ଶେଷ ଦଳ ଭାବେ କ୍ୱାର୍ଟର୍‌ରେ ନିରୋକା 

କେରଳ ୨-୩ରେ ହାରିଲା

ଭୁବନେଶ୍ୱର: ଶେଷ ଦଳ ଭାବେ ନିରୋକା ଏଫ୍‌ସି ଚଳିତ ସୁପର କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର କ୍ୱାର୍ଟର୍‌ ଫାଇନାଲ୍‌ରେ ପହଞ୍ଚିଛି। ୧୩ ତାରିଖରେ ଖେଳାଯିବାକୁ ଥିବା ଶେଷ କ୍ୱାର୍ଟର୍‌ ଫାଇନାଲରେ ଏହି ମଣିପୁରୀ ଦଳର ଭେଟ ବେଙ୍ଗାଲୁରୁ ଏଫ୍‌ସି ସହ ହେବ। ଶୁକ୍ରବାର କଳିଙ୍ଗ ଷ୍ଟାଡିିୟମରେ ଖେଳାଯାଇଥିବା ଅନ୍ତିମ ପ୍ରି-କ୍ୱାର୍ଟର୍‌ ଫାଇନାଲ୍‌ରେ ଚଳିତ ବର୍ଷର ଆଇଲିଗ୍‌ ଉପବିଜେତା ନିରୋକା ଏଫ୍‌ସି ୩-୨ ଗୋଲ୍‌ରେ ଦୁଇ ଥରର ଆଇଏସ୍‌ଏଲ୍‌ ଉପବିଜେତା କେରଳ ବ୍ଲାଷ୍ଟର୍ସକୁ ପରାସ୍ତ କରିଦେଇଛି। କେରଳ ଆଇଏସ୍‌ଏଲ୍‌ ପଏଣ୍ଟ୍‌ ତାଲିକାର ଷଷ୍ଠ ସ୍ଥାନରେ ଏବଂ ନିରୋକା ଆଇଲିଗ୍‌ରେ ଦ୍ୱିତୀୟ ସ୍ଥାନରେ ରହି ଏଠାକୁ ଆସିଥିଲା। ଶୁକ୍ରବାର ପ୍ରଥମେ କେରଳ ବ୍ଲାଷ୍ଟ୍‍ର୍ସ ବଲ୍‌ ଗଡ଼ାଇଥିଲା। ଆରମ୍ଭରୁ ହିଁ ଏହି ଦଳ ଆକ୍ରମଣ କରିଥିଲା। ଏହାର ଫଳ ଦଶମ ମିନିଟ୍‌ରେ ମିଳିଥିଲା। ନିରୋକାର ଗୋଲ୍‌ ପୋଷ୍ଟ୍‍ ନିକଟରେ ଗୌରମାଙ୍ଗି ସିଂହଙ୍କ ହାତରେ ବଲ୍‌ ବାଜିବାରୁ କେରଳକୁ ପେନାଲ୍‌ଟି ମିଳିଥିଲା। ଏହି ସୁଯୋଗକୁ କେରଳର ସ୍ପେନ୍‌ ତାରକା ଭିକ୍ଟର ହିରେରୋ ଫର୍କାଡା (୧୧ ମିନିଟ୍‌) ହାତଛଡ଼ା ନକରି ସିଧା ଗୋଲ୍‌ପୋଷ୍ଟ୍‍ ଭିତରକୁ ବଲ୍‌ ପଠାଇ ଦେଇଥିଲେ। ଏଥି ସହିତ କେରଳ ଦଳ ୧-୦ରେ ଆଗୁଆ ହୋଇଯାଇଥିଲା। ପ୍ରଥମାର୍ଧ ମଧ୍ୟ ଏହି ସ୍ଥିତିରେ କେରଳ ସପକ୍ଷରେ ରହିଥିଲା। ଦ୍ୱିତୀୟାର୍ଧରେ ପ୍ରଶାନ୍ତ କାରୁଥାଦାଥକୁନି (୪୯ ମିନିଟ୍‌) ଗୋଲ୍‌ ଦେଇ କେରଳକୁ ୨-୦ରେ ଆଗୁଆ କରିଥିଲେ। ତେବେ ୭୦ ମିନିଟ୍‌ରେ ନିରୋକାର ଫ୍ରାନ୍ସ ଖେଳାଳି ଜିଆନ୍‌ ମାଇକେଲ ଜୋଆଚିମ୍‌ ଗୋଟିଏ ଗୋଲ୍‌ ଶୁଝି ଦେଇଥିଲେ। ଏହାପରେ ନିରୋକା ମ୍ୟାଚ୍‌କୁ ଜବରଦସ୍ତ ପ୍ରତ୍ୟାବର୍ତନ କରି କେରଳ ଗୋଲ୍‌ପୋଷ୍ଟ୍‍ ଉପରେ ଘନଘନ ଅକ୍ରମଣ କରିଥିଲା। ଏହାର ଫାଇଦା ନେଇ ୭୯ ମିନିଟ୍‌ରେ ଅଷ୍ଟ୍ରେଲୀୟ ତାରକା ଆରିନ୍‌ ଗ୍ଲେନ୍‌ ଓ୍ଵିଲିୟମ୍ସ ଦ୍ୱିତୀୟ ଗୋଲ୍‌ ଶୁଝି ସ୍ଥିତି ସମାନ କରି ଦେଇଥିଲେ। ୮୧ ମିନିଟ୍‌ରେ ହ୍ୟାଣ୍ଡ୍‌ବଲ୍‌ ହେବାରୁ ନିରୋକାକୁ ପେନାଲ୍‌ଟି ମିଳିଥିଲା। ଏହାକୁ ନାଇଜେରୀୟ ତାରକା ଫେଲିକ୍ସ ଓଦିଲି ଚିଡି (୮୨ ମିନିଟ୍‌) ସଫଳତା ସହ ଗୋଲ୍‌ରେ ପରିଣତ କରି ନିରୋକାକୁ ୩-୨ରେ ଅଗୁଆ କରିଥିଲେ। ଏହା ପରେ ଉଭୟ ଦଳ ଆକ୍ରମଣ ଓ ପ୍ରତିଆକ୍ରମଣ ଜାରି ରଖି ବହୁ ସୁଯୋଗ ପାଇଥିଲେ। କିନ୍ତୁ ଗୋଲ୍‌ କରିବାରେ ବିଫଳ ହୋଇଥିଲେ। ଶେଷରେ ନିରୋକା ମ୍ୟାଚ୍‌ ଜିତି ନେଇଥିଲା। ଜିଆନ୍‌ ମାଇକେଲ ଜୋଆଚିମ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇଥିଲେ।

ଶନିବାରର ଦିନିକିଆ ବିରତି ପରେ ରବିବାରଠାରୁ କ୍ୱାର୍ଟର୍‌ ଫାଇନାଲ୍‌ ପର୍ଯ୍ୟାୟ ଆରମ୍ଭ ହେବ। ରବିବାର ଗୋଟିଏ ମ୍ୟାଚ୍‌ ପରେ ଦୁଇ ଦିନ ବିରତି ରହିଛି। ବୁଧବାରଠାରୁ ପୁଣି ଥରେ କ୍ୱାର୍ଟର୍‌ ଫାଇନାଲ୍‌ ମୁକାବିଲା ଆରମ୍ଭ ହୋଇ ୧୩ ତାରିଖରେ ଶେଷ ହେବ। ୧୬ ଓ ୧୭ ତାରିଖର ସେମିଫାଇନାଲ୍‌ ପରେ ୨୦ ତାରିଖରେ ଫାଇନାଲ୍‌ ଖେଳାଯିବ।

ସମ୍ବନ୍ଧିତ ଖବର