ମଳୟଙ୍କୁ ନୂଆ କୀର୍ତିମାନ ସହ ସ୍ୱର୍ଣ୍ଣ

ସର୍ବଭାରତୀୟ ଡାକ ମଣ୍ଡଳ ଦୌଡ଼କୁଦ

ବନେଶ୍ୱର: ରାଜସ୍ଥାନର ଜୟପୁରରେ ଗୁରୁବାର ଉଦ୍‌ଯାପିତ ସର୍ବଭାରତୀୟ ଡାକମଣ୍ଡଳ ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଆ ପିଲାଙ୍କୁ ୨ ଲେଖାଏଁ ସ୍ୱର୍ଣ୍ଣ ଓ କାଂସ୍ୟ ପଦକ ମିଳିଛି। ଅଭିଜ୍ଞ ମଳୟ ରଂଜନ ପତି ହାମର ଥ୍ରୋରେ ନୂଆ କୀର୍ତିମାନ ସହିତ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ପ୍ରତିଯୋଗିତାରେ ଏହା ମଳୟଙ୍କ ଦ୍ୱାଦଶ ସ୍ୱର୍ଣ୍ଣ। ଗୁରୁବାର ମଳୟ ୪୮.୯୨ ମିଟର୍‌ ଦୂରକୁ ହାମର୍‌ ଫିଙ୍ଗି ନିଜ ନାମରେ ଥିବା ପୂର୍ବ କୀର୍ତିମାନ (୪୮.୨୦ ମିଟର୍‌)କୁ ପଛରେ ପକାଇଥିଲେ। ସେହିଭଳି ଜାତୀୟସ୍ତରର ପ୍ରତିଯୋଗୀ ଧର୍ମେନ୍ଦର ମହାନ୍ତ ୧୧୦ ମିଟର୍‌ ବାଧାଦୌଡ଼କୁ ୧୫.୭ ସେକେଣ୍ଡ୍‌ରେ ଅତିକ୍ରମ କରି ଓଡ଼ିଶା ଡାକମଣ୍ଡଳ ପାଇଁ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ଅନ୍ତର୍ଜାତୀୟ ଧାବିକା ରେଣୁବାଳା ମହାନ୍ତ କିନ୍ତୁ ବ୍ୟକ୍ତିଗତ ଭାବେ ୨ କାଂସ୍ୟ ପଦକ ହାସଲ କରିଥିଲେ। ମହିଳା ଲଙ୍ଗ୍‌ ଜମ୍ପ୍‌ରେ ୪.୮୦ ମିଟର୍‌ ଏବଂ ଟ୍ରିପଲ୍‌ ଜମ୍ପ୍‌ରେ ୯.୮୦ ମିଟର୍‌ ଦୂରକୁ ଲମ୍ଫ ମାରି ସେ ଉଭୟରେ ତୃତୀୟ ସ୍ଥାନରେ ରହିଥିଲେ। ଓଡ଼ିଶାର ଅନ୍ୟ ପ୍ରତିଯୋଗୀଙ୍କ ମଧ୍ୟରେ ବୁଦ୍ଧୁରାମ ସିଂହ, ଦିଲୀପ କୁମାର ରାଉତ, ଗୋପୀନାଥ ମହାନ୍ତି ମଧ୍ୟ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ। ଦେବାନନ୍ଦ ପଟେଲ୍‌ ଦଳର ପ୍ରଶିକ୍ଷକ ଓ ପ୍ରବଂଧକ ଦାୟିତ୍ୱ ତୁଲାଇଥିଲେ।

ସମ୍ବନ୍ଧିତ ଖବର