#ମି ଠୁ ଅଭିଯାନରେ ଫସିଲେ ଶ୍ରୀଲଙ୍କା କ୍ରିକେଟର ମାଲିଙ୍ଗା ଓ ଅର୍ଜୁନ ରଣତୁଙ୍ଗା, ହୋଟେଲରେ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ

ନୂଆଦିଲ୍ଲୀ: ଶ୍ରୀଲଙ୍କା କ୍ରିକେଟର ଲାସିଥ ମାଲିଙ୍ଗାଙ୍କ ନାଁ ମଧ୍ୟ #ମି ଠୁ ଅଭିଯାନରେ ସାମିଲ ହୋଇଯାଇଛି। ପୂର୍ବତନ କ୍ରିକେଟର ଅର୍ଜୁନ ରଣତୁଙ୍ଗାଙ୍କ ବିରୋଧରେ ମଧ୍ୟ ଯୌନ ଶୋଷଣ ଅଭିଯୋଗ ହୋଇଛି। ବଲିଉଡ ଗାୟିକା ଚିନ୍ମୟୀ ଶ୍ରୀପଦା ଟୁଇଟରରେ ଜଣେ ମହିଳାଙ୍କ କାହାଣୀ ସେୟାର କରିଛନ୍ତି। କାରଣ ଅତୀତରେ ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ମହିଳା କାହାରିକୁ କିଛି କହିବାକୁ ଚାହୁଁ ନଥିଲେ। ମାଲିଙ୍ଗା ଏକଦା ମୁମ୍ବାଇସ୍ଥିତ ଏକ ତାରକା ହୋଟେଲରେ ମହିଳାଙ୍କୁ ଅସଦାଚରଣ କରିଥିଲେ ବୋଲି ଗାୟିକା ଚିନ୍ମୟୀ ଟୁଇଟ କରିଛନ୍ତି।

ଶେୟାର କରାଯାଇଥିବା ପୋଷ୍ଟରେ କୁହାଯାଇଛି ଯେ, ଆଇପିଏଲ ସମୟରେ ମୁମ୍ବାଇ ହୋଟେଲରେ ମାଲିଙ୍ଗା ଜଣେ ମହିଳାଙ୍କ ସହିତ ଅସଦାଚରଣ କରିଥିଲେ। ମହିଳା ତାଙ୍କ ବାନ୍ଧବୀଙ୍କୁ ଖୋଜୁ ଥିବା ବେଳେ ତାଙ୍କୁ ମାଲିଙ୍ଗା କହିଥିଲେ, ତାଙ୍କ ସାଙ୍ଗ ମୋର କୋଠରିରେ ଅଛନ୍ତି। ଏହା ଶୁଣି ମହିଳା ଜଣକ ତାଙ୍କ କୋଠରିକୁ ଯାଇଥିଲେ କିନ୍ତୁ ସେଠାରେ ତାଙ୍କ ସାଙ୍ଗ ନଥିଲେ।

ଏହାପରେ ମାଲିଙ୍ଗା ମହିଳାଙ୍କୁ ତାଙ୍କ ବେଡ ଉପରକୁ ନେଇ ଅସଦାଚରଣ ଉଦ୍ୟମ କରିଥିଲେ। ବିକଳରେ ମହିଳା ଜଣକ ନିଜର ଆଖି ବନ୍ଦ କରିଥିଲେ। ମାଲିଙ୍ଗା ତାଙ୍କ ମୁହଁକୁ ସ୍ପର୍ଶ କରିବାରେ ସଫଳ ହୋଇଥିଲେ। ଏହି ସମୟରେ ହୋଟେଲ କର୍ମଚାରୀ କବାଟ ବାଡେଇ ଥିଲେ। ସେମାନେ କବାଟ ଖୋଲି ଭିତରକୁ ପ୍ରବେଶ କରିବା ମାତ୍ରେ ମହିଳା ଓ୍ଵାସରୁମ୍‌ ଆଡକୁ ଦୌଡ଼ି ପଳାଇ ଥିଲେ। ହୋଟେଲ କର୍ମଚାରୀମାନେ ବାହାରକୁ ଆସିବା ବେଳକୁ ସେ ବାହାରକୁ ଚାଲି ଯାଇଥିଲେ। ତେବେ ଏହି ଘଟଣା ପରେ ଚୁପ ରହିଥିଲେ ମହିଳା। ନ ହେଲେ ଲୋକେ କହିଥାନ୍ତେ ସେ ନିଜ ଇଚ୍ଛାରେ ହୋଟେଲ ରୁମ ଭିତରକୁ ଯାଇଥିଲେ। କାରଣ ମାଲିଙ୍ଗା ଜଣେ ଲୋକପ୍ରିୟ କ୍ରିକେଟର।

ଅନ୍ୟପକ୍ଷରେ ଆଉ ଜଣେ ମହିଳା ଶ୍ରୀଲଙ୍କା କ୍ରିକେଟର ଅର୍ଜୁନ ରଣତୁଙ୍ଗା ଏକ ହୋଟେଲରେ ଜଣେ ମହିଳାଙ୍କୁ ଜାବୁଡ଼ି ଧରି ତାଙ୍କ ସ୍ପର୍ଶକାତର ଅଙ୍ଗକୁ ଛୁଇଁଥିଲେ। ଏହାପରେ ମହିଳା ଜଣକ ଜୋରରେ ଚିତ୍କାର କରିବାରୁ ତାଙ୍କୁ ରଣତୁଙ୍ଗା ଛାଡ଼ି ଦେଇଥିଲେ ବୋଲି ମହିଳା ଅଭିଯୋଗ କରିଥିଲେ।

#ମି ଠୁ ଅଭିଯାନ ଦିନକୁ ଦିନ ଉଗ୍ର ରୂପ ଧାରଣ କରୁଛି। ଏହି ଅଭିଯାନ ବଳରେ ଆମେରିକା ଠାରୁ ଭାରତ ପର୍ଯ୍ୟନ୍ତ ମହିଳାମାନେ ଅତୀତରେ ତାଙ୍କ ସହିତ ହୋଇଥିବ ଯୌନ ଉତ୍ପୀଡ଼ନ ଅଥବା ମାନସିକ ଉତ୍ପୀଡନ କାହାଣୀ ମନେପକାଇ ସମାଜ ଆଗରେ ପ୍ରକାଶ କରୁଛନ୍ତି।

ସମ୍ବନ୍ଧିତ ଖବର