ବିସ୍ମୟ ହକି ବାଳକ ‘ଗୋଲି ମାଜ୍‌’

ଭୁବନେଶ୍ବର: କଳିଙ୍ଗ ହକି ଷ୍ଟାଡିୟମ୍ ଏବେ ଦେଶୀ ବିଦେଶୀଙ୍କ କ୍ରୀଡ଼ା ପର୍ଯ୍ୟଟନ କେନ୍ଦ୍ର ପାଲଟିଛି। କିନ୍ତୁ କ୍ରୀଡ଼ା ସହିତ ଜଡ଼ିତ ବ୍ୟକ୍ତିଙ୍କ ମଧ୍ୟରେ ନିଆରା ଓ ବିରଳ ପ୍ରତିଭା ବି ନଜରକୁ ଆସିଛି। ରବିବାର ପ୍ରଶଂସକ ଗାଁରେ ‘ସମ୍ବାଦ’ ପ୍ରତିନିଧି ଭେଟିଥିଲେ ନେଦରଲାଣ୍ଡର ଏକ ବିସ୍ମୟ ବାଳକଙ୍କୁ ଯାହାଙ୍କ ପ୍ରତିଭା ଏବଂ ପ୍ରତିକୂଳ ପରିସ୍ଥିତି ଭିତରେ ଥିବା ଉତ୍ସାହ ଥିଲା ଆକାଶଛୁଆଁ। ନିଜ ପିତା ଡେଭିଡ୍ ଏସ୍‌କସ୍‌ଙ୍କ ସହ ଏବେ ଭୁବନେଶ୍ବରରେ ଡେରା ପକାଇଥିବା ଏହି ୧୨ ବର୍ଷୀୟ ବାଳକ ଜଣଙ୍କ ହେଲେ ମାଜ୍‌ ଏସ୍‌କସ୍। ଗୋଲରକ୍ଷଣ କରୁଥିବାରୁ ସେ ମଧ୍ୟ ନିଜକୁ ‘ଗୋଲି ମାଜ୍‌’ ନାମରେ ପରିଚିତ କରାଇଛନ୍ତି। ଅସାଧାରଣ ଏବଂ ଷ୍ଟାଇଲିସ୍ ଏହି ହକି ପ୍ରତିଭା ପୂର୍ବ ନେଦରଲାଣ୍ଡ ପାଇଁ ୧୪ ବର୍ଷରୁ କମ୍ ରାଜ୍ୟ ପ୍ରତିଯୋଗିତାରେ ଏବଂ ଡିଏଚ୍‌ୟୁ ଭଳି ଖ୍ୟାତନାମା ହକି କ୍ଲବ୍ ପାଇଁ ମଧ୍ୟ ପ୍ରତିନିଧିତ୍ବ କରି ସାରିଛନ୍ତି। କିଛି ଦିନ ତଳେ ବିଦ୍ୟାଳୟରେ ଏକ ଛୋଟ ଦୁର୍ଘଟଣା ପାଇଁ ବାମଗୋଡ଼ ହାଡ଼ ଭାଙ୍ଗିଥିଲେ ବି ସେ ଭାରତ ଗସ୍ତକୁ ବାତିଲ କରିନଥିଲେ। ଭୁବନେଶ୍ବରରେ ସେ ଏକ ସପ୍ତାହ ହେବ ପିତାଙ୍କ ସହ ନେଦରଲାଣ୍ଡ ଏବଂ ଜର୍ମାନିର ମ୍ୟାଚ୍ ଦେଖୁଛନ୍ତି। ଏହି ଦୁଇ ୟୁରୋପୀୟ ଦେଶ ସୀମାନ୍ତରେ ଥିବା ଜୁଫେନ ସହରରେ ରହୁଥିବାରୁ ‘ଗୋଲି ମାଜ୍‌’ଙ୍କ ହୃଦୟ ବି ଜର୍ମାନି ପାଇଁ ରହିଛି। ଆମ ସହରଠାରୁ ମାତ୍ର ୨୦ କିଲୋମିଟର ଦୂର ଜର୍ମାନି ବୋଲି ସେ କହିଥିଲେ। ଭୁବନେଶ୍ବରରେ ସେ ନେଦରଲାଣ୍ଡ୍ ଏବଂ ଜର୍ମାନି ମ୍ୟାଚ୍ ବେଳକୁ ଅଲଗା ଜର୍ସି ପରିଧାନ କରି ମ୍ୟାଚ୍ ଦେଖିବାର ନିଆରା ଅନୁଭବ ବି ରଖୁଥିବା ପ୍ରକାଶ କରିଛନ୍ତି। ନିଜେ ଦିନେ ହଲାଣ୍ଡ୍ ଜାତୀୟ ଦଳରୁ ଖେଳିବାର ସ୍ବପ୍ନ ଦେଖୁଥିବା ମାଜ୍‌ଙ୍କ ବିସ୍ମୟ ପ୍ରତିଭାର ଆଉ ଏକ ଦିଗ ହେଉଛି ସେ ଏବେଠାରୁ ହକି ସ୍ବେଚ୍ଛାସେବୀ, ରେଫରି ଏବଂ ପ୍ରଶିକ୍ଷକ ପାଲଟିଛନ୍ତି।

ଆସନ୍ତା ସପ୍ତାହରେ ଏହି ପିତା-ପୁତ୍ର ନୂଆଦିଲ୍ଲୀ ଫେରି ସେଠାରେ ଥିବା ସ୍ବେଚ୍ଛାସେବୀ ହକି ଅନୁଷ୍ଠାନ ‘ୱାନ ଥାଉଜାଣ୍ଡ୍‌ ହକି ଲେଗ୍ସ’ର ଯୋଜନାରେ ସାମିଲ ହେବେ। ମାଜ୍‌ ସେଠାରେ ଥିବା ହକି ପିଲାଙ୍କୁ ଗୋଲ୍‌ରକ୍ଷଣ କିଟ୍ ପ୍ରଦାନ କରିବା ସହିତ ୩/୪ ଦିନ ପ୍ରଶିକ୍ଷଣ ଦେବେ। ସେ ଜର୍ମାନି ଏବଂ ନେଦରଲାଣ୍ଡର କିଛି ବରିଷ୍ଠ ଖେଳାଳିଙ୍କୁ ବି ଗୋଲ୍‌ରକ୍ଷଣ କଳା ଶିଖାଇଥିବା ଦାବି କରିଛନ୍ତି। ଭାରତ ଆସିବା ପୂର୍ବରୁ ମଧ୍ୟ ନେଦରଲାଣ୍ଡର କିଛି କ୍ଲବ୍‌ରୁ ସେ ଗୋଲ୍‌ରକ୍ଷଣ ସଂରଜାମ ସଂଗ୍ରହ କରି ‘ୱାନ ଥାଉଜାଣ୍ଡ୍‌ ହକି ଲେଗ୍ସ’କୁ ଦାନ କରିଥିବା ଜଣାପଡ଼ିଛି।

ଦି ମାସିଆ ଭ୍ରମଣରେ ଈଭା
କେବଳ ହକି ବିଶ୍ବକପ୍‌ ନୁହେଁ, ଭାରତ ପରିଭ୍ରମଣ ବି ଖ୍ରୀଷ୍ଟମାସ ପୂର୍ବରୁ ବିଦେଶୀଙ୍କ ଅନ୍ୟତମ କାରଣ ଓ ସୁଯୋଗ ପାଲଟିଛି। କିନ୍ତୁ ନେଦରଲାଣ୍ଡରୁ ଆସିଥିବା ଛାତ୍ରୀ ଈଭା ଜାନସେନ୍ ଏକା ଏକା ଦୁଇ ମାସିଆ ଭାରତ ଭ୍ରମଣରେ ଆସି ଏବେ ଭୁବନେଶ୍ବରରେ ହକି ବିଶ୍ବକପ୍ ଦେଖିବା ସବୁଠୁ ଉଲ୍ଲେଖନୀୟ। ହକି ଖେଳୁଥିଲେ ବି ସେଭଳି ଉପର ସ୍ତରରେ ନୁହେଁ, କିନ୍ତୁ ନିଜେ ପୃଥଳକାୟ ଥିବାରୁ ଦଳର ଗୋଲ୍‌ରକ୍ଷକ ଦାୟିତ୍ବ ତୁଲାଉଥିବା କହିଥିଲେ। ୪ ବର୍ଷିଆ ପାଠ୍ୟକ୍ରମ ‘ଅକ୍ୟୁପେସନାଲ୍ ଥେରାପି’ର ଦ୍ବିତୀୟ ବର୍ଷ ଛାତ୍ରୀ ଈଭା ପାଠ ପଢ଼ାକୁ ପଛରେ ପକାଇ ଏକା ଏକା ଭାରତ ଭ୍ରମଣ କରିବା ନିଶ୍ଚିତ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି।

ସମ୍ବନ୍ଧିତ ଖବର