ଆଝାରୁଦ୍ଦିନ ଷ୍ଟାଣ୍ଡ୍‌ ଉଦ୍‌ଘାଟନ କଲେ ଲକ୍ଷ୍ମଣ

ହାଇଦ୍ରାବାଦ୍: ଭାରତର ମହାନ କ୍ରିକେଟ୍‌ର ଭିଭିଏସ୍ ଲକ୍ଷ୍ମଣ ଶୁକ୍ରବାର ମହମ୍ମଦ ଆଝାରୁଦ୍ଦିନ ଷ୍ଟାଣ୍ଡ୍‌କୁ ଉଦ୍‌ଘାଟନ କରିଛନ୍ତି। ହାଇଦ୍ରାବାଦ୍‌ର ରାଜୀବ ଗାନ୍ଧି ଷ୍ଟାଡିୟମ୍‌ର ଦକ୍ଷିଣ ଷ୍ଟାଣ୍ଡକୁ ଭାରତର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନ ହାଇଦ୍ରାବାଦ୍ କ୍ରିକେଟ୍ ସଂଘର ସଭାପତି ମହମ୍ମଦ ଆଝାରୁଦ୍ଦିନଙ୍କ ନାମରେ ନାମିତ କରାଯାଇଛି। ଭାରତ-ଵେଷ୍ଟଇଣ୍ଡିଜ୍ ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ପୂର୍ବରୁ ଲକ୍ଷ୍ମଣ ଫିତା କାଟି ଏହାର ଉଦ୍‌ଘାଟନ କରିଥି‌ଲେ। ଏହି ଅବସରରେ ଭାରତର ପୂର୍ବତନ ଅପ୍ ସ୍ପିନର ନୋଏଲ୍ ଡେଭିଡ୍, ଭେଙ୍କଟପତି ରାଜୁ ଓ ଦ୍ରୁତ ବୋଲର ମହମ୍ମଦ ସିରାଜ୍ ଉପସ୍ଥିତ ଥିଲେ। ଏଭଳି ସମ୍ମାନ ପାଇଁ ମୁଁ ସମ୍ମାନିତ। ମୁଁ ସବୁବେଳେ ଖେଳକୁ ବାସ୍ତବ ଆଧାରରେ ଖେଳିଛି ଏବଂ ଏବେ ହାଇଦ୍ରାବାଦରେ ଖେଳକୁ ଉନ୍ନତ କରିବା ପାଇଁ ଚେଷ୍ଟା କରୁଛି ବୋଲି ଏହି ଅବସରରେ ଆଝାରୁଦ୍ଦିନ କହିଥିଲେ। ଆଝାରୁଦ୍ଦିନ ହାଇଦ୍ରାବାଦ୍ କ୍ରିକେଟ୍ ସଂଘର ସଭାପତି ହେବାପରେ ଭାରତ-ଵେଷ୍ଟଇଣ୍ଡିଜ୍ ଟ୍ବେଣ୍ଟି-୨୦ ମ୍ୟାଚ୍ ହେଉଛି ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍। ଆଝାରୁଦ୍ଦିନ ଭାରତ ପାଇଁ ୯୯ ଟେଷ୍ଟ ଖେଳି ୪୫.୦୪ ହାରରେ ୬୨୧୫ ରନ୍‌ (୨୨ ଶତକ ଓ ୨୧ ଅର୍ଧଶତକ) ଓ ୩୩୪ ଦିନିକିଆ ଖେଳି ୩୬.୯୨ ହାରରେ ୯୩୭୮ ରନ୍(୭ ଶତକ ଓ ୫୮ ଅର୍ଧଶତକ) ହାସଲ କରିଛନ୍ତି।

ସମ୍ବନ୍ଧିତ ଖବର