ମୁକୁଟ ବିହୀନ ମହାନ, ମେସି-ରୋନାଲଡୋ

କାଜାନ: ଶନିବାର ରାତିରେ ଆର୍ଜେଣ୍ଟିନା ଏବଂ ପର୍ତୁଗାଲ ବିଦାୟ ନେବା ସହ ସାଂପ୍ରତିକ ଫୁଟ୍‌ବଲ୍‌ର ଦୁଇ ମହାନ ତାରକା ଲିଓନେଲ୍‌ ମେସି ଏବଂ କ୍ରିଷ୍ଟିଆନୋ ରୋନାଲଡୋଙ୍କ ବିଶ୍ୱକପ୍‌ ଜିତିବା ସ୍ୱପ୍ନ ଧୂଳିସାତ୍‌ ହୋଇ ଯାଇଛି। ଉଭୟ ମିଳିତ ଭାବେ ୧୦ଟି ବାଲନ ଡି’ଓର ପୁରସ୍କାର ଜିତିଛନ୍ତି। ହେଲେ ବିଶ୍ୱକପ୍‌ ବିଜୟ ଉଭୟଙ୍କ ପାଇଁ ଅବସୋସ ହୋଇ ରହିଗଲା। ତେବେ ନିଜ ନିଜ ସମୟର ମହାନତମ ଖେଳାଳିଙ୍କ ମଧ୍ୟରେ ପରିଗଣିତ ହେଉଥିଲେ ମଧ୍ୟ ବିଶ୍ୱକପ୍‌ ଜିତି ନଥିବା ହତଭାଗା ଖେଳାଳି ତାଲିକାର ଏମାନେ ଏକା ସଦସ୍ୟ ନୁହନ୍ତି। ଏମିତି ଆହୁରି ଅନେକ ଖେଳାଳି ଅଛନ୍ତି ଯାହାଙ୍କୁ ମହାନ ଖେଳାଳିର ମାନ୍ୟତା ମିଳିଛି। ହେଲେ ସେମାନଙ୍କ ଭାଗ୍ୟରେ କେବେବି ବିଶ୍ୱକପ୍‌ ଜୁଟିନି। କେବେ ସମୟ ତ ଆଉ କେବେ ଦୁର୍ବଳ ସାଥୀ ଏଭଳି ଖେଳାଳିଙ୍କ ବିଶ୍ୱକପ୍‌ ବିଜୟରେ ପ୍ରତିବନ୍ଧକ ହୋଇଛନ୍ତି।

ଆର୍ଜେଣ୍ଟିନା ତାରକା ଲିଓନେଲ୍‌ ମେସି ୨୦୦୬, ୨୦୧୦, ୨୦୧୪ ଓ ୨୦୧୮ ଚାରିଟି ବିଶ୍ୱକପ୍‌ ଖେଳିଲେ। ହେଲେ ତାଙ୍କ ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୨୦୧୪ର ଉପ ବିଜେତାରେ ସୀମିତ ରହିଲା। ଅନୁରୂପ ଭାବେ ପର୍ତୁଗାଲର କ୍ରିଷ୍ଟିଆନ ରୋନାଲଡୋ ବି ଏହି ଚାରିଟି ଯା ବିଶ୍ୱକପ୍‌ ଖେଳିଲେ। ହେଲେ ପର୍ତୁଗାଲକୁ କେବେବି ବିଶ୍ୱକପ୍‌ ଜିତାଇ ପାରିଲେନି। ୟୁରୋପୀୟ ଚାମ୍ପିଅନସିପ୍‌ , ତିନିଟି ଚାମ୍ପିଅନ୍ସ ଲିଗ୍‌ ଟାଇଟଲ ସହ ଅଗଣିତ ପୁରସ୍କାର ଜିତିଥିବା ରୋନାଲଡୋ କେବବି ବିଶ୍ୱକପ୍‌ ଜିତି ନ ପାରିବାର ଦୁଃଖ ନେଇ ବିଦାୟ ନେଲେ। ମେସି ବି ସମଦଶା ଭୋଗିଲେ। ଉଭୟ ଅଲୋଡ଼ା କୀର୍ତିମାନର ସମକକ୍ଷ ହେଲେ। ଦୁଇ ଜଣ ଯାକ ଏ ପର୍ଯ୍ୟନ୍ତ ବିଶ୍ୱକପ୍‌ର ନକ୍‌ ଆଉଟ୍‌ ପର୍ଯ୍ୟାୟରେ ଗୋଲ୍‌ ଦେଇ ନପାରିବାର ଦୁଃଖ ରଖିଛନ୍ତି। ନକ୍‌ ଆଉ୍‌ଟ ପର୍ଯ୍ୟୟରେ ରୋନାଲ୍‌ଡୋ ୬ ମ୍ୟାଚ୍‌ ୫୧୪ ମିନିଟ୍‌ ଖେଳି ୨୫ ସଟ୍‌ ମାରିଥିଲେ ମଧ୍ୟ ଗୋଲ ଶୂନ୍ୟ ରହିଛନ୍ତି। ସେହିଭଳି ମେସି ୮ ମ୍ୟାଚ୍‌ ୭୫୬ ମିନିଟ୍‌ ଖେଳି ୨୩ ସଟ୍‌ ମାରି ଗୋଟିଏ ବି ଗୋଲ୍‌ ଦେବାରେ ସକ୍ଷମ ହୋଇନାହାନ୍ତି।

ପାଓଲୋ ମାଲଦିନି (ଇଟାଲି)
ପାଓଲୋ ମାଲଦିନିଙ୍କ ଅନ୍ତର୍ଜାତୀୟ ଫୁଟବଲ୍‌ ଜୀବନ ଇଟାଲିର ଚାରିଟି ବିଶ୍ୱକପ୍‌ ବିଜୟ ମଧ୍ୟରୁ ଦୁଇଟି (୧୯୮୨ରୁ ୨୦୦୬) ଭିତରେ ପ୍ରସ୍ଫୁଟିତ ହୋଇଥିଲା। ୧୯୯୮ରେ ପ୍ରଥମ ଥର ପାଇଁ ଇଟାଲି ଜାତୀୟ ଦଳର ପ୍ରତିନିଧିତ୍ୱ କରିଥିବା ମାଲଦିନି ୧୯୯୦ ମସିହାରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ ଖେଳିଥିଲେ। ଇଟାଲି ସେହିବର୍ଷ ସେମିଫାଇନାଲରେ ପରାଜିତ ହୋଇଥିଲା। ତୃତୀୟ/ଚତୁର୍ଥ ସ୍ଥାନରେ ବିଜୟୀ ହୋଇ ତୃତୀୟ ସ୍ଥାନ ଅଧିକାର କରି ନେଇଥିଲା। ସେହିଭଳି ୧୯୯୪ ବିଶ୍ୱକପ୍‌ର ଫାଇନାଲରେ ପେନାଲ୍ଟି ସୁଟଆଉଟ୍‌ରେ ହାରି ଯାଇ ବିଶ୍ୱ ବିଜେତା ହେବାର ସୁଯୋଗ ହରାଇଥିଲା। ୧୯୯୮ରେ କ୍ୱାର୍ଟର ଫାଇନାଲ୍‌ ଏବଂ ୨୦୦୨ରେ ପ୍ରି-କ୍ୱାର୍ଟରରୁ ବିଦାୟ ନେଇଥିଲା। ଏହି ଚାରିଟି ଯାକ ବିଶ୍ୱକପ୍‌ ଖେଳିଥିଲେ ମଧ୍ୟ ମାଲଦିନି ବିଶ୍ୱକପ୍‌ ଜିତି ପାରି ନଥିଲେ। ମନୋହର ଖେଳ ଏବଂ ନିଆରା ଶୈଳୀ ପାଇଁ ପ୍ରସିଦ୍ଧ ମାଲଦିନି ଡାହାଣ ଗୋଡ଼ର ଖେଳାଳି ଥିଲେ ମଧ୍ୟ ଇଟାଲିର କେନ୍ଦ୍ରୀୟ ଏବଂ ବାମପଟ ରକ୍ଷଣଭାଗକୁ ସମ୍ଭାଳୁଥିଲେ। ଏସି ମିଲାନ ତରଫରୁ କ୍ଲବ୍‌ ଫୁଟବଲ୍‌ ଖେଳି ସେ ରେକର୍ଡ ୮ ଥର ଫାଇନାଲ୍‌ ଖେଳିଥିଲେ। ସେଥିମଧ୍ୟରୁ ୫ ଥର ବିଜୟୀ ହୋଇଥିଲେ। ୧୨୬ ମ୍ୟାଚ୍‌ରେ ଇଟାଲିର ମାଲଦିନି କିନ୍ତୁ ବିଶ୍ୱକପ୍‌ ଜିତି ନପାରିବାର ବୋଝ ନେଇ ଅବସର ଘୋଷଣା କରିଥିଲେ।

ଜିକୋ (ବ୍ରାଜିଲ)
ବ୍ରାଜିଲର ମହାନ ଖେଳାଳି ଜିକୋ ନିଜ ସମୟର ଜଣେ ଦକ୍ଷ ମଧ୍ୟଭାଗ ଖେଳାଳି ଥିଲେ। ସେ ୧୯୭୮, ୧୯୮୨ ଓ ୧୯୮୬ ବିଶ୍ୱକପ୍‌ ଖେଳିଥିଲେ। ହେଲେ କେବେବି ସେମିଫାଇନାଲ୍‌ ଆଗକୁ ଯାଇ ପାରି ନଥିଲେ। ୧୯୮୨ରେ ବ୍ରାଜିଲକୁ ବିଶ୍ୱର ଶ୍ରେଷ୍ଠ ଦଳ କୁହାଯାଉଥିଲା। ହେଲେ ବ୍ରାଜିଲ ସେଥର ସେମିରେ ଇଟାଲିଠାରୁ ହାରି ବିଦାୟ ନେଇଥିଲା। ‘ହ୍ଵାଇଟ୍‌ ପେଲେ’ ଭାବେ ପରିଚିତ ଜିକୋଙ୍କୁ କିନ୍ତୁ ଫୁଟବଲ୍‌ ଇତିହାସର ଅନ୍ୟତମ ମହାନ ଖେଳାଳିଙ୍କ ମଧ୍ୟରେ ଗଣାଯାଏ। ପାଓଲୋ ରୋସି, ଡିଏଗୋ ମାରାଡୋନା ଓ କେନି ଡଲଗଲିସଙ୍କ ଭଳି ଖେଳାଳିଙ୍କ ସମସାମୟିକ ଜିକୋ ନିଜ ଦଳଗତ ଖେଳ ପାଇଁ ପ୍ରସିଦ୍ଧ ଥିଲେ।

ଆଲ୍‌ଫ୍ରେଡୋ ଡି’ ଷ୍ଟିଫାନୋ (ଆର୍ଜେଣ୍ଟିନା)
ଆଲଫ୍ରେଡୋ ଡି ଷ୍ଟିଫାନୋ ଫୁଟବଲ୍‌ ଇତିହାସର ମହାନ ଖେଳାଳି ତାଲିକାର ଶୀର୍ଷ ୫ରେ ରହିବାର ପୂରା ହକ୍‌ଦାର। ୟୁସେବିଓଙ୍କଠାରୁ ପେଲେ ପର୍ଯ୍ୟନ୍ତ ବହୁ କିମ୍ବଦନ୍ତୀ ଖେଳାଳି ତାଙ୍କୁ ଜଣେ ପୂର୍ଣ୍ଣାଙ୍ଗ ଫୁଟବଲ୍‌ର୍‌ର ମାନ୍ୟତା ଦିଅନ୍ତି। ଖେଳ ବେଳେ ଅଚାନକ ନିଜ ସ୍ଥାନ ବଦଳାଇବାରେ ସେ ପୂରା ଓସ୍ତାଦ ଥିଲେ। ଫ୍ରାନସିସ୍କୋ ଜେଣ୍ଟୋ ଓ ଫେରେଙ୍କ ପୁସକାସଙ୍କ ସହ ମିଶି ୫୦ ଦଶକରେ ସେ ରିଅଲ ମାଦ୍ରିଦକୁ ୫ଟି ୟୁରୋପୀୟ କପ୍‌ ଉପହାର ଦେଇଥିଲେ। ହେଲେ ଦୁର୍ଭଗ୍ୟବଶତଃ ସେ କେବେବି ବିଶ୍ୱକପ୍‌ ଖେଳି ନଥିଲେ। ୟୁସେବିଓ ଆର୍ଜେଣ୍ଟିନାର ନାଗରିକ ଥିଲା ବେଳେ ସେହିଦେଶ ୧୯୫୦ ଓ ୫୪ ବିଶ୍ୱକପ୍‌ ଖେଳିବାକୁ ମନା କରି ଦେଇଥିଲା। ସ୍ପେନରୁ ଖେଳିଲା ବେଳେ ଏହି ଦଳ ୧୯୫୮ ବିଶ୍ୱକପ୍‌ ପାଇଁ ଯୋଗ୍ୟତା ଅର୍ଜନ କରି ପାରି ନଥିଲା। ୧୯୬୨ରେ ସ୍ପେନ୍‌ ଯୋଗ୍ୟତା ହାସଲ କରିଥିଲା ବେଳେ ହେଲେ ଷ୍ଟାଫାନୋ ପ୍ରସ୍ତୁତି ବେଳେ ଆହତ ହୋଇ ଏଥିରୁ ବାଦ ପଡ଼ିଥିଲେ। ସେ ଆର୍ଜେଣ୍ଟିନାରୁ ୬ ମ୍ୟାଚ୍‌ ଖେଳି ୬ ଗୋଲ୍‌ ଦେଇଥିଲେ। କଲମ୍ବିଆରୁ ୪ ମ୍ୟାଚ୍‌ ଖେଳି କୌଣସି ଗୋଲ୍‌ ଦେଇ ପାରି ନଥିଲେ। ଅନ୍ୟପକ୍ଷରେ ୩୧ ମ୍ୟାଚ୍‌ରେ ସ୍ପେନର ପ୍ରତିନିଧିତ୍ୱ କରି ୨୩ ଗୋଲ୍‌ ଦେଇଥିଲେ।

ମାଇକେଲ୍‌ ପ୍ଲାଟିନି (ଫ୍ରାନ୍ସ)
ପ୍ଲାଟିନିଙ୍କୁ ଏବେବି ଫ୍ରାନ୍ସ ଫୁଟ୍‌ବଲର ସର୍ବଶ୍ରେଷ୍ଠ ଖେଳାଳିର ମାନ୍ୟତା ମିଳେ। ୧୯୭୬ରୁ ୮୭ ମଧ୍ୟରେ ସେ ୭୨ ମ୍ୟାଚ୍‌ରେ ଫ୍ରାନ୍ସ ଜାତୀୟ ଦଳର ପ୍ରତିନିଧିତ୍ୱ କରିଥିଲେ। ସେହି ସମୟକୁ ଏବେବି ଫ୍ରାନ୍ସ ଫୁଟ୍‌ବଲର ସ୍ୱର୍ଣ୍ଣିମ ଯୁଗର ଆଖ୍ୟା ମିଳେ। ଫ୍ରାନ୍ସ ୧୯୮୪ ୟୁରୋକପ୍‌ ଜିତିଥିଲା। ସେଥିରେ ପ୍ଲାଟିନି ୯ ଗୋଲ୍‌ କରିଥିଲେ। ଏହା ସତ୍ତ୍ୱେ ୧୯୮୨ ଏବଂ ୧୯୮୬ରେ ଫ୍ରାନ୍ସ ବିଶ୍ୱକପ୍‌ର ସେମିଫାଇନାଲ ଆଗକୁ ବଢ଼ି ପାରି ନଥିଲା। ମଧ୍ୟଭାଗରେ ଖେଳି ସର୍ବାଧିକ ଗୋଲ୍‌ ଦେଇଥିବା ଖେଳାଳି ତାଲିକାରେ ପ୍ଲାଟିନି ସର୍ବକାଳୀନ ଶ୍ରେଷ୍ଠ। ୫୮୦ କ୍ଲବ୍‌ ମ୍ୟାଚ୍‌ରୁ ସେ ୩୧୨ ଗୋଲ୍‌ ଦେଇଛନ୍ତି। ୪୩୨ ଲିଗ୍‌ ମ୍ୟାଚ୍‌ରେ ମଧ୍ୟ ସେ ୨୨୩ ଗୋଲ୍‌ କରିଛନ୍ତି। ୨୦ ବର୍ଷ ଧରି ସେ ଫ୍ରାନ୍ସ ଜାତୀୟ ଦଳର ସର୍ବାଧିକ ଗୋଲ୍‌ ସ୍କୋରର ଥିଲେ। ପ୍ଲାଟିନି ମାତ୍ର ଥରେ ୟୁରୋପୀୟ ଚାମ୍ପିଅନସିପ୍‌ ଖେଳିଥିଲେ। ହେଲେ ଏବେବି ଏହାର ସର୍ବାଧିକ ଗୋଲ୍‌ ସ୍କୋରର ହୋଇ ରହିଛନ୍ତି।

ୟୁସେବିଓ (ପର୍ତୁଗାଲ)
ପର୍ତୁଗାଲ ୧୯୬୨ ଏବଂ ୧୯୭୦ରେ ବିଶ୍ୱକପ୍‌ ପାଇଁ ଯୋଗ୍ୟତା ଅର୍ଜନ କରି ନଥିଲା। ତେବେ ୧୯୬୬ ମସିହାରେ ୟୁସେବିଓଙ୍କ ନେତୃତ୍ୱରେ ବିଶ୍ୱକପ୍‌ ଖେଳିଥିଲା। ସେହିବର୍ଷ ପର୍ତୁଗାଲ ସେମିଫାଇନାଲରେ ବିଜେତା ଇଂଲଣ୍ଡଠାରୁ ହାରି ଯାଇଥିଲା। ଏବଂ ୟୁସେବିଓଙ୍କ ବିଶ୍ୱକପ୍‌ ଜିତିବା ସ୍ୱପ୍ନ ମଧ୍ୟ ଉଭେଇ ଯାଇଥିଲା। କ୍ରିଷ୍ଟିଆନୋ ରୋନାଲଡୋଙ୍କୁ ସଂପ୍ରତି ପର୍ତୁଗାଲର ଶ୍ରେଷ୍ଠ ଖେଳାଳି କୁହାଯାଉଛି। ହେଲେ ଅନେକ ଫୁଟବଲ୍‌ ପଣ୍ଡିତ ପର୍ତୁଗାଲରୁ ବାହାରିଥିବା ଖେଳାଳିଙ୍କ ମଧ୍ୟରେ ୟୁସେବିଓଙ୍କୁ ସର୍ବଶ୍ରେଷ୍ଠ ତାରକାର ମାନ୍ୟତା ଦିଅନ୍ତି। ପର୍ତୁଗାଲ ଫୁଟବଲ୍‌ କ୍ଲବ୍‌ ବେନଫିକାରୁ ଖେଳି ୟୁସେବିଓ ୬୦ ଓ ୭୦ ଦଶକରେ ଅଜସ୍ର ସମ୍ମାନ ସାଉଣ୍ଟିଥିଲେ। ୧୯୬୬ ବିଶ୍ୱକପ୍‌ରେ ସେ ଏକାକି ୯ ଗୋଲ୍‌ କରିଥିଲେ। ମୋଜାମ୍ବିକରେ ଜନ୍ମଗ୍ରହଣ କରିଥିବା ୟୁସେବିଓ ଆଫ୍ରିକୀୟ ବଶୋଦ୍ଭବ ଥିଲେ। ଅଗ୍ରଭାଗରେ ଦମ୍‌ଦାର ଖେଳ ସହ ମାର୍ଜିତ ବ୍ୟବହାର ପାଇଁ ସେ ସମସ୍ତଙ୍କ ପ୍ରିୟପାତ୍ର ହୋଇ ପାରିଥିଲେ। ପର୍ତୁଗାଲ ଫୁଟବଲ୍‌ ପ୍ରଶଂସକ ତାଙ୍କୁ ସ୍ନେହରେ ଓ ରେଇ ବା ରାଜା ବୋଲି ଡାକୁଥିଲେ। ପର୍ତୁଗାଲ ପକ୍ଷରୁ ୬୪ ମ୍ୟାଚ୍‌ ଖେଳି ସେ ୪୧ ଗୋଲ୍‌ କରିଥିଲେ। ମୋଟ ୭୪୫ ମ୍ୟାଚ୍‌ରୁ ସେ ୭୩୩ ଗୋଲ୍‌ ଦେଇଥିଲେ।

ରାଉଲ (ସ୍ପେନ୍‌)
ଦକ୍ଷ ଅଗ୍ରଭାଗ ଖେଳାଳି ରାଉଲ ୧୦ ବର୍ଷ ଧରି ସ୍ପେନ ଜାତୀୟ ଦଳର ସଦସ୍ୟ ଥିଲେ। ହେଲେ କୌଣସି ବଡ଼ ପ୍ରତିଯୋଗିତା ଜିତି ପାରି ନଥିଲେ। ୧୯୯୮ରେ ସ୍ପେନ୍‌ ପ୍ରଥମ ପର୍ଯ୍ୟୟରୁ ବିଦାୟ ନେଇଥିଲା। ସେହିଭଳି ୨୦୦୨ରୁ କ୍ୱାର୍ଟର ଏବଂ ୨୦୦୬ରେ ପ୍ରି-କ୍ୱାର୍ଟରରୁ ବିଦାୟ ନେଇଥିଲା। ହେଲେ ବ୍ୟକ୍ତିଗତ ଭାବେ ରାଉଲ ଅନେକ କୀର୍ତ୍ତିମାନ କରିଥିଲେ। ରିଅଲ ମାଦ୍ରିଦରୁ ଖେଳିବାରେ ସେ ସର୍ବକନିଷ୍ଠ ଖେଳାଳି ହୋଇଥିଲେ। ରିଅଲ ପାଇଁ ସେ ୧୬ ବର୍ଷ ଖେଳିଥିଲେ। ୭୦୦ ମ୍ୟାଚ୍‌ ଖେଳି ୩୦୦ ଗୋଲ୍‌ କରିଥିଲେ। ଚାମ୍ପିଅନ୍ସ ଲିଗ (୭୧)ରେ ସର୍ବାଧିକ ଗୋଲ୍‌ ଦେବାର କୀର୍ତ୍ତିିମାନ ଏବେବି ତାଙ୍କ ନାଁରେ ରହିଛି। ସ୍ପେନ୍‌ ପକ୍ଷରୁ ୧୦୨ ମ୍ୟାଚ୍‌ ଖେଳି ସେ ୪୪ ଗୋଲ୍‌ ଦେଇଥିଲେ।

ମାଇକେଲ୍‌ ବାଲାକ (ଜର୍ମାନି)
ମାଇକେଲ୍‌ ବାଲାକ ଜର୍ମାନିରୁ ବାହାରିଥିବା ବିଶ୍ୱ ସ୍ତରୀୟ ଖେଳାଳିଙ୍କ ମଧ୍ୟରେ ସମ୍ଭବତଃ ସର୍ବଶ୍ରେଷ୍ଠ। ୨୦୦୬ ବିଶ୍ୱକପ୍‌ରେ ଜର୍ମାନି ତାଙ୍କ ନେତୃତ୍ୱରେ ଉପ ବିଜେତା ହୋଇଥିଲା। ୨୦୦୨ ଓ ୨୦୦୬ ଫିଫା ବିଶ୍ୱକପ୍‌ ଦଳର ସେ ଅନ୍ୟତମ ସଦସ୍ୟ ଥିଲେ। କ୍ଲବ୍‌ ସ୍ତରରେ ବହୁ ସଫଳତା ଲାଭ କରିଥିବା ବାଲାକ ୟୁରୋକପ୍‌ରେ ମଧ୍ୟ କେବେବି ବିଜେତା ହୋଇ ପାରି ନଥିଲେ। ବାଲାକଙ୍କ ଭଳି ପର୍ତୁଗାଲର ଲୁଇସ୍‌ ଫିଗୋ, ନେଦରଲାଣ୍ଡର ଡେନିସ୍‌ ବର୍ଗମ୍ୟାନ୍‌, େଓ୍ଵଲ୍ସର ରିଆନ ଗିଗ୍ସ, ଡେଭିଡ୍‌ ବେକହାମ, ମାଇକେଲ ଲୌଡ୍ରପ୍‌, ପଲ୍‌ ସ୍କୋଲେସ୍‌, ମାର୍କୋ ବସ୍ତେନ, ଷ୍ଟିଭେନ୍‌ ଜେରାଡ, ଫ୍ରାଙ୍କ ଲାମ୍ପାର୍ଡ, ରବି ଭାନ୍‌ ପର୍ସି, ଆରେନ୍‌ ରୁବେନ୍‌, େଓ୍ଵନ୍‌ ରୁନି, ଜଲଟାନ ଇବ୍ରାମୋଭିକ, ଫ୍ରାଙ୍କ ରିବେରି, ଭିନସେଣ୍ଟ କଂପାନିଙ୍କ ଭଳି ଖେଳାଳିଙ୍କ ଭାଗ୍ୟରେ ମଧ୍ୟ ବିଶ୍ୱକପ୍‌ ଜୁଟିନି।

ଫେରେଙ୍କ ପୁସକାସ୍‌ (ହଙ୍ଗେରି)
ହଙ୍ଗେରିର ଫେରେଙ୍କ ପୁସକାସ୍‌ଙ୍କୁ ଗୋଲ୍‌ ମେସିନ କୁହାଯାଏ। ୫୨୯ ଲିଗ୍‌ ମ୍ୟାଚ୍‌ରୁ ସେ ୫୧୪ ଗୋଲ୍‌ କରିଛନ୍ତି। ସେହିଭଳି ହଙ୍ଗେରି ପକ୍ଷରୁ ୮୫ ମ୍ୟାଚ୍‌ ଖେଳି ୮୪ ଗୋଲ୍‌ ଦେଇଛନ୍ତି। ପଚାଶ ଦଶକରେ ହଙ୍ଗେରି ଦଳର ସେ ମେରୁଦଣ୍ଡ ଥିଲେ। ୧୯୫୪ ବିଶ୍ୱକପ୍‌ରେ ସେ ପ୍ରଥମ ଦୁଇ ମ୍ୟାଚ୍‌ ପରେ ଆହତ ହୋଇଥିଲେ। ହେଲେ ଅସୁସ୍ଥ ଥିବା ସତ୍ତ୍ୱେ ଫାଇନାଲ୍‌ ଖେଳିଥିଲେ। ତଥାପି ହଙ୍ଗେରି ୨-୩ରେ ପଶ୍ଚିମ ଜର୍ମାନିଠାରୁ ହାରି ଉପ ବିଜେତାରେ ସନ୍ତୁଷ୍ଟ ରହିଥିଲା। ୧୯୬୨ରେ ସେ ସ୍ପେନ୍‌ ପକ୍ଷରୁ ବିଶ୍ୱକପ୍‌ ଖେଳିଥିଲେ ମଧ୍ୟ ବିଶେଷ କିଛି କରି ପାରି ନଥିଲେ।

ରୋବର୍ଟ ବାଜିଓ (ଇଟାଲି)
ଡାହାଣ ଆଣ୍ଠୁରେ ନିୟମିତ ଯନ୍ତ୍ରଣା ଅନୁଭବ କରୁଥିଲେ ମଧ୍ୟ ରୋବର୍ଟ ବାଜିଓ ଇଟାଲି ଫୁଟ୍‌ବଲ୍‌ ଇତିହାସର ଅନ୍ୟତମ ଚର୍ଚିତ ତାରକା। ତାଙ୍କ ତ୍ରୁଟିହୀନ ଖେଳ ନିଆରା ଶୈଳୀ ଫୁଟ୍‌ବଲ୍‌ ଜଗତରେ ବିରଳ। ତଥାପି ସେ ବିଶ୍ୱକପ୍‌ ଜିତି ପାରି ନାହାନ୍ତି। ୧୯୯୦ରେ ଇଟାଲିର ତୃତୀୟ ସ୍ଥାନ ହାସଲରେ ସେ ନିର୍ଣ୍ଣାୟକ ଭୂମିକା ନେଇଥିଲେ। ହେଲେ ୧୯୯୪ ଫାଇନାଲରେ ଗୁରୁତ୍ୱପୂର୍ଣ୍ଣ ଶେଷ ପେନାଲ୍ଟି ସୁଟ୍‌ଆଉଟରେ ବିଫଳ ହେବା ପରେ ଇଟାଲି ବିଜେତା ହେବାର ସୁଯୋଗ ହରାଇଥିଲା। ହେଲେ ସେ ରୁପା ଜୋତା ଜିତିଥିଲେ। ୧୯୯୩ରେ ବାଲନ ଡିଓର ପୁରସ୍କାର ଜିତିବା ସହ ୧୯୯୮ ବିଶ୍ୱକପ୍‌ରେ ଦୁଇଟି ଗୋଲ୍‌ ଦେଇଥିଲେ।

ଜୋହାନ କ୍ରିଫ୍‌ (ନେଦରଲାଣ୍ଡ)
ଜୋହାନ କ୍ରିଫ୍‌ଙ୍କୁ ନିର୍ଦ୍ୱନ୍ଦ୍ୱରେ ୟୁରୋପୀୟ ଫୁଟ୍‌ବଲ୍‌ ଇତିହାସର ସର୍ବଶ୍ରେଷ୍ଠ ତାରକାର ମାନ୍ୟତା ମିଳେ। ନିଜ ସଫଳ ଖେଳ ଜୀବନରେ ସେ ଅଗଣିତ ଟ୍ରଫି ଜିତିଥିଲେ। କେବଳ ଖେଳାଳି ନୁହେଁ ପ୍ରଶିକ୍ଷକ ଭାବେ ମଧ୍ୟ ସେ ବହୁ ସଫଳତା ଲାଭ କରିଥିଲେ। ସେ ତିନିଟି ବାଲନ ଡି’ଓର ପୁରସ୍କାର ଜିତିବା ସହ ୧୯୭୬ ବିଶ୍ୱକପ୍‌ର ସୁନା ଜୋତା ହାସଲ କରିଥିଲେ। ବିଂଶ ଶତାବ୍ଦିର ଫିଫା ବିଶ୍ୱକପ୍‌ ଦଳର ସେ ମଧ୍ୟ ଅନ୍ୟତମ ସଦସ୍ୟ ଥିଲେ। ହେଲେ ସେ କେବେବି ବିଶ୍ୱକପ୍‌ ଜିତି ନଥିଲେ। ୧୯୭୪ରେ ନେଦରଲାଣ୍ଡ ଫାଇନାଲ୍‌ ଖେଳିଥିଲା ହେଲେ ପଶ୍ଚିମ ଜର୍ମାନିଠାରୁ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ବ୍ୟକ୍ତଗତ କାରଣ ପାଇଁ ୧୯୭୮ ବିଶ୍ୱକପ୍‌ର ଠିକ୍‌ ପୂର୍ବରୁ କ୍ରିଫ୍‌ ଅବସର ଘୋଷଣା କରିଥିଲେ।

ଅଲିଭର କାନ୍‌ (ଜର୍ମାନି)
ଅଲିଭର କାନ୍‌ଙ୍କୁ ଫୁଟବଲ୍‌ ଇତିହାସର ସର୍ବଶ୍ରେଷ୍ଠ ଗୋଲ୍‌ ରକ୍ଷକ କୁହାଯାଏ। ହେଲେ ଦୁର୍ଭାଗ୍ୟଜନକ ଭାବେ ସେ ଥରେ ହେଲେ ବି ବିଶ୍ୱକପ୍‌ ଜିତି ନାହାନ୍ତି। ନିଜ ଗୋଲ୍‌ ରକ୍ଷଣ ଦକ୍ଷତା ପାଇଁ ସେ ମାଳମାଳ ପୁରସ୍କାର ଜିତିଛନ୍ତି। ୧୯୯୬ ୟୁରୋ ଚାମ୍ପିଅନସିପ୍‌ ଜିତିବା ତାଙ୍କର ଖେଳ ଜୀବନର ସଫଳତମ ଅଧ୍ୟାୟ। ୨୦୦୨ ବିଶ୍ୱକପ୍‌ର ଫାଇନାଲରେ ହାରିବା ତାଙ୍କ ଜୀବନର ସବୁଠାରୁ ଦୁଃଖଦ ଅଧ୍ୟାୟ। ସେ ଏକମାତ୍ର ଗୋଲ୍‌ ରକ୍ଷକ ଭାବେ ବିଶ୍ୱକପ୍‌ର ସ୍ୱର୍ଣ୍ଣ ଜୋତା ଜିତିଛନ୍ତି।

ସମ୍ବନ୍ଧିତ ଖବର