ଗୋଡ଼ କ୍ରିକେଟ୍‌ରେ ଚନ୍ଦନ ଚମକ

ଲେଗ୍‌ କ୍ରିକେଟ୍‌ର ବିକାଶ ଏବଂ ପ୍ରଚାର ପ୍ରସାର ଲାଗି ସ୍ଥାନୀୟ ଗଣମାଧ୍ୟମ ସହ ସରକାର ମଧ୍ୟ ଆଗେଇ ଆସିବା ଦରକାର। ଏହି ଖେଳକୁ ପ୍ରୋତ୍ସାହନ ଏବଂ ଉତ୍ସାହର ଢେର ଆବଶ୍ୟକତା ରହିଛି। ଆନୁଷ୍ଠାନିକ ସ୍ୱୀକୃତି ମିଳିଲେ ଯାଇ ଏହି ନିଆରା ଖେଳ ଆଗକୁ ବଢ଼ି ପାରିବ। ଭାରତରେ ଜନ୍ମିତ ଏକ ଖେଳ ବିଶ୍ୱସ୍ତରରେ ପରିଚିତ ହୋଇ ପାରିବ।’
ଭୁବନେଶ୍ୱର: ଗୋଡ଼ରେ କ୍ରିକେଟ୍‌, ଏ କଥା ଶୁଣିଲେ ଟିକିଏ ଅଡ଼ୁଆ ଅଡ଼ୁଆ ଲାଗେ। ମନରେ ନାନା ପ୍ରକାର ଦ୍ୱନ୍ଦ୍ୱ ସୃଷ୍ଟି ହୁଏ। ହେଲେ କ୍ରିକେଟ୍‌ର ଏଭଳି ଏକ ନିଆରା ରୂପ ଧିରେ ଧିରେ ଓଡ଼ିଶା ସହ ସମଗ୍ର ଭାରତ ବର୍ଷରେ ଲୋକପ୍ରିୟ ହେବାରେ ଲାଗିଛି। ଗୋଡ଼ କ୍ରିକେଟ୍‌ ବା ଲେଗ୍‌ କ୍ରିକେଟ୍‌ ନାମରେ ପରିଚିତ ଏହି ଖେଳର ଜାତୀୟ ଅଧିନାୟକ ମଧ୍ୟ ଓଡ଼ିଶାର ଜଣେ ଖେଳାଳି। ବରଗଡ଼ ଜିଲ୍ଲାର ଚନ୍ଦନ ରାୟ କେବଳ ଭାରତୀୟ ଲେଗ୍‌ କ୍ରିକେଟ୍‌ ଦଳର ଅଧିନାୟକ ନାହାନ୍ତି ଏହାକୁ ଲୋକପ୍ରିୟ କରାଇବାରେ ମଧ୍ୟ ସେ ନିଜକୁ ସଂପୂର୍ଣ୍ଣ ନିୟୋଜନ କରିଛନ୍ତି।
ଲେଗ୍‌ କ୍ରିକେଟ୍‌ର ଅନେକ ସାମଞ୍ଜସ୍ୟ ସାଧାରଣ କ୍ରିକେଟ୍‌ ସହ ରହିଛି। ଖେଳାଳି ସଂଖ୍ୟା ସହ ରନ୍‌ ସଂଗ୍ରହ ପ୍ରକ୍ରିୟା ଉଭୟ ଖେଳରେ ପ୍ରାୟ ସମାନ। ହେଲେ ଲେଗ୍‌ କ୍ରିକେଟ୍‌ ୮୦ରୁ ୧୨୦ ଫୁଟ ବ୍ୟାସାର୍ଧ ବିଶିଷ୍ଟ ପଡ଼ିଆରେ ଖେଳାଯାଇଥାଏ। ପିଚ୍‌ର ଓସାର ୮ ଫୁଟ ହୋଇଥିଲା ବେଳେ ବୟସ ବର୍ଗ ଆଧାରରେ ଏହାର ଲମ୍ବ ୪୨ ଫୁଟରୁ ୪୮ ଫୁଟ ମଧ୍ୟରେ ରହିଥାଏ। ଏହି ଖେଳ ସଂପ୍ରତି କେବଳ ନେପାଳ, ଭୂଟାନ, ଶ୍ରୀଲଙ୍କା ଓ ଭାରତରେ ଖେଳା ଯାଉଛି। ହେଲେ ଖୁବଶୀଘ୍ର ବିଶ୍ୱର ଅନ୍ୟ ଦେଶଗୁଡ଼ିକୁ ସଂପ୍ରସାରିତ ହେବାର ସମ୍ଭାବନା ରହିଛି। ସାଧାରଣ କ୍ରିକେଟ୍‌ର ବିପରୀତ ଏଥିରେ ବୋଲିଂ ଅଣ୍ଡର ଆର୍ମ ବା ବାହୁ ତଳେ କରାଯାଇଥାଏ। ଗୋଡ଼ ବ୍ୟାଟ୍‌ର କାମ କରିଥାଏ ଏବଂ ବ୍ୟାଟ୍ସମ୍ୟାନଙ୍କୁ ଲେଗ୍‌ମ୍ୟାନ୍‌ କୁହାଯାଇଥାଏ। ପାଳି ଆରମ୍ଭରୁ ଲେଗ୍‌ମ୍ୟାନ୍‌ କେଉଁ ଗୋଡ଼ରେ ବ୍ୟାଟିଂ କରିବେ ତାହା ଅମ୍ପାୟାରଙ୍କୁ ଜଣାଇ ଦେଇ ଥାଆନ୍ତି। ନିଜ ପାଳି ଭିତରେ ସେହି ଗୋଡ଼ ଛଡ଼ା ଅନ୍ୟ ଗୋଡ଼ରେ ଦୁଇ ଥର ବଲ୍‌କୁ ଛୁଇଁଲେ ଅମ୍ପାୟାର ସଂପୃକ୍ତ ଖେଳାଳିଙ୍କୁ ଆଉଟ୍‌ ଘୋଷଣା କରନ୍ତି। ସେହିଭଳି ଲେଗ୍‌ମ୍ୟାନ୍‌ ବ୍ୟାଟିଂ ବେଳେ ଦୁଇ ଥର ବଲ୍‌କୁ ଛୁଇଁଲେ ମଧ୍ୟ ଆଉଟ୍‌ ଘୋଷିତ ହୁଅନ୍ତି। ଏହି ଖେଳ ଏବେ ଭାରତର ୧୧ ରାଜ୍ୟରେ ନିୟମିତ ଖେଳା ଯାଉଛି। ଓଡ଼ିଶାରେ ବିଶେଷ କରି ପଶ୍ଚିମ ଓଡ଼ିଶାରେ ଏହା ଅଧିକ ଗ୍ରହଣୀୟ ହୋଇ ପାରିଛି।
ସାଧାରଣରେ ଏପରିକି କ୍ରୀଡ଼ାପ୍ରେମୀଙ୍କ ଉପରେ ଏହି ଖେଳ ଏପର୍ଯ୍ୟନ୍ତ ସେତେଟା ପ୍ରଭାବ ପକାଇ ପାରି ନଥିଲେ ମଧ୍ୟ ଅନ୍ତର୍ଜାତୀୟ ସ୍ତରରେ ଚନ୍ଦନ ନିଜ ଛାପ ଛାଡ଼ି ସାରିଲେଣି। ୨୦୧୨ରେ ବରଗଡ଼ର ବିକାଶ ଅନ୍ତର୍ଜାତୀୟ ସ୍କୁଲରେ ପଢ଼ୁଥିଲା ବେଳେ ହିଁ ସେ ଲେଗ୍‌ କ୍ରିକେଟ୍‌ ସଂସ୍ପର୍ଶରେ ଆସିଥିଲେ। ବର୍ଷକର ଅକ୍ଳାନ୍ତ ପରିଶ୍ରମ ପରେ ୧୯ ବର୍ଷରୁ କମ୍‌ ଦଳ ବାଟ ଦେଇ ଗରିବ ବ୍ୟବସାୟୀ ପରିବାରରୁ ଆସିଥିବା ଚନ୍ଦନ ଜାତୀୟ ବରିଷ୍ଠ ଦଳରେ ପହଞ୍ଚି ଯାଇଥିଲେ। ଏପରିକି ୨୦୧୩ରେ ନେପାଳ ବିପକ୍ଷ ଶୃଙ୍ଖଳାରେ ତାଙ୍କୁ ଭାରତୀୟ ଦଳର ଅଧିନାୟକ ନିଯୁକ୍ତ କରାଯାଇଥିଲା। ସେବେଠାରୁ ସେ ଏହି ପଦରେ ଅବସ୍ଥାପିତ ଅଛନ୍ତି। ତାଙ୍କ ନେତୃତ୍ୱରେ ଭାରତ ନେପାଳ ଶୃଙ୍ଖଳାକୁ ଏକତରଫା ଭାବେ ଜିତି ନେଇଥିଲା। ଚନ୍ଦନ ଏ ପର୍ଯ୍ୟନ୍ତ ୭ଟି ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିନିଧିତ୍ୱ କରି ସାରିଲେଣି। ୨୦୧୩ରେ ଦ୍ୱିତୀୟ ଜାତୀୟ ଲେଗ୍‌ କ୍ରିକେଟ୍‌ ପ୍ରତିଯୋଗିତା, ହରିଆଣାରେ ୨୦୧୪ରେ ଅନୁଷ୍ଠିତ ତୃତୀୟ ଜାତୀୟ ଲେଗ୍‌ କ୍ରିକେଟ୍‌ ପ୍ରତିଯୋଗିତା, ଗତବର୍ଷ ନେପାଳର ପୋଖରାରେ ଅନୁଷ୍ଠିତ ପ୍ରଥମ ଦକ୍ଷିଣ ଏସୀୟ ଲେଗ୍‌ କ୍ରିକେଟ୍‌ ପ୍ରତିଯୋଗିତା, ନୂଆଦିଲ୍ଲୀରେ ଅନୁଷ୍ଠିତ ଷଷ୍ଠ ଜାତୀୟ ଲେଗ୍‌ କ୍ରିକେଟ୍‌ ପ୍ରତିଯୋଗିତା ଏବଂ ଚଳିତ ବର୍ଷ ମଧ୍ୟପ୍ରଦେଶର ଭୋପାଳରେ ଖେଳା ଯାଇଥିବା ସପ୍ତମ ଜାତୀୟ ଲେଗ୍‌ କ୍ରିକେଟ୍‌ ପ୍ରତିଯୋଗିତା ଖେଳି ସେ ନିଜ ଉତ୍କର୍ଷତାର ପରିଚୟ ଦେଇ ସାରିଛନ୍ତି।
ଜଣେ ଆକ୍ରମଣାତ୍ମକ ମଧ୍ୟକ୍ରମ ଲେଗ୍‌ମ୍ୟାନ୍‌ ଏବଂ ସାମୟିକ ବୋଲର ଚନ୍ଦନ ଲେଗ୍‌ କ୍ରିକେଟ୍‌ର ଅନ୍ୟତମ ଚିର୍ଚିତ ତାରକା। ବରଗଡ଼ ଜିଲ୍ଲା ଅତାବିରା ଗାଁର ଦେବେନ୍ଦ୍ର ରାଏ ଏବଂ ସୁମିତ୍ରା ରାଏଙ୍କ ପଞ୍ଚମ ସନ୍ତାନ ଚନ୍ଦନ ପାଠ ପଢ଼ିବା ସହ କ୍ରୀଡ଼ା କ୍ଷେତ୍ରରେ କିଛି କରିବାର ପଣ ନେଇ ଆଗକୁ ବଢ଼ୁଛନ୍ତି। ୨୦ ବର୍ଷୀୟ ଚନ୍ଦନଙ୍କୁ ତାଙ୍କ କ୍ରୀଡ଼ା ଦକ୍ଷତା ପାଇଁ ଏକାଧିକ ପୁରସ୍କାର ମଧ୍ୟ ମିଳିଛି। ଏସ୍‌ଏସିଏଏଫ୍‌-ଇଣ୍ଡିଆ ପକ୍ଷରୁ ଖେଳ ଗୌରବ ପୁରସ୍କାର ଏବଂ ଭାରତୀୟ ଲେଗ୍‌ କ୍ରିକେଟ୍‌ର ଦଳର ଅଧିନାୟକ ଭାବେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ସେ ମହାରାଷ୍ଟ୍ର ସରକାରଙ୍କ ଜନ କଲ୍ୟାଣ ସେବା ସଂସ୍ଥାନ ତରଫରୁ ପୁରସ୍କୃତ ହୋଇଛନ୍ତି।
ଲେଗ୍‌ କ୍ରିକେଟ୍‌କୁ ଲୋକପ୍ରିୟ କରାଇବା ଲାଗି ଦୁଇ ବର୍ଷ ତଳେ ଗଠନ ହୋଇଥିବା ଓଡ଼ିଶା ଲେଗ୍‌ କ୍ରିକେଟ୍‌ ସଂଘର ସଂପାଦକ ଦୁଲାଲ ପ୍ରଧାନ ଆପ୍ରଣ ଉଦ୍ୟମ କରୁଛନ୍ତି। ହେଲେ ଲେଗ୍‌ କ୍ରିକେଟ୍‌ର ବିକାଶ ଏବଂ ପ୍ରଚାର ପ୍ରସାର ଲାଗି ସ୍ଥାନୀୟ ଗଣମାଧ୍ୟମ ସହ ସରକାର ମଧ୍ୟ ଆଗେଇ ଆସିବା ଦରକାର। ଏହି ଖେଳକୁ ପ୍ରୋତ୍ସାହନ ଏବଂ ଉତ୍ସାହର ଢେର ଆବଶ୍ୟକତା ରହିଛି। ଆନୁଷ୍ଠାନିକ ସ୍ୱୀକୃତି ମିଳିଲେ ଯାଇ ଏହି ନିଆରା ଖେଳ ଆଗକୁ ବଢ଼ି ପାରିବ। ଭାରତରେ ଜନ୍ମିତ ଏକ ଖେଳ ବିଶ୍ୱସ୍ତରରେ ପରିଚିତ ହୋଇ ପାରିବ। ବୋଲି କୁହନ୍ତି ରାଏପୁରର ଦିଶା କଲେଜରେ ବି କମ୍‌ ପଢ଼ୁଥିବା ଚନ୍ଦନ।
ସାଧାରଣ କ୍ରିକେଟ୍‌ର ବିପରୀତ ଲେଗ୍‌ କ୍ରିକେଟ୍‌ରେ ବୋଲିଂ ଅଣ୍ଡର ଆର୍ମ ବା ବାହୁ ତଳେ କରାଯାଇଥାଏ। ଗୋଡ଼ ବ୍ୟାଟ୍‌ର କାମ କରିଥାଏ ଏବଂ ବ୍ୟାଟ୍ସମ୍ୟାନଙ୍କୁ ଲେଗ୍‌ମ୍ୟାନ୍‌ କୁହାଯାଇଥାଏ। ପାଳି ଆରମ୍ଭରୁ ଲେଗ୍‌ମ୍ୟାନ୍‌ କେଉଁ ଗୋଡ଼ରେ ବ୍ୟାଟିଂ କରିବେ ତାହା ଅମ୍ପାୟାରଙ୍କୁ ଜଣାଇ ଦେଇ ଥାଆନ୍ତି। ନିଜ ପାଳି ଭିତରେ ସେହି ଗୋଡ଼ ଛଡ଼ା ଅନ୍ୟ ଗୋଡ଼ରେ ଦୁଇ ଥର ବଲ୍‌କୁ ଛୁଇଁଲେ ଅମ୍ପାୟାର ସଂପୃକ୍ତ ଖେଳାଳିଙ୍କୁ ଆଉଟ୍‌ ଘୋଷଣା କରନ୍ତି।

ସମ୍ବନ୍ଧିତ ଖବର