କାର୍ଡିଫ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେ୍ଵଣ୍ଟି-୨୦ ମ୍ୟାଚ୍ରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଫିକା ପଡ଼ିଗଲେ। ବୋଲରଙ୍କ ପ୍ରାଧାନ୍ୟ ଭିତରେ ଶେଷ ହୋଇଥିବା ଏହି ମ୍ୟାଚ୍ରେ ଭାରତକୁ ୫ ଓ୍ଵିକେଟ୍ରେ ହରାଇ ଇଂଲଣ୍ଡ ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ୧-୧ ସ୍ତରକୁ ନେଇ ଆସିଛି। ଭାରତ ୧୪୮/୫ରେ ସୀମିତ ରହିଯିବା ପରେ ଇଂଲଣ୍ଡ ଏହାକୁ ୨ ବଲ୍ ଏବଂ ୫ ଓ୍ଵିକେଟ୍ ହାତରେ ରଖି ଜିତିଥିଲା। ଶେଷ ଓଭରରୁ ୧୨ ରନ୍ ଆବଶ୍ୟକ କରୁଥିିବା ଇଂଲଣ୍ଡ ୪ ବଲ୍ରୁ ଏହାକୁ ହାସଲ କରି ନେଇଥିଲା। ନିଜର ପ୍ରଥମ ୩ ଓଭରରେ ୭ ରନ୍ ଦେଇଥିବା ଭୁବନେଶ୍ୱର କୁମାର କିନ୍ତୁ ଆଲେକ୍ସ ହେଲ୍ସ (୫୮*, ୪୧ ବଲ)ଙ୍କ ଆଗରେ ହାର୍ ମାନିଥିଲେ। ହେଲ୍ସ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ରବିବାର ବ୍ରିଷ୍ଟଲ୍ରେ ଶୃଙ୍ଖଳା ନିର୍ଣ୍ଣାୟକ ତୃତୀୟ ଟେ୍ଵଣ୍ଟି-୨୦ ଖେଳାଯିବ।
ଶୁକ୍ରବାର କାର୍ଡିଫର ସୋଫିଆ ଗାର୍ଡେନ୍ସରେ ଇଂଲଣ୍ଡ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ପ୍ରଥମ ମ୍ୟାଚ୍ରେ ମନ୍ଥର ଖେଳିଥିବା ରୋହିତ ଶର୍ମା (୫, ୯ ବଲ୍, ୧ ଚୌକା) ଏଥର ମଧ୍ୟ ନିଜ ଦୁଇ ଓଭର ରହଣି ଭିତରେ ପ୍ରଭାବ ଛାଡ଼ି ପାରିନଥିଲେ। ଶିଖର ଧାଓ୍ଵନ (୧୦, ୧୨ ବଲ୍, ୧ ଚୌକା) ରନ୍ ଆଉଟ୍ ହୋଇଯିବା ଏବଂ ପ୍ରଥମ ମ୍ୟାଚ୍ରେ ଆକର୍ଷଣୀୟ ଶତକ ହାସଲ କରିଥିବା କେଏଲ୍ ରାହୁଲ୍ (୬, ୮ ବଲ୍) ସମ୍ପୂର୍ଣ୍ଣ ସଂଘର୍ଷ କରିବା ଭାରତ ଉପରେ ଚାପ ବଢ଼ାଇଥିଲା। ପଞ୍ଚମ ଓଭର ବେଳକୁ ୨୨/୩ରେ ଭାରତ ସଂଘର୍ଷ କରୁଥିବାବେଳେ ଅଧିନାୟକ ବିରାଟ କୋହଲି ଏବଂ ବାମହାତୀ ସୁରେଶ ରାଇନା ଚତୁର୍ଥ ଓ୍ଵିକେଟ୍ ପାଇଁ ଦାୟିତ୍ୱର ସହ ୭.୩ ଓଭରରେ ୫୭ ରନ୍ ଯୋଡ଼ି ପାଳି ସଜାଡ଼ିଥିଲେ। ସୁରେଶ ରାଇନା ତ୍ରୟୋଦଶ ଓଭରରେ ଆଦିଲ୍ ରସିଦ୍ଙ୍କ ସ୍ପିନ୍କୁ ଖେଳିବାକୁ ଆଗକୁ ଆସି ପ୍ରଥମ ଥର ଟେ୍ଵଣ୍ଟି-୨୦ ଅନ୍ତର୍ଜାତୀୟରେ ଷ୍ଟମ୍ପିଂ ହୋଇଯାଇଥିଲେ। ରାଇନା ୨୦ ବଲ୍ରୁ ୨ ଚୌକା ଓ ୧ ଛକା ସହାୟତାରେ ୨୭ ରନ୍ କରିଥିଲେ। ରନ୍ ଗତି ବଢ଼ାଇବା ଆବଶ୍ୟକ ବେଳକୁ କୋହଲି (୪୭, ୩୮ ବଲ୍, ୧ ଚୌକା, ୨ ଛକା) ବି ଆଉଟ୍ ହୋଇଯାଇଥିଲେ। ଏହା ପରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି (୩୨*, ୨୪ ବଲ୍, ୫ ଚୌକା) ଶେଷ ପର୍ଯ୍ୟନ୍ତ ରହିବାରୁ ଦଳ ୧୪୮ ରନ୍ ସମ୍ମାଜନକ ସ୍କୋର୍ କରିପାରିଥିଲା। ହାର୍ଦିକ ପାଣ୍ଡ୍ୟା ୧୦ ବଲ୍ରୁ ଗୋଟିଏ ମାତ୍ର ଛକା ସହିତ ୧୨* ରନ୍ କରିଥିଲେ। ଶେଷ ଓଭରରେ ଭାରତ ୨୨ ରନ୍ ଯୋଡ଼ିଥିଲା। ଇଂଲଣ୍ଡ ପକ୍ଷରୁ ଲିଆମ୍ ପ୍ଲଙ୍କେଟ (୪-୦-୧୭-୧) ଏବଂ ଡେଭିଡ୍ ଓ୍ଵିଲି (୪-୦-୧୮-୧) ମିତ୍ତବ୍ୟୟୀ ବୋଲିଂ କରିବା ଭାରତକୁ ବାନ୍ଧି ରଖିଥିଲା।
ଜବାବରେ ଇଂଲଣ୍ଡ ପାଓ୍ଵାର ପ୍ଲେ ୬ ଓଭର ଭିତରେ ୨ ଓ୍ଵିକେଟ୍ ହରାଇ ୪୨ ରନ୍ ସଂଗ୍ରହ କରିବାରୁ ସମାନ ସ୍ଥିତିରେ ଥିଲା। ଉମେଶ ଯାଦବ ଇଂଲଣ୍ଡର ପ୍ରାରମ୍ଭିକ ଯୋଡ଼ି ଜାସନ୍ ରୟ (୧୫, ୧୨ ବଲ୍) ଏବଂ ଜୋସ୍ ବଟଲର୍ (୧୪, ୧୨ ବଲ୍)ଙ୍କୁ ଆଉଟ୍ କରି ଭାରତକୁ ପ୍ରତ୍ୟାବର୍ତନ ସୁଯୋଗ ଦେଇଥିଲେ। ରୟଙ୍କୁ ସେ ବୋଲ୍ଡ କରି ଦେଇଥିବାବେଳେ ବଟ୍ଲରଙ୍କ କ୍ୟାଚ୍କୁ ମିଡ୍ ଅଫରେ ନେଇଥିଲେ ବିରାଟ କୋହଲି। ଫଳରେ ଇଂଲଣ୍ଡ୍ ସପ୍ତମ ଓଭରରେ ୪୪/୩ରେ ସଂଘର୍ଷ କରିଥିଲା। ଏହି ସମୟରେ ଆଲେକ୍ସ ହେଲ୍ସ ଏବଂ ଅଧିନାୟକ ଇଅନ୍ ମୋର୍ଗାନ୍ ପାଳି ସଜାଡ଼ିବାରେ ଲାଗିଥିଲେ। ମୋର୍ଗାନ୍ (୧୭, ୧୯ ବଲ୍)ଙ୍କୁ ହାର୍ଦିକ ପାଣ୍ଡ୍ୟା ସର୍ଟ ଲେଗ୍ରେ ଗବ୍ଦର (ଶିଖର ଧାଓ୍ଵନ)ଙ୍କ ହାତରେ କ୍ୟାଚ୍ କରାଇ ନେଇଥିଲେ। ତେବେ ଜନି ବେୟାରଷ୍ଟୋ (୨୮, ୧୮ ବଲ୍, ୨ ଛକା)ଙ୍କୁ ଭୁବନେଶ୍ୱର କୁମାର ରୋକିଦେବା ଭାରତକୁ ସୁଯୋଗ ଦେଇଥିଲା। ଶେଷକୁ ଆଲେକ୍ସ ହେଲ୍ସ (୫୮*, ୪୧ ବଲ୍, ୪ ଚୌକା, ୩ ଛକା) ମ୍ୟାଚ୍ ଛଡ଼ାଇ ନେଇଥିଲେ। ଶେଷ ଓଭରରୁ ଭାରତକୁ ୧୨ ରନ୍ ଆବଶ୍ୟକ ପଡ଼ିବା ପରେ ଭୁବନେଶ୍ୱର କୁମାରଙ୍କ ପ୍ରଥମ ବଲ୍କୁ ଛକା ମାରି ସେ ଚାପ ହଟାଇ ଦେଇଥିଲେ। ୨ ବଲ୍ ପୂର୍ବରୁ ୫ ଓ୍ଵିକେଟ୍ ହରାଇ ଇଂଲଣ୍ଡ ୧୪୯ ରନ୍ ସଂଗ୍ରହ କରି ନେଇଥିଲା। ସୂଚନାଯୋଗ୍ୟ, ଭାରତ ମଙ୍ଗଳବାର ପ୍ରଥମ ଟେ୍ଵଣ୍ଟି-୨୦ରେ ୮ ଓ୍ଵିକେଟ୍ରେ ସହଜ ବିଜୟ ହାସଲ କରିଥିଲା।
ସଂକ୍ଷିପ୍ତ ସ୍କୋର୍: ଭାରତ ୨୦ ଓଭରରେ ୧୪୮/୫ (ବିରାଟ କୋହଲି-୪୭, ସୁରେଶ ରାଇନା-୨୭, ମହେନ୍ଦ୍ର ସିଂହ ଧୋନି-୩୨*, ହାର୍ଦିକ ପାଣ୍ଡ୍ୟା-୧୨*, ଆଦିଲ୍ ରସିଦ୍-୧/୨୯, ଲିଆମ୍ ପ୍ଲଙ୍କେଟ-୧/୧୭, ଡେଭିଡ୍ ଓ୍ଵିଲି-୧/୧୮, ଜ୍ୟାକ୍ ବଲ୍-୧/୪୪)। ଇଂଲଣ୍ଡ ୧୯.୪ ଓଭରରେ ୧୪୯/୫ (ଆଲେକ୍ସ ହେଲ୍ସ-୫୮*, ଜନି ବେୟାରଷ୍ଟୋ-୨୮, ଇଅନ୍ ମୋର୍ଗାନ୍-୧୭, ଜାସନ୍ ରୟ-୧୫, ଜୋସ୍ ବଟଲର୍-୧୪, ଉମେଶ ଯାଦବ-୨/୩୬, ଭୁବନେଶ୍ୱର କୁମାର-୧/୧୯, ୟୁଜବେନ୍ଦ୍ର ଚହଲ୍-୧/୨୮, ହାର୍ଦିକ ପାଣ୍ଡ୍ୟା-୧/୨୮)।