ଶନିବାର ସିଂହ ଲଢ଼େଇ:ଧୋନିଙ୍କ ଆଗରେ କୋହଲି

ଚାରି ନମ୍ବରରେ ଧୋନି

ଆର୍‌ସିବି ଜର୍ସି ଉନ୍ମୋଚନ କଲେ କୋହଲି, ଡିଭିଲିୟର୍ସ
ବାଙ୍ଗାଲୋର: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦ୍ବାଦଶ ସଂସ୍କରଣ ଆରମ୍ଭ ହେବାର ତିନି ଦିନ ପୂର୍ବରୁ ଅଧିନାୟକ ବିରାଟ କୋହଲି ବୁଧବାର ନିଜ ଦଳ ରୟାଲ ଚ୍ୟାଲେଞ୍ଜର୍ସ ‌ବାଙ୍ଗାଲୋରର ଜର୍ସି ଉନ୍ମୋଚନ କରିଛନ୍ତି। ଏହି ଉତ୍ସବରେ ତାଙ୍କ ସହ ଦକ୍ଷିଣ ଆଫ୍ରିକାର ଏବି ଡି’ଭିଲିୟର୍ସ ଏବଂ ପାର୍ଥିବ ପଟେଲ ଉପସ୍ଥିତ ଥିଲେ। ଉଭୟ ଘରୋଇ ଓ ବାହାର ମ୍ୟାଚ୍‌ ପାଇଁ ଜର୍ସି ଉନ୍ମୋଚିତ ହୋଇଥିଲା। ଏହି ଜର୍ସି ଦ୍ବାରା ଫ୍ରାଞ୍ଚାଇଜ୍‌ ସବୁଜ ଦୁନିଆ ଏବଂ ବୃକ୍ଷ ବଞ୍ଚାଓ ବାର୍ତା ପ୍ରଦାନ କରୁଛି। ବାଙ୍ଗାଲୋର ଦଳ ଶନିବାର ଚେନ୍ନାଇରେ ଘରୋଇ ଚେନ୍ନାଇ ସୁପର କିଙ୍ଗ୍ସ ସହ ଖେଳି ଦ୍ବାଦଶ ସଂସ୍କରଣରେ ଅଭିଯାନ ଆରମ୍ଭ କରିବ।

ଚେନ୍ନାଇ: ବିଶ୍ବର ସବୁଠାରୁ ଚର୍ଚିତ ଏବଂ ଲୋକପ୍ରିୟ ଟ୍ବେଣ୍ଟି-୨୦ ଲିଗ୍ ‘ଆଇପିଏଲ’ର ଦ୍ବାଦଶ ମହାସମର ଶନିବାରଠାରୁ ଆରମ୍ଭ ହେବ। ୫୧ ଦିନ ଧରି ଚାଲିବାକୁ ଥିବା କ୍ରିକେଟ୍ ଯୁଦ୍ଧରେ ଦେଶୀ ସହ ବିଦେଶୀ ଖେଳାଳିଙ୍କ ଯାଦୁ ଦେଖିବାକୁ ମିଳିବ। ଏଥର ପ୍ରଥମ ମ୍ୟାଚ୍‌ରୁ ହିଁ ଜୋରଦାର ଲଢ଼େଇ ହେବ। ଉଦ୍‌ଘାଟନୀ ମୁକାବିଲାରେ ଭାରତୀୟ କ୍ରିକେଟ୍‌ର ଦୁଇ ମହାରଥୀ ମହେନ୍ଦ୍ର ସିଂହ ଧୋନି ଏବଂ ବିରାଟ କୋହଲି ମୁହାଁମୁହିଁ ହେବେ। ଧୋନିଙ୍କ ନେତୃତ୍ବରେ ଆଇପିଏଲ୍ ଇତିହାସର ସଫଳତମ ଦଳ ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍‌କେ) ପ୍ରଥମ ଥର ପାଇଁ ବିଜେତା ଲକ୍ଷ୍ୟରେ ଥିବା କୋହଲିଙ୍କ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଦଳକୁ ଭେଟିବ। ଦୁଇ ବର୍ଷ ଧରି ବାସନ୍ଦ ହେବା ପରେ ଗତବର୍ଷ ପୁଣି ଥରେ ଫେରି ବିଜେତା ମୁକୁଟ ପିନ୍ଧିଥିବା ଚେନ୍ନାଇ ନିଜ ଘରୋଇ ପଡ଼ିଆ ଏମଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳିବ। ଫଳରେ ତୁଳନାତ୍ମକ ଭାବେ ଅଧିକ ଫାଇଦାରେ ରହିବ। ବେଙ୍ଗାଲୁରୁ ତିନି ଥର ଫାଇନାଲ୍ ଖେଳି ମଧ୍ୟ ଥରେ ହେଲେ ବି ବିଜେତା ହୋଇ ନପାରିବା ଦୁଃଖକୁ ଭୁଲି ଏଥର ଭଲ ଆରମ୍ଭ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ।
ସନ୍ତୁଳନ ବନାମ ଶକ୍ତି
ଧୋନିଙ୍କ ନେତୃତ୍ବରେ ଚେନ୍ନାଇ ସୁପରକିଙ୍ଗ୍ସ ବେଶ୍ ସନ୍ତୁଳିତ ଦଳ। ଏହି ଦଳରେ ସେନ୍‌ ୱାଟସନ୍, ଫାଫ୍ ଡୁ ପ୍ଲେସିସଙ୍କ ଭଳି ବିଦେଶୀ ଖେଳାଳି ଥିଲା ବେଳେ ମୁରଲୀ ବିଜୟ, ଅମ୍ବାତି ରାୟୁଡୁ, ସୁରେଶ ରାଇନାଙ୍କ ଭଳି ଦେଶୀ ଖେଳାଳି ଅଛନ୍ତି। ରବୀନ୍ଦ୍ର ଜାଦେଜା, ଡ୍ବେନ୍ ବ୍ରାଭୋ, ଡେୱିଡ୍ ୱିଲି ଓ ମିଚେଲ ସାଣ୍ଟନରଙ୍କ ରୁପରେ ‌ଏକାଧିକ ଦକ୍ଷ ଅଲରାଉଣ୍ଡର ମଧ୍ୟ ରହିଛନ୍ତି। ବୋଲିଂ ବିଭାଗ ହରଭଜନ ସିଂହ, କର୍ଣ୍ଣ ଶର୍ମା, ମୋହିତ ଶର୍ମା, ସାର୍ଦୁଲ ଠାକୁର, ଇମ୍ରାନ୍ ତାହିର ଏବଂ ଲୁଙ୍ଗି ଏନଗିଡ଼ିଙ୍କ ଭଳି ବୋଲରଙ୍କୁ ନେଇ ସମୃଦ୍ଧ। ତିନି ଥର ବିଜେତା ଏବଂ ଚାରି ଥର ଉପ ବିଜେତା ହେବା ସହ ପ୍ରତିଥର ପ୍ଲେ ଅଫ୍ ଖେଳିଥିବା ଚେନ୍ନାଇ ପାଇଁ ବେଙ୍ଗାଲୁରୁର ବ୍ୟାଟିଂ ଦକ୍ଷତା ମୁଖ୍ୟ ସମସ୍ୟା ହେବ। ନିକଟ ଅତୀତରେ କମ୍ ଅନ୍ତର୍ଜାତୀୟ ଅଭିଜ୍ଞତା, ଦ୍ରୁତ ବୋଲିଂ ଏବଂ ସ୍ପିନ୍ ବିଭାଗ ଧୋନିଙ୍କ ପାଇଁ ଚିନ୍ତାର କାରଣ ହୋଇପାରେ। ସେପଟେ ବ୍ୟାଟିଂ ବିଭାଗରେ ବେଶ୍ ଶକ୍ତିଶାଳୀ ବେଙ୍ଗାଲୁରୁ ପଞ୍ଚମ ବୋଲର ବିକଳ୍ପ ଅଭାବକୁ ଅନୁଭବ କରିପାରେ। ଏହି ଦଳରେ କେତେକ ଭଲ ଅଲରାଉଣ୍ଡର ଥିଲେ ମଧ୍ୟ ଅଧିକାଂଶ ହେଉଛନ୍ତି ବ୍ୟାଟିଂ ଅଲରାଉଣ୍ଡର। କୋହଲିଙ୍କ ସହ ଏବି ଡିଭିଲିୟର୍ସ, ସିମରନ୍ ହେଟମେୟର, ମାର୍କସ ଷ୍ଟୋଇନିସ୍, ନାଥନ କୁଲଟର ନାଇଲଙ୍କ ଭଳି ଖେଳାଳି ଥିବାରୁ ବ୍ୟାଟିଂରେ ବେଙ୍ଗାଲୁରୁ ଚେନ୍ନାଇଠାରୁ ଟିକିଏ ଆଗୁଆ ରହିବ। ଗ୍ୟାରି କର୍ଷ୍ଟନ ଓ ଆଶିଷ ନେହରା ଦଳର ପ୍ରଶିକ୍ଷକ ରହିଛନ୍ତି। ପାର୍ଥିବ ପଟେଲ, ସେନ୍ ୱାଟସନ୍, କର୍ଣ୍ଣ ଶର୍ମାଙ୍କ ଭଳି ଖେଳାଳି ଉଭୟ ଦଳରୁ ଖେଳିବାର ଗୌରବ ଅର୍ଜନ କରିଛନ୍ତି। ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ଷ୍ଟିଫେନ୍ ପ୍ଲେମିଂ ଚେନ୍ନାଇର ମୁଖ୍ୟ ପ୍ରଶିକ୍ଷକ ଅଛନ୍ତି।
ସମ୍ଭାବ୍ୟ ‌ଆରସିବି: ବିରାଟ କୋହଲି (ଅଧିନାୟକ), ପାର୍ଥିବ ପଟେଲ, ମାର୍କସ୍ ଷ୍ଟୋଇନିସ୍, ଏବି ଡି’ଭିଲିୟର୍ସ, ସିମରନ୍ ହେଟମେୟର, ଶିବମ୍ ଦୁବେ, ନାଥନ କୁଲଟର ନାଇଲ୍, ୱାସିଂଟନ ସୁନ୍ଦର, ଉମେଶ ଯାଦବ, ୟୁଜବେନ୍ଦ୍ର ଚହଲ, ମହମ୍ମଦ ସିରାଜ।
ସମ୍ଭାବ୍ୟ ସିଏସ୍‌କେ: ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ଫାଫ୍ ଡୁ ପ୍ଲେସିସ୍, ସେନ୍ ୱାଟସନ୍, ସୁରେଶ ରାଇନା, ଅମ୍ବାତି ରାୟୁଡୁ, କେଦାର ଯାଦବ, ଡ୍ବେନ୍ ବ୍ରାଭୋ, ରବୀନ୍ଦ୍ର ଜାଦେଜା, ହରଭଜନ ସିଂହ, ମୋହିତ ଶର୍ମା, ଲୁଙ୍ଗି ଏନଗିଡ଼ି।

ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆଇପିଏଲ୍-୧୨ରେ ଚାରି ନମ୍ବରରେ ବ୍ୟାଟିଂ କରିବେ। ପ୍ରଶିକ୍ଷକ ଷ୍ଟିଫେନ୍ ପ୍ଲେମିଂ ବୁଧବାର ଏହି ଘୋଷଣା କରିଛନ୍ତି। ଧୋନି ଦଶମ ଥର ପାଇଁ ଚେନ୍ନାଇର ‌ନେତୃତ୍ବ ନେବେ। କେଦାର ଯାଦବଙ୍କ ଉପସ୍ଥିତି ପାଇଁ ଧୋନିଙ୍କୁ ଚାରି ନମ୍ବରରେ ଖେଳାଇବାକୁ ନିଷ୍ପତ୍ତି ନିଆଯାଇଥିବା ଫ୍ଲେମିଂ କହିଛନ୍ତି। ଗତ ସଂସ୍କରଣରେ ମଧ୍ୟ ଧୋନି ଏହି ସ୍ଥାନରେ ବ୍ୟାଟିଂ କରିଥିଲେ। ଫ୍ଲେମିଂ କହିଛନ୍ତି ଯେ ଗତ ୧୦ ମାସ ହେବ ଧୋନି ବହୁତ ଭଲ ଫର୍ମରେ ଅଛନ୍ତି। କେଦାର ଯାଦବଙ୍କ ରୂପରେ ଆମ ପାଖରେ ଆଉ ଜଣେ ଦକ୍ଷ ମଧ୍ୟକ୍ରମ ଖେଳାଳି ଅଛନ୍ତି। ଏଣୁ ଆମ ବ୍ୟାଟିଂକ୍ରମକୁ ନେଇ ଆମେ ବହୁତ ଖୁସି ଅଛୁ। କେଦାର ଗତ ଋତୁର ପ୍ରଥମ ମ୍ୟାଚ୍ ଖେଳିବା ପରେ ଆଘାତ ପ୍ରାପ୍ତ ହୋଇ ଆଇପିଏଲରୁ ବାଦ୍‌ ପଡ଼ିଥିଲେ। ଏଥର ସେ ପୂରା ଋତୁ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି। ଗତ ବର୍ଷ ଲିଗକୁ ଫେରି ପୁନର୍ବାର ବିଜେତା ହେବାକୁ ଫ୍ଲେମିଂ ଏହି ଅବସରରେ ପ୍ରଶଂସା କରିଥିଲେ।

ସମ୍ବନ୍ଧିତ ଖବର