କିଗାଲି (ରୱାଣ୍ଡା): ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ରେ ମଙ୍ଗଳବାର ସବୁଠାରୁ କମ୍ ସ୍କୋର୍ ଦେଖିବାକୁ ମିଳିଛି। ରୱାଣ୍ଡା ବିପକ୍ଷ ଏକ ମହିଳା ଟ୍ବେଣ୍ଟି-୨୦ ମ୍ୟାଚ୍ରେ ମାଲି ଦଳ ମାତ୍ର ୬ ରନ୍ କରି ଏହି ଅନିଛାକୃତ କୀର୍ତ୍ତିମାନର ଅଧିକାରୀ ହୋଇଛି। ଏହି ମ୍ୟାଚ୍ରେ ପ୍ରାରମ୍ଭିକ ଖେଳାଳି ମାରିଅମ୍ ସାମାକେ (୧)ଙ୍କ ଛଡ଼ା ଅନ୍ୟ କୌଣସି ବ୍ୟାଟର୍ ଖାତା ଖୋଲିବାକୁ ସକ୍ଷମ ହୋଇନଥିଲେ। ୯ ଓଭର ଖେଲିଥିବା ଏହି ଦଳ ୫ ରନ୍ ଅତିରିକ୍ତରୁ ପାଇଥିଲା। ଜାବାବରେ ରୱାଣ୍ଡା ମାତ୍ର ୪ ବଲ୍ରେ କୌଣସି ୱିକେଟ୍ ନହରାଇ ମ୍ୟାଚ୍ ଜିତି ନେଇଥିଲା। ପୂର୍ବରୁ ଏହି ବିରଳ କୀର୍ତ୍ତିମାନ ଚୀନ୍ ମହିଳା ଦଳ ନାମରେ ଥିଲା। ଚଳିତ ବର୍ଷ ୟୁଏଇ ବିପକ୍ଷରେ ଚୀନ୍ ୧୪ ରନ୍ରେ ଅଲ୍ଆଉଟ୍ ହୋଇଥିଲା। ବ୍ୟାଙ୍କକ୍ରେ ଖେଳାଯାଇଥିବା ଏହି ମ୍ୟାଚ୍କୁ ୟୁଏଇ ୧୮୯ ରନ୍ରେ ଜିତି ନେଇଥିଲା। ଯାହା ଟ୍ବେଣ୍ଟି-୨୦ରେ ସର୍ବାଧିକ ରନ୍ ବ୍ୟବଧାନର ଜିତିବାର କୀର୍ତ୍ତିମାନ ହୋଇଥିଲା।