ଶବର କପ୍ ଜିତିଲା ମଙ୍ଗଳା କ୍ଲବ୍‌

ଖଣ୍ଡଗିରି: କଟକର ମଙ୍ଗଳା କ୍ଲବ୍‌ ୨୧ତମ ଶବର କପ୍ ଫୁଟ୍‌ବଲ୍‌ ପ୍ରତିଯୋଗିତାର ବିଜେତା ଆଖ୍ୟା ହାସଲ କରିଛି। ରବିବାର ଉତ୍କଣ୍ଠାପୂର୍ଣ୍ଣ ଫାଇନାଲ୍‌ ମ୍ୟାଚ୍‌ରେ ମଙ୍ଗଳା କ୍ଲବ୍‌ ୧-୦ ଗୋଲ୍‌ରେ ଅନ୍ୟତମ କଟକ ଦଳ ବିଡ଼ାନାସୀ କ୍ଲବ୍‌କୁ ପରାସ୍ତ କରି ଟ୍ରଫି ଜିତି ନେଇଛି। ପ୍ରଥମାର୍ଧ ଗୋଲ୍‌ ଶୂନ୍ୟ ରହିବା ପରେ ଦ୍ବିତୀୟାର୍ଧର ୪୪ ମିନିଟ୍‌ରେ ମଳୟ ନାୟକଙ୍କ ଏକ ସୁନ୍ଦର ପାସ୍‌କୁ ବିକାଶ ସାହୁ ଗୋଲ୍‌ରେ ପରିଣତ କରି ମଙ୍ଗଳା କ୍ଲବ୍‌କୁ ଅଗ୍ରଣୀ‌ଦେଇଥିଲେ। ମ୍ୟାଚ୍‌ ଶେଷ ପର୍ଯ୍ୟନ୍ତ ବହୁ ଉଦ୍ୟମ କରି ବିଡ଼ାନାସୀ ଦଳ ଗୋଲ୍‌ ପରିଶୋଧ କରିନପାରି ଉପବିଜେତାରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଥିଲା। ମ୍ୟାଚ୍ ପରିଚାଳନା କରିଥିଲେ ଶିବପ୍ରସାଦ ଦାସ, ପ୍ରିୟବୟତ ବାହିନୀପତି, ସଖାୱାତ୍ ଖାଁ ଓ ଦିଗବିଜୟ ଦାସ। ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜୁ ଯୁବବାହିନୀର ଅଧ୍ୟକ୍ଷ ଅରୂପ ପଟନାୟକ ବିଜେତା ମଙ୍ଗଳା କ୍ଲବକୁ ଟ୍ରଫି ସହ ନଗଦ ୧୦ ହଜାର ଟଙ୍କା ଓ ଉପବିଜେତା ବିଡ଼ାନାସୀ ଦଳକୁ ଟ୍ରଫି ସହ ୭ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ। ଶ୍ରେଷ୍ଠ ଫରୱାର୍ଡ ଓ ରକ୍ଷଣଭାଗ ଖେଳାଳି ଭାବେ ମଙ୍ଗଳା କ୍ଲବ୍‌ର ବିକାଶ ସାହୁ ଓ ‌ଆର୍ତ୍ତତ୍ରାଣ ସାମଲ ଏବଂ ଶ୍ରେଷ୍ଠ ଖେଳାଳି ଭାବେ ବିଡ଼ାନାସୀର ଅନୀଲ୍‌ ସାସ୍‌ମଲ୍‌ଙ୍କୁ ପୁରସ୍କୃତ କରାଯାଇଥିଲା। ଖୋର୍ଧା ଜିଲ୍ଲା ଶବର କ୍ରୀଡ଼ାସଂଘ ଆନୁକୂଲ୍ୟରେ ଯାଁଳା ରାଧାଚରଣପୁର ଖେଳପଡ଼ିଆରେ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ ଜଟଣୀର ପୂର୍ବତନ ବିଧାୟକ ବିଭୁତି ଭୂଷଣ ବଳବନ୍ତରାୟ, ଖୋର୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଦଳେଇ, ଯାଁଳା ସମିତି ସଭ୍ୟ ନାଭିଦୈତ୍ୟ ମଙ୍ଗରାଜ, ଆୟୋଜକ ସଂଘର ଉପଦେଷ୍ଟା ପ୍ରଦୀପ ପଟନାୟକ, ସମ୍ପାଦକ ବିଜୟ କୁମାର ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର