ଭୁବନେଶ୍ବର: ମହାବୀର କ୍ରିକେଟ୍ କ୍ଲବ୍ ଆନୁକୂଲ୍ୟରେ ଭଦ୍ରକ ଜିଲ୍ଲା ଭଣ୍ତାରିପୋଖରୀ ବ୍ଲକ୍ ନେରଡା ପଞ୍ଚାୟତ ଅନ୍ତର୍ଗତ ଯଶୋଟିକିରି କ୍ରିକେଟ ପଡ଼ିଆରେ ଚାଲିଥିବା ମହାବୀର କପ୍ କ୍ରିକେଟ୍ ପ୍ରତିଯୋଗିତା ଶେଷ ହୋଇଛି। ରବିବାର ଫାଇନାଲ୍ରେ ଆୟୁଷରାଜ୍ ଚୌଧୁରୀ (୧୦୦*, ୩୪ ବଲ୍, ୧୬ ଚୌକା, ୩ ଛକା)ଙ୍କ ଅପରାଜିତ ଶତକ ବଳରେ ଭଦ୍ରକର ସାଳନ୍ଦୀ କ୍ଲବ୍କୁ ୮ ୱିକେଟ୍ରେ ପରାସ୍ତ କରି ଭୁବନେଶ୍ବରର ପାରାମାଉଣ୍ଟ୍ ସ୍ପୋର୍ଟିଂ ବିଜେତା ହୋଇଛି। ବିଜେତା ପାରାମାଉଣ୍ଟ୍ ୧୫,୦୦୦ ଏବଂ ଉପବିଜେତା ସାଳନ୍ଦୀ କ୍ଲବ୍ ୧୦,୦୦୦ ଟଙ୍କାର ପୁରସ୍କାର ଗ୍ରହଣ କରିଥିଲେ। ଟସ୍ ଜିତି ବ୍ୟାଟିଂ ନେଇଥିବା ସାଳନ୍ଦୀ କ୍ଲବ୍ ଦଳ ୨୪ ଓଭରରେ ୧୨୧ ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। ସଞ୍ଜୟ ଜେନା ଓ ଅମୀର ଖାନ୍ ୩୬ ରନ୍ ଲେଖାଏଁ କରିଥିଲା ବେଳେ ମିନାଲ ପରିଡ଼ା ୫ ଓଭରରେ ୧୧ ରନ୍ ଦେଇ ୬ ୱିକେଟ୍ ସଫଳତା ପାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନିକେତ ୨ ଓ ସାର୍ଥକ ଗୋଟିଏ ୱିକେଟ୍ ନେଇଥିଲେ। ଜବାବରେ ଆୟୁଷରାଜଙ୍କ ୪୪ ବଲ୍ରୁ ଅପରାଜିତ ଶତକ ବଳରେ ପାରାମାଉଣ୍ଟ୍ ୧୬ ଓଭରରେ ୨ ୱିକେଟ୍ ହରାଇ ୧୨୪ ରନ୍ ସହ ମ୍ୟାଚ୍ ଜିତି ନେଇଥିଲା। ବିପକ୍ଷ ଦଳର ସଫଳ ବୋଲର ଭାବେ ରଞ୍ଜନ ନାୟକ ୨ଟିଯାକ ୱିକେଟ୍ ପାଇଥିଲେ। ମିନାଲ୍ ଫାଇନାଲ୍ର ଏବଂ ଆୟୁଷରାଜ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲା ବେଳେ ରୋହିତ ଶ୍ରେଷ୍ଠ ୱିକେଟ୍ରକ୍ଷକ, ମିନାଲ ଶ୍ରେଷ୍ଠ ବୋଲର, ଆୟୁଷରାଜ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଏବଂ ସାର୍ଥକ ଶ୍ରେଷ୍ଠ ଅଲ୍ରାଉଣ୍ଡର ପୁରସ୍କାର ପାଇଥିଲେ। କାଳନ୍ଦୀ ପଣ୍ତା ଓ ଦୁର୍ଗା ପଟ୍ଟନାୟକ ମ୍ୟାଚ୍ ପରିଚାଳନା କରିଥିଲେ।
ପାଲଗାୟକ ହରିହର ପଲାଇଙ୍କ ସଭାପତିତ୍ବରେ ଆୟୋଜିତ ଉଦ୍ଯାପନୀ ଉସତ୍ସବରେ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମୁଖ୍ୟ ଅତିଥି, ସମାଜସେବୀ ଗୋଲକ ଚନ୍ଦ୍ର ବେହେରା ମୁଖ୍ୟବକ୍ତା, ସମାଜସେବୀ ସୁଜାତା ଜେନା, ପଞ୍ଚାୟତ ସମିତି ଅଧ୍ୟକ୍ଷା ମଞ୍ଜୁଶ୍ରୀ ବେହେରା, ସ୍ଥାନୀୟ ସରପଞ୍ଚ ବଦ୍ରୀନାରାୟଣ ରାଉତ, ସମିତିସଭ୍ୟା ପ୍ରିୟମ୍ବଦା ପ୍ରଧାନ, ପୂର୍ବତନ ସରପଞ୍ଚ ତପସ୍ବିନୀ ଜେନା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବାସୁଦେବ ବିଶ୍ବାଳ, ଅର୍ଜୁନ ଚରଣ ବରାଳ, ଚାଟାର୍ଡ ଆକାଉଣ୍ଟାଣ୍ଟ ମହେନ୍ଦ୍ର ସାହୁ, ସମାଜସେବୀ ହରେକୃଷ୍ଣ ପ୍ରଧାନ ଓ ବନମାଳୀ ପୃଷ୍ଟି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଟ୍ରଫି ଓ ପୁରସ୍କାର ପ୍ରଦାନ କରିଥିଲେ।