ନୂଆ ମୋଡ଼ରେ ସ୍ୱାମୀ-ସ୍ତ୍ରୀ ବିବାଦ: ଆଇପିଏଲ୍‌ରୁ ତଡ଼ା ଖାଇପାରନ୍ତି ମହମ୍ମଦ ସାମି

ମୁମ୍ବାଇ: ଭାରତୀୟ କ୍ରିକେଟର ମହମ୍ମଦ ସାମିଙ୍କର ଅଡୁଆ ଥମିବାର ନାଁ ନେଉନାହିଁ। ପତ୍ନୀ ହାସିନ ଜାହାଁଙ୍କ ସହ ଲାଗି ରହିଥିବା ବିବାଦରେ ସାମି ଦିନକୁ ଦିନ ଛନ୍ଦି ହୋଇ ପଡୁଛନ୍ତି। ଚଳିତ ଆଇପିଏଲରେ ଦିଲ୍ଲୀ ଡେୟାରଡେଭିଲ୍‌ସ ପକ୍ଷରୁ ଖେଳୁଥିବା ମହମ୍ମଦ ସାମିଙ୍କୁ କୋଲକାତା ପୋଲିସ ସମନ ଜାରି କରିଛି। ପୁଲିସ୍‌ ସାମିଙ୍କୁ ପଚରା ଉଚରା ପାଇଁ ବୁଧବାର କୋଲକାତା ପୋଲିସ ମୁଖ୍ୟାଳୟକୁ ଡାକିଛି। ଏହା ପୂର୍ବରୁ ମଧ୍ୟ କୋଲକାତା ପୋଲିସ ବିସିସିଆଇକୁ ଚିଠି ଲେଖି ଭାରତୀୟ କ୍ରିକେଟ ଟିମ୍‌ ସହ ସାମିଙ୍କର କାର୍ଯ୍ୟକ୍ରମର ସମସ୍ତ ତଥ୍ୟ ମାଗି ସାରିଛି। ସୂଚନା ଅନୁଯାୟୀ, ଆଇପିଏଲ ମ୍ୟାଚକୁ ନେଇ ସାମି ଏବେ କୋଲକାତାରେ ହିଁ ଅଛନ୍ତି। ସୋମବାର ସାମିଙ୍କ ଦଳ ଦିଲ୍ଲୀ ଡେୟାରଡେଭିଲ୍‌ସ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା। ଯେଉଁଥିରେ ଦିଲ୍ଲୀକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ହାସିନ ଜାହାଁ ଗତ କିଛି ଦିନ ତଳେ ଦିଲ୍ଲୀ ଡେୟାରଡେଭିଲ୍‌ସ ଦଳର ମାଲିକଙ୍କୁ ମଧ୍ୟ ସାକ୍ଷାତ କରିଥିଲେ। ତେବେ ଉଭୟଙ୍କ ମଧ୍ୟରେ କଣ କଥାବାର୍ତ୍ତା ହୋଇଥିଲା ତାହା ଜଣାପଡିନାହିଁ। କିନ୍ତୁ ପତ୍ନୀଙ୍କ ସହ ବିବାଦରେ ଯଦି କୌଣସି ଆଇନଗତ ହସ୍ତକ୍ଷେପ ହୁଏ, ତେବେ ଆଇପିଏଲରୁ ତାଙ୍କୁ ହଟିବାକୁ ପଡ଼ିପାରେ।

ଏହା ପୂର୍ବରୁ ହାସିନ ଜାହାଁଙ୍କ ଦ୍ୱାରା ମାମଲା ରୁଜୁ ହେବା ପରେ କୋଲକାତା ପୋଲିସ ବିସିସିଆଇ ଠାରୁ ସାମିଙ୍କ ଯାତ୍ରାର ସମ୍ପୂର୍ଣ୍ଣ ବିବରଣୀ ମାଗିଥିଲା। ସାମି ଭାରତୀୟ କ୍ରିକେଟ ଦଳ ସହ ବିମାନରେ ଥିଲେ ନା ଅନ୍ୟ କେଉଁ ବିମାନରେ ନିଜ ଖର୍ଚ୍ଚରେ ଯାତ୍ରା କରିଥିଲେ ସେନେଇ ମଧ୍ୟ ପୋଲିସ ବିସିସିଆଇକୁ ପଚାରିଥିଲା। ଉଲ୍ଲେଖଯୋଗ୍ୟ, ହାସିନ ଜାହାଁ ସାମିଙ୍କ ଉପରେ ଅଭିଯୋଗ କରିଛନ୍ତି ଯେ, ସାମି ଦକ୍ଷିଣଆଫ୍ରିକା ଗସ୍ତରୁ ଫେରିବା ପରେ ଦୁବାଇ ଯାଇଥିଲେ। ସେଠାରେ ସେ ଜଣେ ପାକିସ୍ତାନୀ ଝିଅଙ୍କ ସହ ଭେଟିଥିଲେ। ଏବଂ ତାଙ୍କ ସହ ସାମି ହୋଟେଲରେ ଶାରୀରିକ ସମ୍ପର୍କ ରଖିଥିଲେ। ଏହି ଦୁଇ ଜଣଙ୍କର କଥାବାର୍ତ୍ତାର ରେକର୍ଡ ସାମିଙ୍କ ଫୋନରୁ ମିଳିଛି। ଏହି ସବୁ ଅଭିଯୋଗ ସହ ହସିନ ଜାହାଁ ମହମ୍ମଦ ସାମିଙ୍କ ବିରୋଧରେ କୋଲକାତାର ଲାଲ ବାଜାର ପୋଲିସ ଷ୍ଟେସନରେ ମାମଲା ରୁଜୁ କରାଇଥିଲେ। ପୋଲିସ ସାମି ଏବଂ ତାଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗରେ ମଧ୍ୟ ମାମଲା ରୁଜୁ କରିଛି। ଏହା ସହ ସାମିଙ୍କ ପରିବାରର ସଦସ୍ୟଙ୍କ ଉପରେ ହାସିନ ଜାହାଁଙ୍କ ସହ କ୍ରୁର ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏପରିକି ଆଇପିସିର ଧାରା ୩୨୩ ଅନୁଯାୟୀ, ନିଜ ସ୍ତ୍ରୀଙ୍କୁ କ୍ଷତି ପହଞ୍ଚାଇଥିବା ସାମିଙ୍କ ନାଁରେ ଅଭିଯୋଗ ମଧ୍ୟ ରହିଛି। ହାସିନ ଜାହାଁ ଫେସବୁକ ପେଜରେ ଗମ୍ଭୀର ଅଭିଯୋଗର ଅନେକ ପୋଷ୍ଟ ମଧ୍ୟ କରିଛନ୍ତି। ଯେଉଁଥିରେ ହ୍ଵାଟ୍‌ସଆପର ସ୍କ୍ରିନ ସଟ ମଧ୍ୟ ସେୟାର କରାଯାଇଛି।

ସମ୍ବନ୍ଧିତ ଖବର