ପାଣ୍ଡ୍ୟା ଓ ରାହୁଲଙ୍କୁ ଲୋକପାଳ ନୋଟିସ୍

ନୂଆଦିଲ୍ଲୀ: ଉଚ୍ଚତମ ନ୍ୟାୟାଳୟ ନିଯୁକ୍ତ ବିସିସିଆଇ ଲୋକପାଳ ଅବସରପ୍ରାପ୍ତ ବିଚାରପତି ଡିକେ ଜୈନ ଟେଲିଭିଜନ କାର୍ଯ୍ୟକ୍ରମରେ ମହିଳାଙ୍କ ପ୍ରତି ଆଶାଳୀନ ମନ୍ତବ୍ୟ ଦେଇଥିବା ମାମଲାରେ ଦୁଇ ଯୁବ କ୍ରିକେଟର ହାର୍ଦିକ ପାଣ୍ଡ୍ୟା ଓ ଲୋକେଶ ରହୁଲଙ୍କୁ ନୋ‌ଟିସ୍ ଜାରି କରିଛନ୍ତି। ଏପ୍ରିଲ ୧୧ରେ ଉଭୟ ଜଷ୍ଟିସ୍ ଜୈନଙ୍କ ନିକଟରେ ହାଜର ହେବାର ସମ୍ଭାବନା ରହିଛି। ରାହୁଲ ଓ ପାଣ୍ଡ୍ୟା ସଂପ୍ରତି ଆଇପିଏଲ୍ ଖେଳୁଛନ୍ତି। ପାଣ୍ଡ୍ୟା ପୂର୍ବ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାହୁଲ କିଙ୍ଗ୍ସ ଏକାଦଶ ପଞ୍ଜାବର ପ୍ରତିନିଧିତ୍ବ କରୁଛନ୍ତି। ବ୍ୟସ୍ତବହୁଳ ସୂଚୀ ଯୋଗୁଁ ଉଭୟ ତୁରନ୍ତ ହାଜର ହେବାର ସମ୍ଭାବନା କମ୍‌ ବୋଲି ବିସିସିଆଇ କହିଛି। ତେବେ ମାମଲାର ଆଇନଗତ ପରିସମାପ୍ତି ଲାଗି ପାଣ୍ଡ୍ୟା ଓ ରାହୁଲଙ୍କୁ ତାଙ୍କ ନିଜଟରେ ହାଜର ହେବାକୁ ପଡ଼ିବ ବୋଲି ଜଷ୍ଟିସ୍ ଜୈନ ସ୍ପଷ୍ଟ କରି ଦେଇଛନ୍ତି। ସୂଚନାଯୋଗ୍ୟ ଯେ କରଣ ଜୋହରଙ୍କ ଟେଲିଭିଜନ କାର୍ଯ୍ୟକ୍ରମରେ ପାଣ୍ଡ୍ୟା ଓ ରାହୁଲ ମହିଳାଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେବା ପରେ ବିସିସିଆଇ ସେମାନଙ୍କୁ ଅଷ୍ଟ୍ରେଲିଆ ଗସ୍ତରୁ ପ୍ରତ୍ୟାହାର କରି ନେଇଥିଲା। ଉଭୟ କିଛି ସମୟ ପାଇଁ ନିଲମ୍ବିତ ହୋଇଥିଲେ। ଯାହାକୁ ପରେ ଉଠାଇ ଦିଆଯାଇଥିଲା।

ସମ୍ବନ୍ଧିତ ଖବର