ଶେଷ ମିନିଟ୍‌ରେ ଖସିଗଲା ହକି ବିଜୟ

ପାକିସ୍ତାନ ସହ ପଏଣ୍ଟ୍‌ ବାଣ୍ଟିଲା ଭାରତ

ଶେଷ ମିନିଟ୍‌ରେ ସବୁକିଛି ହରାଇବା ଭାରତୀୟ ହକି ଦଳର ପୁରୁଣା ଖୋଇ। ଶନିବାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ବି ଭାରତ ସେହି ପୁରୁଣା ଅଭ୍ୟାସକୁ ଦୋହରାଇଥିଲା। ମ୍ୟାଚ୍‌ର ଅଧିକାଂଶ ସମୟ ଆଗୁଆ ରହିବା ପରେ ଶେଷ ମିନିଟ୍‌ରେ ଗୋଲ୍‌ ବରଣ କରି ବିଜୟ ସୁଯୋଗ ହାତଛଡ଼ା କଲା। ପାକିସ୍ତାନକୁ ଏଭଳି ଭାବେ ପଏଣ୍ଟ ନେବାର ସୁଯୋଗ ଦେଇ କୋଟି କୋଟି ପ୍ରଶଂସକଙ୍କ ହୃଦୟ ଭାଙ୍ଗିଦେଲା। ପୁଲ-ବିର ଏହି ତୀବ୍ର ସଂଘର୍ଷପୁର୍ଣ୍ଣ ତଥା ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍‌ରେ ଡ୍ରାଗଫ୍ଲିକର ଅଲ୍ଲୀ ମୁବାସରଙ୍କ ୬୦ ମିନିଟ୍‌ ଗୋଲ୍‌ ବଳରେ ହିଁ ପାକିସ୍ତାନ ପରାଜୟକୁ ଟାଳି ପାରିଥିଲା। ମୁବାସର ଏହି ଗୋଲ୍‌ଟି ଦେଲା ବେଳକୁ ମ୍ୟାଚ୍‌ର ଆଉ ମାତ୍ର ୭ ସେକେଣ୍ଡର ଖେଳ ବାକି ଥିଲା। ମ୍ୟାଚ୍‌ର ଅନ୍ତିମ କ୍ଷଣରେ ପାକିସ୍ତାନ ଦୁଇଟି ଭିଡିଓ ରେଫରାଲ ମାଗିଥିଲା। ଦୁଇଟି ଯାକ ଥର ସର୍କଲ ଭିତରେ ଭାରତୀୟ ରକ୍ଷଣଭାଗ ଖେଳାଳିଙ୍କ ଗୋଡ଼ ବଲ୍‌ରେ ବାଜିଥିବା ସ୍ପଷ୍ଟ ହୋଇଥିଲା। ପ୍ରଥମ ପ୍ରୟାସ ବେକାର ଯାଇଥିଲେ ମଧ୍ୟ ଦ୍ୱିତୀୟ ପେନାଲ୍ଟିକୁ ଗୋଲ୍‌ କରି ପାକିସ୍ତାନ ଚିତ୍ତାକର୍ଷକ ଢଙ୍ଗରେ ମ୍ୟାଚ୍‌କୁ ଅମୀମାଂସିତ ରଖି ନେଇଥିଲା। ଫଳରେ ଭାରତର ବିଜୟରୁ ଅଭିଯାନ ଆରମ୍ଭ କରିବା ଆଶା ମଉଳି ଯାଇଥିଲା। ଏହା ପୂର୍ବରୁ ମ୍ୟାଚ୍‌ର ପ୍ରଥମ ଦୁଇ କ୍ୱାର୍ଟରରେ ଭାରତ ଜବରଦସ୍ତ ହକି ଖେଳି ଦୁଇଟି ଗୋଲ୍‌ ଅର୍ଜନ କରି ନେଇଥିଲା। ତ୍ରୟୋଦଶ ମିନିଟ୍‌ରେ ଯୁବ ତାରକା ଦିଲପ୍ରୀତ ସିଂହ ଏବଂ ୨୦ ମିନିଟ୍‌ରେ ହରମନପ୍ରୀତ ସିଂହ ଏହି ଦୁଇଟି ଗୋଲ୍‌ କରିଥିଲେ। ପ୍ରଥମାର୍ଧ ଶେଷ ସୁଦ୍ଧା ୨-୦ରେ ଅଗୁଆା ରହିବା ସତ୍ତ୍ୱେ ଭାରତୀୟ ଅଗ୍ରଭାଗ ଖେଳାଳିମାନେ ପାକିସ୍ତାନ ରକ୍ଷଣଭାଗ ଉପରେ ଆଶାଜନକ ଚାପ ସୃଷ୍ଟି କରି ପାରି ନଥିଲେ। ଏପରିକି ୩୩ ମିନିଟ୍‌ରେ ମିଳିଥିବା ଦୁଇଟି ପେନାଲ୍ଟି କର୍ନରକୁ ଭାରତ ଗୋଲ୍‌ରେ ରୁପାନ୍ତର କରି ପାରି ନଥିଲା। ୩୯ ମିନିଟ୍‌ରେ ପାକିସ୍ତାନ ମହମ୍ମଦ ଇର୍ଫାନ ଜୁନିଅରଙ୍କ ଚମତ୍କାର ଫିଲ୍ଡ ଗୋଲ୍‌ ବଳରେ ସ୍ଥିତି ୨-୧ କରି ନେଇଥିଲା। ପରବର୍ତୀ ୨୧ ମିନିଟରେ ମଧ୍ୟ ଭାରତ ଏକାଧିକ ସୁଯୋଗ ହାତଛଡ଼ା କରିଥିଲା। ଯାହାର ଫଳ ପାକିସ୍ତାନର ଶେଷ ମିନିଟ୍‌ ଗୋଲରେ ଭୋଗିଥିଲା। ଭାରତ ତା’ର ପରବର୍ତୀ ମ୍ୟାଚ୍‌ରେ ରବିବାର େଓ୍ଵଲ୍ସକୁ ଭେଟିବ।

ସମ୍ବନ୍ଧିତ ଖବର