ମାଲେସିଆ ଓପନ୍‌ରୁ ସାଇନା ବିଦା: କ୍ୱାର୍ଟର୍‌ରେ ସିନ୍ଧୁ, ଶ୍ରୀକାନ୍ତ

କୁଆଲାଲୁମ୍ପୁର: ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ତାରକା ପିଭି ସିନ୍ଧୁ ଏବଂ କିଦାମ୍ବି ଶ୍ରୀକାନ୍ତ ୭୦୦,୦୦୦ ଡଲାର ପୁରସ୍କାର ରାଶି ବିଶିଷ୍ଟ ମାଲେସିଆନ୍‌ ଓପନ୍‌ ପ୍ରତିଯୋଗିତାର କ୍ୱାର୍ଟର୍‌ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ପୂର୍ବତନ ଶୀର୍ଷ ମାନ୍ୟତା ଭାରତୀୟ ଲଳନା ସାଇନା ନେହଓ୍ଵାଲ୍‌ ପ୍ରି-କ୍ୱାର୍ଟର୍‌ ଫଇନାଲ୍‌ରୁ ବିଦା ହୋଇଛନ୍ତି। ଗୁରୁବାର ପୁରୁଷ ଏକକ ମୁକାବିଲାରେ ତୃତୀୟ ମାନ୍ୟତା ଶ୍ରୀକାନ୍ତ ୨୨-୨୦, ୨୧-୧୨ରେ ଚାଇନିଜ୍‌ ତାଇପେର ଓ୍ଵାଙ୍ଗ୍‌ ତିଜୁ-େଓ୍ଵଇଙ୍କୁ ପରାସ୍ତ କରିଥିଲେ। ଶ୍ରୀକାନ୍ତ କ୍ୱାର୍ଟର ଫାଇନାଲ୍‌ରେ ଫ୍ରାନ୍ସର ବ୍ରାଇସ୍‌ ଲିଭରଦେଜ୍‌ଙ୍କୁ ଭେଟିବେ। ସେହିଭଳି ମହିଳା ଏକକରେ ଅଲିମ୍ପିକ୍‌ ରୌପ୍ୟ ବିଜୟିନୀ ସିନ୍ଧୁ ୨୧-୮, ୨୧-୧୪ରେ ମାଲେସିଆର ଲି ୟିଙ୍ଗ୍‌ ୟିଙ୍ଗ୍‌ଙ୍କୁ ହରାଇ ଦେଇଥିଲେ। ସେ କ୍ୱାର୍ଟର୍‌ରେ ସ୍ପେନ୍‌ର କାରୋଲିନା ମାରିନ୍‌ଙ୍କୁ ଭେଟିବେ। ତେବେ ସାଇନା ୧୫-୨୧, ୧୩-୨୧ରେ ଦ୍ୱିତୀୟ ମାନ୍ୟତା ଜାପାନ୍‌ର ଆକାନେ ୟାମାଗୁଚିଙ୍କଠୁ ହାରି ଯାଇଥିଲେ। ଏହି ଜାପାନୀ ଖେଳାଳିଙ୍କୁ ସାଇନା ୭ ଥର ଭେଟିଥିଲେ ମଧ୍ୟ ଷଷ୍ଠ ଥର ଲାଗି ପରାଜୟ ବରଣ କରିଥିଲେ। କେବଳ ୨୦୧୪ ଚାଇନା ଓପନ୍‌ରେ ସେ ୟାମାଗୁଚିଙ୍କୁ ପରାସ୍ତ କରିକାବୁ ସକ୍ଷମ ହୋଇଥିଲେ।

ସମ୍ବନ୍ଧିତ ଖବର