ନେଦର୍‌ଲାଣ୍ଡ୍‌ର ମନଇଚ୍ଛା ଗୋଲ୍, ମାଲେସିଆକୁ ୭-୦ରେ ହରାଇଲା

ଭୁବନେଶ୍ବର: ଓଡ଼ିଶା ହକି ବିଶ୍ବକପ୍‌ର ପୁଲ୍ ଅଫ୍ ଡେଥ୍ କୁହାଯାଉଥିବା ‘ଡି’ ଆକଳନ କିନ୍ତୁ ପ୍ରଥମରୁ ଏକତରଫା ଫଳ ଦେଇଛି। ଗତ ସଂସ୍କରଣ ରୌପ୍ୟ ପଦକ ବିଜେତା ନେନରଲାଣ୍ଡ ମନଈଚ୍ଛା ଗୋଲ୍ ଦେଇ ୭-୦ରେ ଏସୀୟ ଦଳ ମାଲେସିଆକୁ ଦଳି ଦେଇଛି। ଦଳର ଅଭିଜ୍ଞ ଫରୱାର୍ଡ ଜେରୋନ ହାର୍ଟବର୍ଜରଙ୍କ ହ୍ୟାଟ୍ରିକ୍ ଗୋଲ୍‌ (୧୧, ୨୯, ୬୦ ମିନିଟ) ଦେଇ ଏସୀୟ କ୍ରୀଡ଼ା ରୌପ୍ୟ ବିଜେତା ମାଲେସିଆକୁ ଖାଲି ହାତରେ ଅଭିଯାନ ଆରମ୍ଭ କରିବାକୁ ବାଧ୍ୟ କରିଛନ୍ତି। ଶନିବାରର ଏହି ପୁଲ୍ ‘ଡି’ ଉଦ୍‌ଘାଟନୀ ମ୍ୟାଚ୍‌ ସମ୍ପୂର୍ଣ୍ଣ ଭାବେ ନେଦରଲାଣ୍ଡର ପ୍ରାଧାନ୍ୟ ଭିତରେ ରହିଥିଲା। ନେଦରଲାଣ୍ଡର ବଲ୍ ନିୟନ୍ତ୍ରଣ, ଡ୍ରିବଲ, ଗତି ଓ କୌଶଳ ଆଗରେ ମାଲେସିଆ ମିସ୍‌ମ୍ୟାଚ୍ ଭଳି ଖେଳିଥିଲା। ୩ ଥର ବିଶ୍ବକପ୍ ବିଜେତା ଏହି ଦେଶର ସବୁଠୁ ଅଭିଜ୍ଞ ୨୯ ବର୍ଷୀୟ ଫରୱାର୍ଡ ଜୋରୋନ୍ ହାର୍ଟବର୍ଜର (୨୦୭ ମ୍ୟାଚ) ଏକାଦଶ ମିନିଟରୁ ଅଭିଯାନ ଆରମ୍ଭ କରିଥିଲେ। ପ୍ରଥମ କ୍ବାର୍ଟର ୧-୦ରେ ବିତିଥିଲା। ପରବର୍ତୀ ୩ କ୍ବାର୍ଟରରେ ନେଦରଲାଣ୍ଡ ୨ ଲେଖାଏଁ ଗୋଲ୍ ଦେଇଥିଲା। ମୋଟ ୭ ପେନାଲଟି କର୍ନର ପାଇଥିବା ନେଦରଲାଣ୍ଡ ସେଥିରୁ କିନ୍ତୁ ମାତ୍ର ୨ଟି ଗୋଲ୍‌ କରିଥିଲା। ଅନ୍ୟ ୫ଟି ସୁନ୍ଦର ଫିଲଡ୍ ଗୋଲ୍‌ କିନ୍ତୁ କଳିଙ୍ଗ ପ୍ରଶଂସକଙ୍କୁ ପଇସା ଅସୁଲର ସୁଯୋଗ ଦେଇଥିଲା। ୨୧ ମିନିଟରେ ମାଇକ୍ରୋ ପ୍ରୁଜସର, ୨୯ ମିନିଟରେ ଜୋରୋନ୍ ହାର୍ଟବର୍ଜର, ୩୫ ମିନିଟରେ ମିଙ୍କ ଭାନ୍ ଡେର୍ ୱିର୍ଦେନ, ୪୨ ମିନିଟରେ ରବର୍ଟ କେମ୍ପରମ୍ୟାନ, ୫୭ ମିନିଟରେ ଥିଏରି ବ୍ରିଙ୍କମ୍ୟାନ ଏବଂ ଶେଷ ମିନିଟରେ ଜୋରୋନ୍ ହାର୍ଟବର୍ଜରଙ୍କ ଗୋଲ୍ ମାଲେସିଆକୁ ପୂରା ସ୍ତବ୍‌ଧ କରି ଦେଇଥିଲା। ରକ୍ଷଣଭାଗ ହେଉ କି ଆଗ୍ରଭାଗ କେଉଁଥିରେ ମାଲେସିଆ ପ୍ରତିଦ୍ବନ୍ଦ୍ବୀ ନେଦରଲଣ୍ଡ ସହ ତୁଳନୀୟ ନଥିଲା। ଏମିତିକି ନେଦରଲାଣ୍ଡ ଖେଳାଳି ଏକା ଏକା ବଲ୍ ନେଇ ସର୍କ‌ଲରେ ପ୍ରବେଶ କରି ଅନାୟାସରେ ଗୋଲ୍‌ କରୁଥିଲେ। ଅଧିକାଂଶ ସମୟ ମାଲେସିଆ ଡି‌ଫେଣ୍ଡର ଓ ଗୋଲରକ୍ଷକ କୁମାର ସୁବ୍ରମିଆମ ଦର୍ଶକ ସାଜୁଥିଲେ। ଶେଷ ଦୁଇ ଗୋଲ୍‌ ସବୁଠୁ ଆକର୍ଷଣୀୟ ଥିଲା। ୫୭ତମ ମିନିଟରେ ପେନାଲଟି କର୍ନର ଗୋଲ୍‌କୁ ଡିଫେଣ୍ଡର ରୋକିଥିଲେ ମଧ୍ୟ ଥିଏରି ବ୍ରିଙ୍କମ୍ୟାନଙ୍କ ଶକ୍ତିଶାଳୀ ହିଟକୁ କେହି ରୋକିବାର ଜୁ ପାଇନଥିଲେ। ଶେଷ ଗୋଲ୍‌ଟି କିନ୍ତୁ ଶନିବାରର ନାୟକ ହାର୍ଟବର୍ଜରଙ୍କ ଏକଲା ପ୍ରୟାସର ଫଳ ଥିଲା। ୨/୩ ଡିଫେଣ୍ଡରଙ୍କୁ ପରାସ୍ତ କରିବା ପରେ ସେ ଗୋଲରକ୍ଷକଙ୍କୁ ଚତୁରତାର ସହ ଚକ୍‌ମା ଦେଇ ପ୍ରଥମ ଓ ସପ୍ତମ ଗୋଲ୍‌ ସହ ଅଭିଯାନ ଶେଷ କରିଥିଲେ। ହ୍ୟାଟ୍ରିକ୍ ମ୍ୟାନ୍‌ ଜେରୋନ ହାର୍ଟବର୍ଜରଙ୍କୁ ନାଲକୋ ସିଏମଡି ତପନ କୁମାର ଚାନ୍ଦ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ। ଏହି ମ୍ୟାଚ୍‌ରେ ନେଦରଲାଣ୍ଡର ୨୯ ବର୍ଷୀୟ ମଧ୍ୟପନ୍ଥୀ ଖେଳାଳି ରବର୍ଟ ‌କେମ୍ପରମ୍ୟାନ୍‌ ନିଜର ୨୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ପୁଲ ‘ଡି’ର ପରବର୍ତୀ ମ୍ୟାଚ୍‌ରେ ବୁଧବାର ଜର୍ମାନି-ନେଦରଲାଣ୍ଡ ଏବଂ ମାଲେସିଆ-ପାକିସ୍ତାନ ମୁକାବିଲା ହେବ।

ରାଇଟ୍‌ଙ୍କୁ ସୁନା ଶୁଷୁରି
ଗୁରୁବାରର ନ୍ୟୁଜିଲାଣ୍ଡ-ଫ୍ରାନ୍ସ ମ୍ୟାଚ୍‌ ଅବସରରେ ଦକ୍ଷିଣ ଆଫ୍ରିକୀୟ ଅମ୍ପାୟାର ପିଟର ରାଇଟ୍‌ଙ୍କୁ ଅନ୍ତର୍ଜାତୀୟ ହକି ମହାସଂଘ (ଏଫଅରଇଏଚ୍) ପକ୍ଷରୁ ସ୍ବତନ୍ତ୍ର ଭାବେ ସମ୍ବର୍ଧିତ କରାଯାଇଥିଲା। ଗତ ୧୪ ବର୍ଷ ଧରି ହକି ଅମ୍ପାୟାରିଂ କରି ଆସୁଥିବା ରାଇଟ୍‌ ଚଳିତ ବର୍ଷର ପାନ୍ ଆମେରିକାନ୍ କପ୍‌ରେ ୧୦୦ ଅନ୍ତର୍ଜାତୀୟ ମ୍ୟାଚ୍ ପରିଚାଳନା କରିବାର ମାଇଲଖୁଣ୍ଟ ଛୁଇଁଥିଲେ। ଏଥିଲାଗି ତାଙ୍କୁ ଏଫ୍‌ଆଇଏଚ୍ ବିଶ୍ବକପ୍‌ରେ ସମ୍ବର୍ଧିତ କରିବାକୁ ପୂର୍ବରୁ ଘୋଷଣା କରିଥିଲା। ତଦନୁଯାୟୀ ଏଫ୍‌ଆଇଏଚ୍ ସଭାପତି ନରେନ୍ଦ୍ର ବାତ୍ରା ନ୍ୟୁଜିଲାଣ୍ଡ-ଫ୍ରାନ୍ସ ମ୍ୟାଚ୍ ବେଳେ ରାଇଟ୍‌ଙ୍କୁ ସୁନା ଶୁଷୁରି ଦେଇ ସମ୍ବର୍ଧିତ କରିଥିଲେ। ରାଇଟ୍‌ଙ୍କ ବଡ଼ ଭାଇ ଜନ୍ ରାଇଟ୍ ମଧ୍ୟ ଜଣେ ହକି ଅମ୍ପାୟାର।

ସମ୍ବନ୍ଧିତ ଖବର