ସୋମବାରର ପ୍ରଥମ ମ୍ୟାଚ୍ରେ ମିଆଁମାର ଇଞ୍ଜୁରି ଟାଇମ୍ରେ ବାଜି ମାରି ନେଇଥିଲା। ଇରାନ ଏହି ଦଳକୁ ନିର୍ଧାରିତ ୯୦ ମିନିଟ୍ ଖେଳରେ ଅଟକାଇ ରଖିଥିଲା। ହେଲେ ସାଢେ଼ ତିନି ମିନିଟ୍ର ଇଞ୍ଜୁରି ଟାଇମ୍ରେ ଲଗାତାର ଦୁଇଟି ଗୋଲ୍ ବରଣ କରି ଦୁର୍ଭାଗ୍ୟଜନକ ଭାବେ ପରାଜିତ ହୋଇଥିଲା। ତା’ ସହ ପଏଣ୍ଟ୍ ଖାତା ଖୋଲିବାର ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିଥିଲା। ଦୁଇଟି ଯାକ ଗୋଲ୍ ବଦଳ ଖେଳାଳି ୟି ୟି ଉ ଦେଇଥିଲେ। ୨୦ ନମ୍ବର ଜର୍ସିରେ ପଡ଼ିଆକୁ ଓହ୍ଲାଇଥିବା ଉ’ ୯୧ ମିନିଟ୍ରେ ସାଥୀ ଖେଳାଳିଙ୍କଠାରୁ ପାଇଥିବା ଏକ ସିଧା ପାସ୍କୁ ଗୋଲ୍ ପୋଷ୍ଟ୍ ଭିତରକୁ ପଠାଇବାରେ କୌଣସି ତ୍ରୁଟି କରି ନଥିଲେ। ପୂର୍ବରୁ ମିଆଁମାରର କେତେକ ଭଲ ପ୍ରୟାସକୁ ନିଷ୍ଫଳ କରିଥିବା ଇରାନ ଗୋଲ୍ ରକ୍ଷକ ଜହରା ଖଜାବି ପ୍ରତିକ୍ରିୟା ପ୍ରକାଶ କରିବା ପୂର୍ବରୁ ବଲ୍ ଗୋଲ୍ ପୋଷ୍ଟ୍ ଭିତରକୁ ପ୍ରବେଶ କରି ସାରିଥିଲା। ସେ କେବଳ ଯାହା ଦେଖଣାହାରି ସାଜିଥିଲେ। ଦୁଇ ମିନିଟ୍ ପରେ ଉ’ ପୁଣି ଥରେ ସଫଳ ହୋଇଥିଲେ। ଗୋଲ୍ ପୋଷ୍ଟ୍ ସମ୍ମୁଖରେ ଥିବା ତିନି ଜଣ ଇରାନ ରକ୍ଷଣଭାଗ ଖେଳାଳିଙ୍କୁ ଚକ୍ମା ଦେଇ ନିଜ ଦଳ ତଥା ମ୍ୟାଚ୍ର ଦ୍ବିତୀୟ ଗୋଲ୍ ଅର୍ଜନ କରି ନେଇଥିଲେ। ପ୍ରଥମ ଗୋଲ୍ ସେ ବାମପଟ କୋଣରୁ ଅମଳ କରିଥିଲେ। ଅନ୍ୟପକ୍ଷରେ ଦ୍ବିତୀୟକୁ ଡାହାଣ ପଟ କୋଣକୁ ମାରି ହାସଲ କରିଥିଲେ। ମିଆଁମାରର ଏହି ବିଳମ୍ବିତ ସଫଳତାରେ କଳିଙ୍ଗ ଷ୍ଟାଡିୟମରେ ଉପସ୍ଥିତ ଥିବା ଏହି ଦେଶର ୫୦ରୁ ଅଧିକ ସମର୍ଥକ ପୂରା ଉଲ୍ଲସିତ ହୋଇ ଯାଇଥିଲେ। ମଙ୍ଗଳବାରର ମ୍ୟାଚ୍କୁ ଶେଷକ୍ଷଣରେ ଜିତି ସର୍ବୋଚ୍ଚ ମାନ୍ୟତାପ୍ରାପ୍ତ ମିଆଁମାର ଲଗାତାର ଦ୍ବିତୀୟ ବିଜୟ ହାସଲ କରିଥିଲା। ପ୍ରଥମ ମ୍ୟାଚ୍ରେ ଏହି ଦଳ ନେପାଳକୁ ୩-୦ରେ ପରାସ୍ତ କରିଥିଲା। ଅନ୍ୟପକ୍ଷରେ ଇରାନ ଲଗାତାର ଦ୍ବିତୀୟ ପରାଜୟ ବରଣ କରିଥିଲା। ନିଜ ପ୍ରଥମ ମ୍ୟାଚ୍ରେ ଏହି ଦଳ ଆୟୋଜକ ଭାରତଠାରୁ ଗୋଟିଏ ଗୋଲ୍ ବ୍ୟବଧାନରେ ପରାଜିତ ହୋଇଥିଲା। ମ୍ୟାଚ୍ ପୂର୍ବରୁ ପୂର୍ବତନ ଫୁଟବଲ୍ ଖେଳାଳି ଗୀତାଞ୍ଜଳି ଖୁଣ୍ଟିଆ ଅତିଥି ଭାବେ ଯୋଗ ଦେଇ ଖେଳାଳିଙ୍କ ସହ ପରିଚୟ ହୋଇଥିଲେ।