ମନୀଷା ଓ କିଟ୍‌ ରଗ୍‌ବି ଦଳ ଦେଲେ ସ୍ବର୍ଣ୍ଣ, କଳିଙ୍ଗରେ ମହକିଲେ ମନୀଷା

ଭୁବନେଶ୍ବର: ଚଳିତ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଶୁକ୍ରବାର ଓଡ଼ିଶାର କିଟ୍‌ ମହିଳା ରଗ୍‌ବି ଦଳ ଏବଂ ସମ୍ବଲପୁରର ଲମ୍ବ ଡିଆଁ ତାରକା ମନୀଷା ମେରେଲ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଏହି ଦୁଇ ସ୍ବର୍ଣ୍ଣ ସହ ଓଡ଼ିଶାକୁ ସମ୍ବଲପୁର ମହିଳା ହକି ଦଳ ରୌପ୍ୟ ଓ କିଟ୍‌ ପୁରୁଷ ରଗ୍‌ବି ଦଳ କାଂସ୍ୟ ପଦକ ଭେଟି ଦେଇଛନ୍ତି। ଫଳରେ ଅଷ୍ଟମ ଦିନ ସୁଦ୍ଧା ଓଡ଼ିଶାର ପଦକ ସଂଖ୍ୟା ୯ (୪ ସ୍ବର୍ଣ୍ଣ, ୩ ରୌପ୍ୟ, ୨ କାଂସ୍ୟ)ରେ ପହଞ୍ଚିଛି। ଏଥିରେ କିଟ୍‌ର ୫ (୨ ସ୍ବର୍ଣ୍ଣ, ୧ ରୌପ୍ୟ, ୨ କାଂସ୍ୟ), ସମ୍ବଲପୁରର ୨ (୧ ସ୍ବର୍ଣ୍ଣ, ୧ ରୌପ୍ୟ) ଓ ବ୍ରହ୍ମପୁରର ୨ (୧ ସ୍ବର୍ଣ୍ଣ, ୧ ରୌପ୍ୟ) ପଦକ ରହିଛି।

ପଦକ ତାଲିକାରେ ପୁନେ ଆଗୁଆ
ଚଳିତ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପଦକ ତାଲିକାର ଆଗରେ ରହିଛି ସାବିତ୍ରୀବାଇ ଫୁଲେ ପୁନେ ବିଶ୍ବବିଦ୍ୟାଳୟ। ଶୁକ୍ରବାର ଏହି ବିଶ୍ବବିଦ୍ୟାଳୟ ୨ ସ୍ବର୍ଣ୍ଣ, ୨ ରୌପ୍ୟ ଓ ଗୋଟିଏ କାଂସ୍ୟ ଜିତିଥିଲା। ଫଳରେ ଅ‌ଷ୍ଟମ ଦିନ ସୁଦ୍ଧା ପୁନେ ୧୫ ସ୍ବର୍ଣ୍ଣ, ୭ ରୌପ୍ୟ ଓ ୭ କାଂସ୍ୟ ସହ ମୋଟ ୨୯ ପଦକ ସହ ପ୍ରଥମ ସ୍ଥାନକୁ ଆହୁରି ଦୃଢ଼ କରିଛି। ଏହା ପଛକୁ ପଞ୍ଜାବ ବିଶ୍ବବିଦ୍ୟାଳୟ (୧୧ ସ୍ବର୍ଣ୍ଣ, ୧୩ ରୌପ୍ୟ, ୮ କାଂସ୍ୟ) ୩୨, ଜୈନ ବିଶ୍ବବିଦ୍ୟାଳୟ (୮ ସ୍ବର୍ଣ୍ଣ, ୬ ରୌପ୍ୟ, ୨ କାଂସ୍ୟ) ୧୬, ପଞ୍ଜାବୀ ବିଶ୍ବବିଦ୍ୟାଳୟ (୮ ସ୍ବର୍ଣ୍ଣ, ୫ ରୌପ୍ୟ, ୯ କାଂସ୍ୟ) ୨୨ ଏବଂ ଏମ୍‌ଡିୟୁ ରୋହତକ (୭ ସ୍ବର୍ଣ୍ଣ, ୬ ରୌପ୍ୟ, ୫ କାଂସ୍ୟ) ୧୮ ପଦକ ସହ ଯଥାକ୍ରମେ ଦ୍ବିତୀୟରୁ ପଞ୍ଚମ ସ୍ଥାନରେ ରହିଛନ୍ତି।

ରଗ୍‌ବିରେ କିଟ୍‌ ପୁରୁଷଙ୍କୁ କାଂସ୍ୟ
ରଗ୍‌ବି‌ରେ କିଟ୍‌ ମହିଳା ସ୍ବର୍ଣ୍ଣ ପଦକ ଜିତି ଥିଲା ବେଳେ ପୁରୁଷ ଦଳ କାଂସ୍ୟରେ ସନୁ‌ଷ୍ଟ ହୋଇଛି। ମହିଳା ଫାଇନାଲ୍‌ରେ କିଟ୍‌ ଦଳ ୩୧-୭ରେ ପାଟଳିପୁତ୍ର ବିଶ୍ବବିଦ୍ୟାଳୟକୁ ପରାସ୍ତ କରିଥିଲା। ପ୍ରଥମାର୍ଧରେ କିଟ୍‌ ୧୨-୭ରେ ଆଗୁଆ ରହିଥିଲା। ‌ଦ୍ବିତୀୟାର୍ଧରେ କିଟ୍‌ ଖେଳାଳି ୧୯ ପଏଣ୍ଟ୍‌ କରାୟତ୍ତ କରିଥିଲା ବେଳେ ବିପକ୍ଷ ଦଳକୁ ପଏଣ୍ଟ୍‌ କରିବାରେ କୌଣସି ସୁଯୋଗ ଦେଇ ନଥିଲେ। କିଟ୍‌ ପକ୍ଷରୁ ଦାମିନୀ ୧୧, ହୁପି ୧୦ ଏବଂ ରଜନୀ ଓ ବାସନ୍ତୀ ୫ ପଏଣ୍ଟ୍‌ ଲେଖାଏଁ କରିଥିଲେ। ପୁରୁଷରେ ସେମିଫାଇନାଲ୍‌ରେ ହରିଥିବା କିଟ୍‌ ଦଳ ଶୁକ୍ରବାର କାଂସ୍ୟ ମୁକାବିଲାରେ ପଞ୍ଜାବର ଲଭ୍‌ଲି ପ୍ରଫେସ୍‌ନାଲ ବିଶ୍ବବିଦ୍ୟାଳୟକୁ ୩୨-୦ରେ ହରାଇ ଦେଇଥିଲା। ଅଜିତ କୁମାର ୧୭,‌ ଗୌରାଙ୍ଗ ୧୦ ଏବଂ ସୁଗୁଡ଼ା ୫ ପଏଣ୍ଟ୍‌ କରିଥିଲେ।

ସମ୍ବଲପୁର ମହିଳାଙ୍କୁ ହକି ରୌପ୍ୟ
ମହିଳା ହକିର ଫାଇନାଲ୍‌ରେ ପହଞ୍ଚିଥିବା ସମ୍ବଲପୁର ବିଶ୍ବବିଦ୍ୟାଳୟ ଦଳ ରୌପ୍ୟରେ ସନ୍ତୁଷ୍ଟ ରହିଛି। ଶୁକ୍ରବାର ଫାଇନାଲ୍‌ରେ ଏହି ଦଳ ୧-୪ ଗୋଲ୍‌ରେ ମଧ୍ୟପ୍ରଦେଶର ଆଇଟିଏମ୍‌ ବିଶ୍ବବିଦ୍ୟାଳୟଠୁ ପରାଜିତ ହୋଇଥିଲା। ଆଇଟିଏମ୍‌ ପକ୍ଷରୁ ଅଞ୍ଜଳି ଗୌତମ (୧୧, ୪୬ ମିନିଟ୍‌) ଦୁଇଟି ଏବଂ ଉପାସନା ସିଂହ (୧୯ ମିନିଟ୍‌) ଓ ଜ୍ୟୋତି ପାଲ୍‌ (୪୩ ମିନିଟ୍‌) ଗୋଟିଏ ଲେଖାଏ ଗୋଲ୍‌ ଦେଇଥିଲେ। ୧୪ତମ ମିନିଟ୍‌ରେ ସମ୍ବଲପୁରର ଦୀପ୍ତି ଲାକ୍ରା ଗୋଟିଏ ଗୋଲ୍‌ ଶୁଝିବାକୁ ସକ୍ଷମ ହୋଇଥିଲେ।

ସମ୍ବନ୍ଧିତ ଖବର