ଲର୍ଡସ ଟେଷ୍ଟ୍‌: ପରାଜୟ ଦ୍ୱାରରେ ଇଂଲଣ୍ଡ

ଲର୍ଡସ୍‌ (ଲଣ୍ଡନ): ଲର୍ଡସ ଟେଷ୍ଟ୍‌ରେ ଘରୋଇ ଇଂଲଣ୍ଡ ପରାଜୟ ଦ୍ୱାର ଦେଶରେ ରହିଛି। ଭ୍ରମଣକାରୀ ପାକିସ୍ତାନୀ ବୋଲରଙ୍କୁ ସମ୍ମୁଖୀନ ହୋଇ ନ ପାରି ପ୍ରଥମ ପାଳିରେ ମାତ୍ର ୧୮୪ ରନ୍‌ କରିଥିବା ଇଂଲଣ୍ଡ ଦ୍ୱିତୀୟ ପାଳିରେ ମଧ୍ୟ ଦୟନୀୟ ବ୍ୟାଟିଂ କରିଛି। ପ୍ରଥମ ପାଳିରେ ପାକିସ୍ତାନଠାରୁ ୧୭୯ ରନ୍‌ରେ ପଛୁଆ ରହିବା ପରେ ତୃତୀୟ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ଦ୍ୱିତୀୟ ପାଳିରେ ୭୮ ଓଭର ଖେଳି ୬ ଓ୍ଵିକେଟ୍‌ ବିନିମୟରେ ୨୩୫ ରନ୍‌ କରିଛି। ୧୧୦ ରନ୍‌ରେ ୬ ଓ୍ଵିକେଟ୍‌ ହରାଇ ସଙ୍କଟରେ ପଡ଼ିଥିବା ଇଂଲଣ୍ଡ ପକ୍ଷରୁ ଜୋସ୍‌ ବଟଲର (୬୬*) ଏବଂ ପଦାର୍ପଣ କରିଥିବା ଡୋମିନିକ୍‌ ବେସ୍‌ (୫୫*) କିଛିଟା ପ୍ରତିରୋଧ କରିଛନ୍ତି। ଉଭୟ ଅସମାପ୍ତ ସପ୍ତମ ଓ୍ଵିକେଟ୍‌ରେ ୧୨୫ ରନ୍‌ ଯୋଡ଼ି ପାକିସ୍ତାନ ବିଜୟକୁ ବିଳମ୍ବିତ କରିଛନ୍ତି। ଇଂଲଣ୍ଡ ପାକିସ୍ତାନ ପ୍ରଥମ ପାଳି ସ୍କୋର୍‌ଠାରୁ ଏବେ ୫୬ ରନ୍‌ରେ ଆଗୁଆ ଥିଲା ବେଳେ ଏହି ଦଳ ପାଖରେ ଅବଶ୍ୟ ୪ ଓ୍ଵିକେଟ୍‌ ରହିଛି। ଏହା ପୂର୍ବରୁ ଶୁକ୍ରବାର ସ୍କୋର ୩୫୦/୮ରୁ ପାକିସ୍ତାନ ତା’ର ଅସମାପ୍ତ ପ୍ରଥମ ପାଳି ଆରମ୍ଭ କରି ଆଉ ୧୩ ରନ୍‌ ବିନିମୟରେ ଶେଷ ୨ ଓ୍ଵିକେଟ୍‌ ହରାଇଥିଲା। ମହମ୍ମଦ ଅମିର ୨୪ ରନ୍‌ରେ ଅପରାଜିତ ରହିଥିଲେ। ହେଲେ ଅନ୍ୟପଟୁ ଦୁଇଟି ଯାକ ଓ୍ଵିକେଟ୍‌ର ପତନ ଘଟିବାରୁ ପାକିସ୍ତାନ ପ୍ରଥମ ପାଳି ୩୬୩ ରନ୍‌ରେ ଶେଷ ହୋଇଥିଲା।

ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ପ୍ରଥମ ପାଳି-୧୮୪। ପାକିସ୍ତାନ ପ୍ରଥମ ପାଳି-୩୬୩ (ବାବର ଆଜମ ୬୮, ଅସଦ ସଫିକ ୫୯, ସଦାବ ଖାନ୍‌ ୫୨, ଆଝାର ଅଲ୍ଲୀ ୫୦, ଜେମ୍ସ ଆଣ୍ଡରସନ୍‌ ୩/୮୨, ବେନ୍‌ ଷ୍ଟୋକ୍ସ ୩/୭୩)। ଇଂଲଣ୍ଡ ଦ୍ୱିତୀୟ ପାଳି ୭୮ ଓଭରରେ ୨୩୫/୬ ( ଜୋସ୍‌ ବଟଲର ୬୬*, ଡୋମିନିକ୍‌ ବେସ୍‌ ୫୫*, ମହମ୍ମଦ ଆବାସ ୨/୩୬, ମହମ୍ମଦ ଅମିର ୨/୩୫, ସଦାବ ଖାନ୍‌ ୨/୬୩)।

ବାବର ଆଜମ୍‌ ଆହତ; ପୂରା ଶୃଙ୍ଖଳାରୁ ବାଦ୍‌
ପାକିସ୍ତାନ ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ୍‌ ବାବର ଆଜମ୍‌ ଆହତ ହୋଇ ପୂରା ଇଂଲଣ୍ଡ ଗସ୍ତରୁ ବାଦ୍‌ ପଡ଼ିଛନ୍ତି। ଶୁକ୍ରବାର ପ୍ରଥମ ପାଳି ବ୍ୟାଟିଂ କରୁଥିଲା ବେଳେ ବେନ୍‌ ଷ୍ଟୋକ୍‌ସଙ୍କ ଏକ ବଲ୍‌ ତାଙ୍କ ବାମ ହାତରେ ଜୋର୍‌ରେ ବାଜିଥିଲା। ସେ ରିଟାୟର୍ଡ ହର୍ଟ ହୋଇ ପାଭିଲିୟନ୍‌ ଫେରିଥିଲେ। ପରେ ଆଉ କ୍ରିଜ୍‌କୁ ଆସିପାରିନଥିଲେ। ତାଙ୍କ ହାତ ଭାଙ୍ଗି ଯାଇଥିବା ଏକ୍ସ-ରେ ରିପୋର୍ଟରୁ ଜଣାପଡ଼ିଛି। ତାଙ୍କୁ ଅତକମ୍‌ରେ ୬ ସପ୍ତାହ ବିଶ୍ରାମ ପାଇଁ ପରାମର୍ଶ ଦିଆଯାଇଛି। ତେଣୁ ସେ ଏହି ଗସ୍ତରେ ଆଉ ଖେଳିବା ସମ୍ଭବ ନୁହେଁ ବୋଲି ପାକିସ୍ତାନ ଦଳର ଫିଜିଓଥେରାପିଷ୍ଟ କ୍ଲିଫ୍‌ ଡିକନ୍‌ ସ୍ପଷ୍ଟ କରିଛନ୍ତି। ବାବରଙ୍କ କଚଟି ଉପରକୁ ହିଁ ଗୋଟିଏ ହାଡ ଭାଙ୍ଗିଯାଇଥିବା କୁହାଯାଇଛି। ତେବେ ବାବର ଆଜମ୍‌ ଗସ୍ତରୁ ବାଦ୍‌ ପଡ଼ିଥିଲେ ମଧ୍ୟ ପାକିସ୍ତାନ ଦଳ କର୍ତୃପକ୍ଷ ତାଙ୍କ ବଦଳ ଖେଳାଳି ନନେବାକୁ ସ୍ଥିର କରିଛନ୍ତି। ଦଳରେ ଏବେ ଉସ୍‌ମାନ ସାଲାଉଦ୍ଦିନ୍‌, ଫକର୍‌ ଜମନ୍‌ ଏବଂ ସାମି ଆସ୍‌ଲାମ୍‌ ବିଶେଷଜ୍ଞ ବ୍ୟାଟ୍‌ସମ୍ୟାନ୍‌ ଭାବେ ସାମିଲ ଥିବାରୁ ବଦଳ ଖେଳାଳିର ଆବଶ୍ୟକତା ନଥିବା କୁହାଯାଇଛି।

ସମ୍ବନ୍ଧିତ ଖବର