ପ୍ରଥମ ଥର କ୍ୱାର୍ଟରରେ ମାଡିସନ୍‌ ଓ ଭେରେଭ୍‌

ପ୍ୟାରିସ୍‌: ଆମେରିକୀୟ ଲଳନା ମାଡିସନ୍‌ କିସ୍‌ ଜୀବନର ପ୍ରଥମ ଥର ପାଇଁ ବର୍ଷର ଦ୍ୱିତୀୟ ଗ୍ରାଣ୍ଡ୍‌ ସ୍ଲାମ୍‌ ଟେନିସ୍‌ ପ୍ରତିଯୋଗିତା ଫ୍ରେଞ୍ଚ୍‌ ଓପନ୍‌ ମହିଳା ଏକକ ବର୍ଗ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ରବିବାର ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ୨୩ ବର୍ଷ ବୟସ୍କା ମାଡିସନ୍‌ ସିଧାସଳଖ ୬-୧ ଓ ୬-୪ ସେଟ୍‌ରେ ରୋମାନିଆର ୩୦ ବର୍ଷ ବୟସ୍କା ମିହେଲା ବୁଜାରନେସ୍କୁଙ୍କୁ ପରାସ୍ତ କରି ଏହି ସଫଳତା ପାଇଛନ୍ତି। ପ୍ରଥମ ଥର ପାଇଁ କୌଣସି ଗ୍ରାଣ୍ଡ୍‌ ସ୍ଲାମ୍‌ ଚତୁର୍ଥ ରାଉଣ୍ଡ୍‌ ଖେଳିଥିବା ୩୧ତମ ମାନ୍ୟତା ମିହେଲାଙ୍କର ଅଭିଯାନ ଶେଷ ହୋଇଯାଇଥିଲା ବେଳେ ତ୍ରୟୋଦଶ ମାନ୍ୟତା ମାଡିସନ୍‌ ସେମିଫାଇନାଲ୍‌ ଖେଳିବାର ଦୃଢ଼ ଆଶା ରଖିଛନ୍ତି। କ୍ୱାର୍ଟର ଫାଇନାଲ୍‌ରେ ମାଡିସନ୍‌ଙ୍କ ମୁକାବିଲା ଅଣମାନ୍ୟତା କାଜାକସ୍ତାନ ଖେଳାଳି ୟୁଲିଆ ପୁତିନ୍‌ସେଭାଙ୍କ ସହ ହେବ। ରବିବାର ଅନ୍ୟ ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ପୁନିତ୍‌ସେଭା ସିଧାସଳଖ ୬-୩ ଓ ୬-୪ ସେଟ୍‌ରେ ଚେକ୍‌ ଗଣରାଜ୍ୟର ୨୬ତମ ମାନ୍ୟତା ବାର୍ବୋରା ଷ୍ଟ୍ରାଇକୋଭାଙ୍କୁ ପରାସ୍ତ କରି ବିଦାୟ ରାସ୍ତା ଦେଖାଇଦେବା ସହ କ୍ୱାର୍ଟର ଫାଇନାଲ୍‌ ସ୍ଥାନ ପକ୍କା କରିଛନ୍ତି। ସେହିପରି ରବିବାର ଅନ୍ୟ ଏକ ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ଆମେରିକାର ସ୍ଲୋଆନେ ଷ୍ଟିଫେନ୍‌ସ ୬-୨ ଓ ୬-୦ ସିଧାସଳଖ ସେଟ୍‌ରେ ୨୫ତମ ମାନ୍ୟତା ଇସ୍ତୋନିଆର ଆନେଟ୍‌ କୋଣ୍ଟାଭିଟ୍‌ଙ୍କୁ ପରାସ୍ତ କରି କ୍ୱାର୍ଟର ଫାଇନାଲ୍‌ ସ୍ଥାନ ସୁରକ୍ଷିତ କରିଛନ୍ତି। କ୍ୱାର୍ଟର ଫାଇନାଲ୍‌ରେ ତାଙ୍କର ମୁକାବିଲା ଦ୍ୱିତୀୟ ମାନ୍ୟତା ଡେନ୍‌ମାର୍କର କାରୋଲିନେ ଓ୍ଵଜ୍‌ନିଆକି କିମ୍ବା ଚତୁର୍ଦଶ ମାନ୍ୟତା ରୁଷିଆର ଦାରିଆ କାସାତ୍‌ନିକାଙ୍କ ସହ ହେବ।

ଅନ୍ୟପକ୍ଷରେ ପୁରୁଷ ଏକକରେ ଅଷ୍ଟ୍ରିଆର ଡୋମିନିକ୍‌ ଥିମ୍‌ ଓ ଜର୍ମାନିର ଆଲେକ୍‌ଜାଣ୍ଡର ଭେରେଭ୍‌ କ୍ୱାର୍ଟର ଫାଇନାଲ୍‌ ମୁକାବିଲାରେ ଅବତୀର୍ଣ୍ଣ ହୋଇଛନ୍ତି। ରବିବାର ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ଉଭୟ ଥିମ୍‌ ଓ ଭେରେଭ୍‌ କଷ୍ଟସାଧ୍ୟ ବିଜୟ ହାସଲ କରିଛନ୍ତି। ସପ୍ତମ ମାନ୍ୟତା ଥିମ୍‌ ୬-୨, ୬-୦, ୫-୭ ଓ ୬-୪ ସେଟ୍‌ରେ ଉନବିଂଶ ମାନ୍ୟତା ଜାପାନ ତାରକା କେଇ ନିଶିକୋରିଙ୍କୁ ପରାସ୍ତ କରି କ୍ରମାଗତ ତୃତୀୟ ଥର ପାଇଁ ରୋଲାଁ ଗ୍ୟାରସ୍‌ରେ କ୍ୱାର୍ଟର ଫାଇନାଲ୍‌ ପ୍ରବେଶ କରିଚନ୍ତି। ଅନ୍ୟପକ୍ଷରେ ଦ୍ୱିତୀୟ ମାନ୍ୟତା ଭେରେଭ୍‌ ଅଣମାନ୍ୟତା ରୁଷିଆ ଖେଳାଳି କାରେନ୍‌ କାଞ୍ଚାନୋଭ୍‌ଙ୍କୁ ପରାସ୍ତ କରିବା ପାଇଁ ନାକେଦମ୍‌ ହୋଇଥିଲେ। ସେ ୫ ସେଟ୍‌ ସଂଘର୍ଷ କରିବା ପରେ ୪-୬, ୭-୬, ୨-୬, ୬-୩ ଓ ୬-୩ ସେଟ୍‌ରେ ବିଜୟୀ ହୋଇ ପ୍ରଥମ ଥର ଲାଗି ଗ୍ରାଣ୍ଡ୍‌ ସ୍ଲାମ୍‌ କ୍ୱାର୍ଟର ଫାଇନାଲ୍‌ ପ୍ରବେଶ କରିଛନ୍ତି। ସେହିପରି ସର୍ବିଆ ତାରକା ନୋଭାକ୍‌ ଜୋକୋଭିକ୍‌ ଓ ଇଟାଲିର ମାର୍କୋ ସେଚିନାଟୋ ଅନ୍ୟ ଏକ କ୍ୱାର୍ଟର ଫାଇନାଲ୍‌ରେ ମୁହାଁମୁହିଁ ହେବେ। ରବିବାର ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ୨୦ତମ ମାନ୍ୟତା ଜୋକୋଭିକ୍‌ ସିଧାସଳଖ ୬-୩, ୬-୪ ଓ ୬-୨ ସେଟ୍‌ରେ ୩୦ତମ ମାନ୍ୟତା ଫର୍ନାଣ୍ଡୋ ଭର୍ଦେସ୍କୋଙ୍କୁ ପରାସ୍ତ କରିଦେଇଥିଲା ବେଳେ ଅଣମାନ୍ୟତା ସେଚିନାଟୋ ୭-୫, ୪-୬, ୬-୦ ଓ ୬-୩ ସେଟ୍‌ରେ ଅଷ୍ଟମ ମାନ୍ୟତା ଡେଭିଡ୍‌ ଗଫିନ୍‌ଙ୍କୁ ପରାସ୍ତ କରି ବିଦାୟ ରାସ୍ତା ଦେଖାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର