ୟୁନିଫର୍ମରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଏମ୍‌.ଏସ୍‌.ଧୋନି, ଭିଡିଓ ହେଲା ଭାଇରାଲ୍‌

ନୂଆଦିଲ୍ଲୀ: ବିଶ୍ୱକପ୍‌ରେ ଭାରତର ପରାଜୟ ପରଠାରୁ କ୍ରିକେଟର୍‌ ମହେନ୍ଦ୍ର ସିଂହ ଧୋନିଙ୍କ ସନ୍ନ୍ୟାସ ନେବା ଉପରେ କିଛି ଦିନ ଧରି ଖୁବ୍‌ ଚର୍ଚ୍ଚା ଚାଲିଥିଲା। କିନ୍ତୁ ଧୋନି ନିଜର ନିରବତା ଭାଙ୍ଗି କହିଥିଲେ ଯେ ସେ ଏବେ କ୍ରିକେଟରୁ ସନ୍ନ୍ୟାସ ନେଉନାହାନ୍ତି ଏବଂ ଟିମ୍‌ ସହ ୱେଷ୍ଟଇଣ୍ଡିଜ୍‌ ଗସ୍ତରେ ନଯାଇ ସେ ସେନାରେ ୨ ମାସ ଟ୍ରେନିଙ୍ଗ୍‌ ନେବେ। ମହେନ୍ଦ୍ର ସିଂହ ଧୋନି ଭାରତୀୟ ସେନାରେ ଅନରାରି ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦରେ ଥିବା ସହ ପାରାସୁଟ୍‌ ରେଜିମେଣ୍ଟ୍‌ର ୧୦୬ ବାଟାଲିୟନ୍‌ରେ କାର୍ଯ୍ୟରତ ଅଛନ୍ତି। ଏଥି ମଧ୍ୟରେ ତାଙ୍କର ଏକ ଭିଡିଓ ଏବେ ଖୁବ୍‌ ଭାଇରାଲ୍‌ ହେଉଛି। ଯେଉଁଥିରେ ସେ ଆର୍ମି ୟୁନିଫର୍ମ ପିନ୍ଧି ଗାଡିରୁ ଓହ୍ଲାଇ ‘ଜୟହିନ୍ଦ୍‌’ କହୁଛନ୍ତି।

ତେବେ ଯାଞ୍ଚ୍‌ରୁ ଏହି ଭିଡିଓ ବର୍ତ୍ତମାନର ନୁହଁ ବୋଲି ଜଣାପଡିଛି। ଆନନ୍ଦ ମହିନ୍ଦ୍ରା ଏହି ଭିଡିଓଟିକୁ ନିଜ ଅଫିସିଆଲ୍‌ ଟ୍ଵିଟର୍‌ ହ୍ୟାଣ୍ଡଲ୍‌ରେ ସେୟାର୍‌ କରିଛନ୍ତି, ଯାହା ୩ ବର୍ଷ ତଳର ବୋଲି ଜଣାପଡିଛି। ତାଙ୍କ ଏହି ଭିଡିଓକୁ ୟୁଜର୍ସ ମଧ୍ୟ ଖୁବ୍‌ ସେୟାର୍‌ କରି ଭାଇରାଲ୍‌ କରୁଛନ୍ତି। ତେବେ ଧୋନି ଆଗାମୀ ୨ ମାସ ପର୍ଯ୍ୟନ୍ତ ସେନାରେ ଟ୍ରେନିଙ୍ଗ୍‌ ନେବେ। ଏଥିପାଇଁ ଧୋନିଙ୍କୁ ଆର୍ମି ମୁଖ୍ୟ ବିପିନ୍‌ ରାଓ୍ଵତ ଟ୍ରେନିଙ୍ଗ୍‌ ପାଇଁ ଅନୁମତି ମଞ୍ଜୁର କରି ସାରିଛନ୍ତି।

ସୁଚନା ଅନୁସାରେ, ତାଙ୍କ ଟ୍ରେନିଙ୍ଗ୍‌ ଜମ୍ମୁ-କାଶ୍ମୀରରେ ହେବ କିନ୍ତୁ ସେ ସକ୍ରିୟ ଅପରେସନ୍‌ରେ ଯୋଗ ଦେଇପାରିବେ ନାହିଁ। ୨୦୧୧ ମସିହାରେ ଧୋନିଙ୍କୁ ଇଣ୍ଡିଆନ୍‌ ଟେରିଟୋରିଆଲ୍‌ ଆର୍ମିରେ ଲେଫ୍‌ଟିନାଣ୍ଟ୍‌ କର୍ଣ୍ଣଲ ର‍୍ୟାଙ୍କ୍‌ ଦିଆଯାଇଥିଲା।

ସମ୍ବନ୍ଧିତ ଖବର