ଧାଓ୍ଵନ ଓ ଭୁବି ଦେଲେ ଚମତ୍କାର ବିଜୟ

ଜୋହାନେସ୍‌ବର୍ଗ: ଟେ୍ଵଣ୍ଟି-୨୦ ଶୃଙ୍ଖଳାରେ ଧମାକାଦାର ଆରମ୍ଭ ହୋଇଛି। ଶିଖର ଧାଓ୍ଵନଙ୍କ ୨୭ ବଲ୍‌ ଅର୍ଧଶତକ ପରେ ଭୁବନେଶ୍ୱର କୁମାରଙ୍କ ପ୍ରଥମ ୫ ଓ୍ଵିକେଟ୍‌ ସଫଳତା ବଳରେ ଦକ୍ଷିଣ ଆଫ୍ରିକାକୁ ଭାରତ ୨୮ ରନ୍‌ରେ ହରାଇ ୩ ମ୍ୟାଚ୍‌ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି। ରବିବାର ଓ୍ଵଣ୍ଡରର୍ସ ଷ୍ଟାଡିୟମ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ଭାରତୀୟ ଦଳ ରୋହିତ ଶର୍ମାଙ୍କ ଜରିଆରେ ଆକ୍ରାମକ ଆରମ୍ଭ ପାଇଥିଲା। ପ୍ରଥମ ଓଭରରେ ପାଟରସନ୍‌ଙ୍କଠାରୁ ୧୮ ରନ୍‌ ଆଦାୟ କରିଥିବା ରୋହିତ ଶର୍ମା (୨୧, ୯ ବଲ୍‌, ୨ ଚୌକା, ୨ ଛକା) କିନ୍ତୁ ନବାଗତ କାର୍ଲ ଜୁନିଅର୍‌ ଡାଲାଙ୍କ ଶିକାର ହୋଇଥିଲେ। ଓ୍ଵିକେଟ୍‌ ପଛପଟେ କ୍ଲାସେନ୍‌ ନେଇଥିବା କ୍ୟାଚ୍‌କୁ ରିଭ୍ୟୁ ଜରିଆରେ ଜିତି ଡାଲା ନିଜର ପଦାର୍ପଣ ଓଭରରେ ହିଁ ଓ୍ଵିକେଟ୍‌ ନେବାର ସୌଭାଗ୍ୟ ପାଇଥିଲେ। ଏହା ପରେ ଶିଖର ଧାଓ୍ଵନ (୭୨, ୩୯ ବଲ୍‌, ୧୦ ଚୌକା, ୨ ଛକା) ୧୫ ଓଭର ପର୍ଯ୍ୟନ୍ତ ଲଢ଼େଇ କରିବା ଭାରତର ବଡ଼ ସ୍କୋର୍‌କୁ କାଏମ ରଖିଥିଲା। ସୁରେଶ ରାଇନା (୧୫, ୭ ବଲ୍‌, ୨ ଚୌକା, ୧ ଛକା) ଭଲ ଆରମ୍ଭ କରିଥିଲେ ମଧ୍ୟ ତାଙ୍କ ପ୍ରତ୍ୟାବର୍ତନ ପାଳିକୁ ନିରାଶାରେ ସାରିଥିଲେ। ବିରାଟ କୋହଲି (୨୬, ୨୦ ବଲ୍‌, ୨ ଚୌକା, ୧ ଛକା) ଜୀବନଦାନ ପାଇଥିଲେ ମଧ୍ୟ ଏହାର ଫାଇଦା ଉଠାଇ ପାରିନଥିଲେ। ଶେଷକୁ ମନୀଷ ପାଣ୍ଡେ (୨୯, ୨୭ ବଲ୍‌, ୧ ଛକା)ଙ୍କ ମନ୍ଥର ପାଳି ସହିତ ମହେନ୍ଦ୍ର ସିଂହ ଧୋନି (୧୬, ୧୧ ବଲ୍‌, ୨ ଚୌକା) ଏବଂ ହାର୍ଦିକ ପାଣ୍ଡ୍ୟା (୧୩*, ୭ ବଲ୍‌, ୨ ଚୌକା)ଙ୍କ ଜରିଆରେ ଭାରତ କେବଳ ୨୦୦ ରନ୍‌ ପାର କରି ୨୦୩/୫ରେ ପହଞ୍ଚିଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ ପ୍ରଥମ ପଦାର୍ପଣରେ କାର୍ଲ ଜୁନିଅର୍‌ ଡାଲା ୨ ଓ୍ଵିକେଟ୍‌ ନେଇଥିଲେ ମଧ୍ୟ ୪ ଓଭରରେ ୪୭ ରନ୍‌ ବ୍ୟୟ କରିଥିଲେ। ମୋରିସ, ସାମ୍‌ସି ଏବଂ ଫେଲୁକ୍ୱାୟୋ ଗୋଟିଏ ଲେଖାଏଁ ଦଖଲ କରିଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା ମଧ୍ୟ ପାଳି ଅଧା ପର୍ଯ୍ୟନ୍ତ ବେଶ ଦମ୍‌ ଦେଖାଇଥିଲା। ଟ୍ରେଭର୍‌ ସ୍ମଟ୍‌ସ ଏବଂ ଜେପି ଡୁମିନି (୩)ଙ୍କୁ ଭୁବନେଶ୍ୱର କୁମାର ନିଜର ପ୍ରଥମ ସ୍ପେଲ୍‌ରେ ପ୍ୟାଭିଲିଅନ୍‌ ରାସ୍ତା ଦେଖାଇଥିଲେ। ଏହା ପରେ ରିଜା ହେଣ୍ଡ୍ରିକ୍‌ସ (୭୦, ୫୦ ବଲ୍‌, ୮ ଚୌକା, ୧ ଛକା) ଏବଂ ଫରହାନ୍‌ ବେହାରଦିନ (୩୯, ୨୭ ବଲ, ୩ ଚୌକା, ୨ ଛକା) ଧମକାଇଥିଲେ ମଧ୍ୟ ନିଷ୍ଫଳ ରହିଥିଲେ। ମ୍ୟାଚ୍‌ର ଦ୍ୱାଦଶ ଓଭରରେ ଘରୋଇ ଦଳ ୧୦୦ ଅତିକ୍ରମ କରିଯିବା ପରେ ବିଜୟ ସମ୍ଭାବନା ରଖିଥିଲା। ବେହାରଦିନଙ୍କୁ ଚହଲ ଆଉଟ୍‌ କରିଦେବା ପରେ ଭୁବନେଶ୍ୱର କୁମାରଙ୍କ ଗୋଟିଏ ଓଭରରେ ୩ ଓ୍ଵିକେଟ୍‌ ଦଖଲ ମ୍ୟାଚ୍‌ ଶେଷକୁ ଏକତରଫା କରି ଦେଇଥିଲା। ହ୍ୟାଟ୍ରିକ୍‌ରୁ ବଞ୍ଚିତ ରହିଥିଲେ ମଧ୍ୟ ଭୁବନେଶ୍ୱର କୁମାର ୧୮ତମ ଓଭରରେ ହେଣ୍ଡ୍ରିକ୍‌ସ, କ୍ଲାସେନ୍‌, ମୋରିସ୍‌ଙ୍କ ଓ୍ଵିକେଟ୍‌ ନେଇ ଟେ୍ଵଣ୍ଟି-୨୦ ଅନ୍ତର୍ଜାତୀୟରେ ନିଜର ପ୍ରଥମ ୫ ଓ୍ଵିକେଟ୍‌ ସଫଳତା ପାଇଥିଲେ। ଏଥି ସହିତ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାରକୁ ମଧ୍ୟ ସେ କରାୟତ କରିଥିଲେ। ୪-୦-୨୪-୫ ତାଙ୍କ ଖେଳ ଜୀବନର ଶ୍ରେଷ୍ଠ ଟେ୍ଵଣ୍ଟି-୨୦ ବୋଲିଂ ଚିତ୍ର ମଧ୍ୟ ହୋଇଗଲା। ଦକ୍ଷିଣ ଆଫ୍ରିକା ଶେଷକୁ ୧୭୫/୯ରେ ସୀମିତ ରହି ୨୮ ରନ୍‌ରେ ମ୍ୟାଚ୍‌ ହାରିଥିଲା।

୩ କୀର୍ତିମାନ: ଭାରତ ନିଜର ପାଳି ଅବସରରେ ୩ଟି କୀର୍ତିମାନ କରିଥିଲା। ପାଓ୍ଵାର ପ୍ଲେରେ ସର୍ବାଧିକ ୭୮ ରନ୍‌ ସଂଗ୍ରହ କରିବା ସହିତ ଓ୍ଵଣ୍ଡରର୍ସ ପିଚ୍‌ରେ ମଧ୍ୟ ସର୍ବାଧିକ ୨୦୩ ରନ୍‌ କରିଥିଲା। ପୂର୍ବରୁ ଏହି ପଡ଼ିଆରେ ସର୍ବାଧିକ ସ୍କୋର୍‌ ୧୮୦ ରନ୍‌ ଥିଲା। ସେହିଭଳି ୨୦୩ ରନ୍‌ ମଧ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହୋଇଥିଲା ଭାରତର ସର୍ବାଧିକ ଦଳୀୟ ସ୍କୋର୍‌। ଧାଓ୍ଵନଙ୍କ ଚତୁର୍ଥ ଟେ୍ଵଣ୍ଟି-୨୦ ଅର୍ଧଶତକ ଥିଲା ତାଙ୍କ ପାଇଁ ଦ୍ୱିତୀୟ ଦ୍ରୁତତମ (୨୭ ବଲ୍‌)। ପୂର୍ବରୁ ସେ ୨୦୧୫-୧୬ ଋତୁରେ ଶ୍ରୀଲଙ୍କା ବିପକ୍ଷରେ ରାଞ୍ଚିରେ ୨୨ ବଲ୍‌ରୁ ଅର୍ଧଶତକ ହାସଲ କରିଥିଲେ।

ସମ୍ବନ୍ଧିତ ଖବର