀଡ଼ା ସଂସ୍କୃତି ନେଇ ଆଶାପ୍ରକଟ କରିଛି। ୨୦୧୩ ମସିହାଠାରୁ ଲିମ୍ୟାନ୍‌ ଦୌଡ଼ରେ ରହିଥିଲେ। ଏବେ ଟେଷ୍ଟ୍‍ ଅଧିନାୟକ ଟିମ୍‌ ପାଇନ୍‌ଙ୍କ ସହିତ ଲାଙ୍ଗର ମିଳିତ ଭାବେ କାର୍ଯ୍ୟ କରିବେ। କ୍ରିକେଟ୍‌ ଅଷ୍ଟ୍ରେଲିଆ ଏ ପର୍ଯ୍ୟନ୍ତ ସୀମିତ ଓଭର ପାଇଁ ଏହାର ଅଧିନାୟକ ଘୋଷଣା କରିନାହିଁ। ଏହି ଘୋଷଣା କରି କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ମୁଖ୍ୟ କାର୍ଯ୍ୟନିର୍ବାହୀ ଜେମ୍‌ସ ସଦରଲାଣ୍ଡ୍‌ କହିଛନ୍ତି କିଛି ଦିନ ଆଗରୁ ହିଁ ଲାଙ୍ଗରଙ୍କ ନାମ ବିଚାରାଧୀନ ଥିଲା। ଆଭୂଷିତ ଖେଳ ଜୀବନ ପରେ ଲାଙ୍ଗର ମଧ୍ୟ ମିକି ଆର୍ଥର ଏବଂ ଟିମ୍‌ ନିଲ୍‌ସନ୍‌ଙ୍କ ସହଯୋଗୀ ଭାବେ କାର୍ଯ୍ୟ କରି ସାରିଛନ୍ତି। ପୂର୍ବରୁ ସେ ମଧ୍ୟ ପଶ୍ଚିମ ଅଷ୍ଟ୍ରେଲିଆ ଏବଂ ପର୍ଥ ସ୍କର୍ଚର୍ସ ଦଳର ପ୍ରଶିକ୍ଷକ ଭାବେ ସଫଳତା ଅର୍ଜନ କରିଛନ୍ତି। ଆମେ ଅନେକ ନାମକୁ ବିଚାରକୁ ନେଇଥିଲେ ମଧ୍ୟ ଜଷ୍ଟିନ୍‌ ଲାଙ୍ଗର୍‌ ସବୁଠାରୁ ଅସାଧାରଣ। ୨୦୦୦ ମସିହା ପ୍ରାରମ୍ଭରେ ଲାଙ୍ଗର ବିଧ୍ୱଂସୀ ଅଷ୍ଟ୍ରେଲିଆ ଦଳର ସଦସ୍ୟ ଥିଲେ। ୨୦୦୬-୦୭ ଆସେସ୍‌ ଧୂଲେଇ ପରେ ଲାଙ୍ଗରଙ୍କ ସହିତ ସେନ୍‌ ଓ୍ଵର୍ନ ଏବଂ ଗ୍ଲେନ୍‌ ମ୍ୟାକ୍‌ଗ୍ରା ଅବସର ନେଇଯାଇଥିଲେ। ଲାଙ୍ଗରଙ୍କ ପ୍ରଥମ ଦାୟିତ୍ୱ ହେବ ଜୁନରେ ଇଂଲଣ୍ଡ ବିପକ୍ଷ ସୀମିତ ଓଭର ଶୃଙ୍ଖଳା। ଅଷ୍ଟ୍ରେଲିଆ କିନ୍ତୁ ଅନ୍ତର୍ଜାତୀୟ କ୍ରିକେଟ୍‌ ଋତୁ ନଭେମ୍ବର ୪ରୁ ଆରମ୍ଭ କରିବ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ ଦିନିକିଆ, ୧ ଟେ୍ଵଣ୍ଟି-୨୦ ଖେଳିବା ପରେ ଭାରତ ସହିତ ୩ ଟେ୍ଵଣ୍ଟି-୨୦, ୪ ଟେଷ୍ଟ୍‍, ୩ ଦିନିକିଆ ଅନ୍ତର୍ଜତୀୟ ଖେଳିବ।

‘ଭାରତରେ ଟେଷ୍ଟ୍‍ ଶୃଙ୍ଖଳା ଜିତିଲେ ବଡ଼ ସଫଳତା ହେବ’
ନୂଆ ପ୍ରଶିକ୍ଷକ ଘୋଷିତ ହେବା ପରେ ଜଷ୍ଟିନ୍‌ ଲାଙ୍ଗର କହିଛନ୍ତି ଆସନ୍ତା ୩ ବର୍ଷ ଭିତରେ ଭାରତରେ ଟେଷ୍ଟ୍‍ ଶୃଙ୍ଖଳା ଜିତିପାରିଲେ ଏହା ସବୁଠାରୁ ବଡ଼ ସଫଳତା ହେବ। ବର୍ତମାନର ଅଷ୍ଟ୍ରେଲିଆ ଦଳ ଏଭଳି ସଫଳତା ପାଇଲେ ଏହାକୁ ‘ପ୍ରସିଦ୍ଧ’ କହିହେବ। ନିଜ ଖେଳ ଜୀବନରେ ଭାରତୀୟ ଉପ ମହାଦେଶରେ ଟେଷ୍ଟ୍‍ ଶୃଙ୍ଖଳା ଜିତିବାର ଆହ୍ଵାନକୁ ମନେ ପକାଇ ଏଭଳି କହିଛନ୍ତି। ଆଗକୁ ବିଶ୍ୱକପ୍‌, ଟେ୍ଵଣ୍ଟି-୨୦ ବିଶ୍ୱକପ୍‌ ଏବଂ ଦୁଇଟି ଆସେସ୍‌ (୨୦୧୮ ଏବଂ ୨୦୨୧-୨୨) ରହିଛି। ଏହାକୁ ନେଇ ମୁଁ ଚିନ୍ତିତ। କିନ୍ତୁ ୨୦୨୧ ମସିହା ମଧ୍ୟରେ ଭାରତୀୟ ଗସ୍ତ ନିଶ୍ଚିତ ବଡ଼ ଆହ୍ଵାନ ରହିବ। ଭାରତକୁ ଭାରତରେ ହରାଇ ପାରିଲେ ହିଁ ଆମକୁ ଶ୍ରେଷ୍ଠ ଦଳ କୁହାଯାଇପାରିବ ବୋଳି କହିଥିଲେ ଏହି ପୂର୍ବତନ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌। ମୁଁ ମୋ ଖେଳ ଜୀବନ କଥା ମନେ ପକାଇଛି। ୨୦୦୪ ମସିହାରେ ଆଡାମ୍‌ ଗିଲକ୍ରିଷ୍ଟ୍‍ଙ୍କ ନେତୃତ୍ୱରେ ଭାରତରେ ଆମେ ୨-୧ରେ ଟେଷ୍ଟ୍‍ ଶୃଙ୍ଖଳା ଜିତିଥିଲୁ। ଏହା ଆମ ପାଇଁ ଏଭେରେଷ୍ଟ୍‍ ଆରୋହଣ ଭଳି ଥିଲା ବୋଲି ଭାବବିହ୍ଵଳ ଲାଙ୍ଗର କହିଥିଲେ। ବିଦେଶରେ ଜିତିବାକୁ ହେଲେ ଆମକୁ ଉନ୍ନତ ପ୍ରଦର୍ଶନ କରିବାକୁ ଅଛି। ମୁଁ ଏବେ ସେଭଳି ଅଭିଳାଷ ରଖିଛି। ବଲ୍‌ ବିକୃତି ପାଇଁ ନିଲମ୍ବିତ ଷ୍ଟିଭେନ୍‌ ସ୍ମିଥ୍‌, ଡେଭିଡ୍‌ ଓ୍ଵାର୍ନର ଏବଂ କାମେରନ୍‌ ବନ୍‌କ୍ରଫ୍ଟଙ୍କ ବିନା ଏହା ନିଶ୍ଚିତ ଆହ୍ଵାନ ଭରା ରହିବ। ଏମାନଙ୍କ ବିନା ଡିସେମ୍ବର-ଜାନୁଆରିରେ ଆମକୁ ଭାରତ ବିପକ୍ଷରେ ଘରୋଇ ମାଟିରେ ୪ ଟେଷ୍ଟ୍‍ ଶୃଙ୍ଖଳା ଖେଳିବାକୁ ହେବ। ସେମାନଙ୍କ ରନ୍‌ କିମ୍ବା ଅଭିଜ୍ଞତାର ବିକଳ୍ପ ନାହିଁ। ଆଗାମୀ ୧୧ ମାସ ନିଶ୍ଚିତ ଏମାନଙ୍କ ଅନୁପସ୍ଥିତିର ଅଭାବ ରହିବ। ସେମାନେ ଶୀର୍ଷକ୍ରମ ବ୍ୟାଟିଂରେ ରହିଥିଲେ। ଆଗାମୀ ଦିନ ଗୁଡ଼ିକରେ ମଧ୍ୟ ଭଲ ଖେଳାଳି ଆସିବେ ବୋଲି ଲାଙ୍ଗର ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର