ନୋ ବଲ୍ ବିବାଦ, ନାଟକୀୟ ଶେଷ ଓଭର

ସିଏସ୍‌କେ-ଆର୍‌ଆର୍‌ ମ୍ୟାଚ୍‌ର ଶେଷ ଓଭର ବେଶ୍ ନାଟକୀୟ ଭରା ରହିଥିଲା। ବେନ୍ ଷ୍ଟୋକ୍ସଙ୍କ ଏହି ଓଭରରେ ଦୁଇଟି ଛକା, ଗୋଟିଏ ନୋ’ ବଲ୍, ଅମ୍ପାୟାରଙ୍କ ଗୁରୁତର ତ୍ରୁଟି, ଧୋନି ପଡ଼ିଆ ଭିତରକୁ ପ୍ରବେଶ କରି ଯୁକ୍ତି ତର୍କ କରିବା ଭଳି ଘଟଣା ଘଟିଥିଲା। ସେଥିପାଇଁ ଆାଇପିଏଲ୍  ଇତିହାସର ଏହା ଅନ୍ୟତମ ବିବାଦୀୟ ଶେଷ ଓଭର ହୋଇଥିଲା। ଷ୍ଟୋକ୍ସଙ୍କ ଏହି ଓଭରରେ ଚେନ୍ନାଇକୁ ବିଜୟ ପାଇଁ ୧୮ ରନ୍‌ର ଦରକାର ଥିଲା। କ୍ରିଜରେ ଧୋନିଙ୍କ ସହ ରବୀନ୍ଦ୍ର ଜାଦେଜା ଥିଲେ। ପ୍ରଥମ ବଲ୍‌କୁ ଜାଦେଜା ଛକା ମାରିଥି‌ଲେ। ହେଲେ ସଟ୍ ମାରିବା ପରେ ପରେ ପଡ଼ିଯାଇଥିଲେ। ବଲ୍ କାଳେ ତାଙ୍କ ଦେହରେ ବାଜିବ ଆଶଙ୍କା‌ରେ ଷ୍ଟୋକ୍ସ ମଧ୍ୟ ନିଜ ଫଲୋ ଥ୍ରୁରେ ‌ଶୋଇ ପଡ଼ିଥିଲେ। ଦ୍ବିତୀୟ ବଲ୍ ନୋ’ ବଲ୍ ଥିଲା। ଜାଦେଜା ଏଥିରୁ ସିଙ୍ଗଲ ନେଇ ଥିଲେ। ପରେ ଧୋନି ଫ୍ରି-ହିଟ୍ ଖେଳି ଦୁଇ ରନ୍ ନେଇଥି‌ଲେ। ତୃତୀୟ ବଲ୍‌ରେ କିନ୍ତୁ ଷ୍ଟୋକ୍ସ ଏକ ଜବରଦସ୍ତ ୟର୍କରରେ ଧୋନିଙ୍କୁ ବୋଲ୍ଡ କରି ଦେଇଥିଲେ। ଚତୁର୍ଥ ବଲ୍ ବେଳେ ଏକ ଅଜବ ଘଟଣା ଦେଖିବାକୁ ମିଳିଥିଲା। ଅଣ୍ଟା ଉପରେ ଥିବା ବଲ୍‌କୁ ଅମ୍ପାୟାର ପ୍ରଥମେ ନୋ’ ବଲ୍ ଡାକିବା ପରେ ମାତ୍ର କିଛି କ୍ଷଣ ପରେ ଏହାକୁ ବଦଳାଇ ଦେଇଥିଲେ। ଫଳରେ ଉତକ୍ଷିପ୍ତ ଧୋନି ପଡ଼ିଆ ଭିତରକୁ ଯାଇ ଏହା ବିରୋଧରେ ତୀବ୍ର ସ୍ବର ଉତ୍ତୋଳନ କରିଥିଲେ। ଏଥିପାଇଁ ଦୁଇ ଅମ୍ପାୟାର ଏବଂ ‌ଷ୍ଟୋକ୍ସଙ୍କ ସହ ତାଙ୍କର କିଛି ସମୟ ଯୁକ୍ତି ତର୍କ ହୋଇଥିଲା। ହେଲେ ଅମ୍ପାୟାର ପୁଣି ଥରେ ନିଜ ନିଷ୍ପତ୍ତି ବଦଳାଇ ନଥିଲେ। ପଞ୍ଚମ ବଲ୍‌ରେ ସାଣ୍ଟନର ୨ ରନ୍ ନେବା ପରେ ଷ୍ଟୋକ୍ସ ୱାଇଡ୍ ପକାଇଥିଲେ। ଫଳରେ ପ୍ରଥମ ୫ ବଲ୍‌ରେ ଚେନ୍ନାଇକୁ ୧୫ ରନ୍ ମିଳି ଯାଇଥିଲା। ଶେଷ ବଲ୍‌ରୁ ବିଜୟ ପାଇଁ ଆଉ ମାତ୍ର ୩ ରନ୍‌ର ଦରକାର ଥିଲା। ସାଣ୍ଟନର ଷ୍ଟୋକ୍ସଙ୍କ ଅଫ୍ ଷ୍ଟମ୍ପ ବାହାରେ ଥିବା ଏହି  ବଲରୁ ଲଙ୍ଗ ଅନ୍ ଉପରେ ଛକା ମାରି ଚେନ୍ନାଇକୁ ସ୍ମରଣୀୟ ବିଜୟ ଉପହାର ଦେଇଥିଲେ। ସଂଯୋଗବଶତଃ ରାଜସ୍ଥାନ ମଧ୍ୟ ତାର ଶେଷ ଓଭରରେ ଠିକ୍ ୧୮ ରନ୍ ନେଇଥିଲା।

ସମ୍ବନ୍ଧିତ ଖବର