‘ଓସିଏ’ ପାଇଁ ନେତାଙ୍କ ସଜବାଜ

ସଭାପତି ପଦ ଉପରେ ରାଜନୈତିକ ନଜର, ସମ୍ପାଦକ ଦୌଡ଼ରେ ମାନସ, ପ୍ରଦୀପ

0 43

କଟକ: କ୍ରିକେଟ୍‌ରେ ସଂସ୍କାର ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ପ୍ରକାଶ ପାଇବା ପରେ ଏବେ ଓଡ଼ିଶା କ୍ରିକେଟ ସଂଘ (ଓସିଏ)ର ନିର୍ବାଚନ ହେବା ପଥ ପରିସ୍କାର ହୋଇଛି। ହେଲେ ସଂଘର ସବୁଠୁ ଶକ୍ତିଶାଳୀ ପଦରେ କିଏ ବସିବ ତାହାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ପୂର୍ବତନ କ୍ରିକେଟର୍‌ ତଥା ପ୍ରଶିକ୍ଷକ ମାନସ ରାୟ ଏବଂ ଆଶୀର୍ବାଦ ବେହେରାଙ୍କ ସାନ ପୁଅ ତଥା ଫାଓ ସଂପାଦକ ସଂଜୟ ବେହେରାଙ୍କ ମଧ୍ୟରୁ ଜଣଙ୍କୁ ସମ୍ପାଦକ କରାଇବା ପାଇଁ ଉଦ୍ୟମ ଚାଲିଥିବା ସୂଚନା ମିଳିଛି। ତେବେ ଅଦାଲତଙ୍କ ନିର୍ଦେଶ ମୁତାବକ କ୍ରିକେଟ ବ୍ୟତୀତ ଅନ୍ୟ ସଂଘରେ ସଦସ୍ୟ ଥିଲେ ସେ ନିର୍ବାଚନ ଲଢିପାରିବେନି। ଏପରି ସ୍ଥିତିରେ ସଂଜୟଙ୍କୁ ଫାଓ ଛାଡ଼ିବାକୁ ପଡ଼ିବ। ଏହାଛଡ଼ା ବାରବାଟୀ ଜମି ମାମଲାରେ ‘କନ୍‌ଫ୍ଲିକ୍ଟ ଅଫ୍‌ ଇଣ୍ଟରେଷ୍ଟ’ରେ ଛନ୍ଦି ହୋଇଥିବା ଯୋଗୁଁ ସଂଜୟଙ୍କୁ ଓସିଏ ସମ୍ପାଦକ ପଦବି ମିଳିବା ଦ୍ୱନ୍ଦ୍ୱ ଆସୁଛି।

ଅଲିମ୍ପିକ୍‌ ସଂଘ ବିବାଦ ବେଳେ ପୂର୍ବତନ ସମ୍ପାଦକ ଅଶୀର୍ବାଦ ବେହେରା ଯଦିଓ କାଗଜପତ୍ରରେ ସଂଘଠୁ ଦୂରେଇ ରହିଛନ୍ତି, ହେଲେ ଏବେବି ଏହାକୁ ନିଜ ନିୟନ୍ତ୍ରଣରେ ରଖିପାରିଛନ୍ତି। ସମ୍ପାଦକ ପଦବି ସହ ଅନ୍ୟ ପଦପଦବିରେ କିଏ ରହିବ ତାହା ତାଙ୍କ ଇଙ୍ଗିତରେ ହୋଇଥିଲା ବୋଲି କୁହାଯାଉଛି। ସେହିପରି ସବୁଠାରୁ ଧନୀ ସଂଘ ଓସିଏର ନିୟନ୍ତ୍ରଣକୁ ମଧ୍ୟ ନିଜ ହାତମୁଠାରେ ରଖିବାକୁ ଆଶୀର୍ବାଦ ଚାହିଁବେ। ଗତବର୍ଷଠୁ ସେ ସମ୍ପାଦକ ପଦରୁ ଓହରିଯାଇଥିଲେ ବି ଓସିଏର ପ୍ରତ୍ୟେକ ବୈଠକ ଓ ନିଷ୍ପତ୍ତିରେ ତାଙ୍କର ପରୋକ୍ଷ ସଂପୃକ୍ତି ରହୁଛି। ତେଣୁ କୋର୍ଟଙ୍କ ନିର୍ଦେଶ ପରେ ନୂଆ କର୍ମକର୍ତ୍ତା ନିର୍ବାଚନ ପାଇଁ ଓସିଏ ସଜବାଜ ହେଉଥିବା ବେଳେ କିଏ ସମ୍ପାଦକ ପଦରେ ରହିବ ତାହାକୁ ନେଇ କିଛି ଦିନ ଆଗରୁ ଯୋଜନା କରାଯାଇଥିବା ଜଣାପଡ଼ିଛି। ନିୟମ ଅନୁଯାୟୀ ସଂଜୟ ଅଯୋଗ୍ୟ ହେଉଥିବାରୁ ଏଭଳିସ୍ଥିତିରେ ମାନସ ରାଏ ଆଶୀର୍ବାଦ ବେହେରାଙ୍କ ସମର୍ଥିତ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଚାଲିଛି। ଅନ୍ୟପକ୍ଷରେ ଆଶୀର୍ବାଦଙ୍କ ବିପକ୍ଷ ଗୋଷ୍ଠୀମାନଙ୍କ ମଧ୍ୟରେ ସବୁଠୁ ଆଗରେ ରହୁଥିବା ୟୁନିଅନ୍‌ ସ୍ପୋର୍ଟିଂ କ୍ଲବ୍‌ ସମ୍ପାଦକ ତଥା ବ୍ୟବସାୟୀ ପ୍ରଦୀପ ଚୌହାନ ଓସିଏ ସମ୍ପାଦକ ପଦ ଦୌଡ଼ରେ ଅନ୍ୟତମ ଦାବିଦାର ଥିବା କୁହାଯାଉଛି। ପୂର୍ବରୁ ସେ ୨୦୦୪ରେ ଓସିଏ କୋଷାଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲା ବେଳେ ୨୦୦୦ ମସିହାରେ ଯୁଗ୍ମ ସଂପାଦକ ଓ ୨୦୦୮ରେ ରଂଜୀବ ବିଶ୍ୱାଳଙ୍କ ବିପକ୍ଷରେ ସଭାପତି ପଦ ପାଇଁ ନିର୍ବାଚନ ଲଢି ପରାସ୍ତ ହୋଇଥିଲେ। ଏବେ ଆଶୀର୍ବାଦ ଓ ତାଙ୍କ ପରିବାର ଏକଚାଟିଆ ନୀତିରେ ଅତିଷ୍ଠ ହୋଇ କେତେକ ଜିଲ୍ଲା ସଂଘ ପ୍ରଦୀପଙ୍କ ଆଡ଼କୁ ଢଳୁଥିବା ଶୁଣିବାକୁ ମିଳୁଛି। କିନ୍ତୁ ଶେଷ ମୁହୂର୍ତ୍ତରେ ଆଶୀର୍ବାଦ ତାଙ୍କର ପୁରୁଣା ଗୋଟି ଚଳାଇବା କୌଶଳରେ ସଫଳ ହୋଇପାରନ୍ତି।

ସଭାପତି ପଦ ପାଇଁ କିନ୍ତୁ ରାଜନୈତିକ ଛକାପନ୍‌ଝା ଲାଗିରହିବା ଆଶା କରାଯାଉଛି। ଏଥିପାଇଁ ପୂର୍ବତନ କ୍ରିକେଟର ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନାମ ଶୁଣିବାକୁ ମିଳୁଛି। ଯଦିଓ ସେ ଏବେ ଓସିଏର କୌଣସି ଅନୁବନ୍ଧିତ ସଂସ୍ଥାକୁ ପ୍ରତିନିଧିତ୍ୱ କରୁନାହାନ୍ତି, ତଥାପି ବିଜେପି ପକ୍ଷରୁ ତାଙ୍କୁ ପୂର୍ଣ୍ଣ ସମର୍ଥନ ମିଳୁଥିବା କୁହାଯାଉଛି। ଜଣେ କେନ୍ଦ୍ରମନ୍ତ୍ରୀଙ୍କ ସମର୍ଥନରେ ତାଙ୍କୁ ପ୍ରାର୍ଥୀ କରାଇବାକୁ ଓସିଏର ଜଣେ ପୂର୍ବତନ କର୍ମକର୍ତ୍ତାଙ୍କ ଉପରେ ଚାପ ପକାଯାଉଥିବା ଆଲୋଚନା ହେଉଛି। ଏଭଳି ହେଲେ ବିଜେଡି ମଧ୍ୟ ଚୁପ୍‌ ରହିବ ନାହିଁ ଏବଂ ଦଳ ମଧ୍ୟ କୌଣସି ପ୍ରାର୍ଥୀ ଚୟନ କରିପାରେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟ ଓସିଏର ଏହି ଉଚ୍ଚ ପଦକୁ ଆଖେଇଥିବା କୁହାଯାଉଛି। ଅନ୍ୟତମ ସଭାପତି ପ୍ରାର୍ଥୀ ଭାବେ ଆନ୍ତର୍ଜାତିକ କ୍ରିକେଟର ଦେବାଶିଷ ମହାନ୍ତିଙ୍କ ନାମ ମଧ୍ୟ ଶୁଣିବାକୁ ମିଳୁଛି। ସେ ଏବେ ରାଜ୍ୟ ରଣଜୀ ଦଳର ପ୍ରଶିକ୍ଷକ ଦାୟିତ୍ୱରେ ଅଛନ୍ତି। ଖେଳାଳି ସଂଘ ପାଇଁ ଲୋଧା ସମିତି ଜୋର୍‌ ଦେଇଥିଲା ବେଳେ ସେତେବେଳେ ଦେବାଶିଷ ମହାନ୍ତିଙ୍କୁ ଉକ୍ତ ସଂଘର ସଭାପତି କରାଇବା ପାଇଁ ଉଚ୍ଚସ୍ତରରେ ଆଲୋଚନା ହୋଇଥିଲା। ଏହାକୁ ଆଧାରକରି ଓସିଏ ସଭାପତି ପାଇଁ ତାଙ୍କୁ ଅନ୍ୟତମ ବିକଳ୍ପ ଭାବେ ବିବେଚନା କରାଯାଉଛି। ହେଲେ ସବୁବେଳେ ବିବାଦଠୁ ଦୂରେଇ ରହିବାକୁ ଦେବାଶିଷ ପସନ୍ଦ କରୁଥିବା ବେଳେ ଏବେ ସେ ନାଲ୍‌କୋରେ କାର୍ଯ୍ୟରତ। ତେଣୁ ଦେବାଶିଷ କ୍ରିକେଟ ଦୁନିଆରେ ତିଷ୍ଠିବାକୁ ହେଲେ ହୁଏତ ସମଦୂରତା ରଖିପାରନ୍ତି। ସେହିପରି ସଂଘର ଅନ୍ୟ ପଦପଦବିରେ ବସିବା ପାଇଁ ବହୁ କ୍ଷମତାଶାଳୀ ବ୍ୟକ୍ତି ଇତିମଧ୍ୟରେ ପ୍ରସ୍ତୁତି ଆରମ୍ଭ କରିଦେଲେଣି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.