୧୩ ବର୍ଷରୁ କମ୍‌ ରାଜ୍ୟ ଚେସ୍‌ ପ୍ରତିଯୋଗିତା

ମନୀଷ, ସାଇରୂପା ବିଜେତା

କଟକ: ଟ୍ରିପଲ୍‌ ସି’ କ୍ଲବ୍‌ ଓ କଟକ ଜିଲ୍ଲା ଚେସ୍‌ ସଂଘ ମିଳିତ ଆନୁକୂଲ୍ୟରେ ଆୟୋଜିତ ୧୩ ବର୍ଷରୁ କମ୍‌ ରାଜ୍ୟ ଓପନ୍‌ ଓ ବାଳିକା ଚେସ୍‌ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଛି। ଓପନ୍‌ ବିଭାଗରେ ଖୋର୍ଧାର ମନୀଷ କୁମାର ଓ ବାଳିକାରେ ପି ସାଇରୂପା ବିଜେତା ହୋଇଛନ୍ତି। ଶେଷ ରାଉଣ୍ଡରେ ମନୀଷ ପୁରୀର ରୁଦ୍ର ନାରାୟଣଙ୍କ ସହ ମ୍ୟାଚ୍‌ ଅମୀମାଂସିତ ରଖି ମୋଟ ସାଢେ ୬ ପଏଣ୍ଟ ସହ ଶୀର୍ଷରେ ରହିଥିଲେ। ତାଙ୍କ ପଛକୁ ରୁଦ୍ର ନାରାୟଣ, ଶାଶ୍ୱତ ମଲ୍ଲିକ, ମୋହିତୋଷ ଦେ ୬ ପଏଣ୍ଟ ଲେଖାଏଁ ପାଇଥିଲେ। ସେହିପରି ହର୍ଷିତ ରଂଜନ ସାହୁ, ପ୍ରିୟାଂଶ ଦାସ, କୌସ୍ତୁଭ ଦାଶ, ତନ୍ମୟ ତ୍ରିପାଠୀ, ଆର୍ଯ୍ୟାନ ଅର୍ଣ୍ଣବ ସାମନ୍ତରାୟ, ଅଭିଷେକ ନାୟକ, ଶ୍ରୀୟାଂଶ ଦାସ ଓ ପ୍ରତ୍ୟୁଷ ମହାପାତ୍ର ସାଢେ ୫ ପଏଣ୍ଟ ଲେଖାଏଁ ପାଇଥିଲେ। ମହିଳା ବିଭାଗରେ ସମସ୍ତ ରାଉଣ୍ଡ ଶେଷ ସୁଦ୍ଧା ସାଇରୂପା, ସୁହାନା ଜେନା, ପଲକ ମହାପାତ୍ର, ଅନନ୍ୟା ଅନାମିକା ମିଳିତ ଭାବେ ୬ ପଏଣ୍ଟ ଲେଖାଏଁ ପାଇଥିଲେ। ତେବେ ଟାଇ ବ୍ରେକର ପଦ୍ଧତିରେ ସାଇରୂପା ବିଜେତା ଘୋଷିତ ହୋଇଥିଲେ। ଶେଷ ରାଉଣ୍ଡରେ ସାଇରୂପା ଖୋର୍ଧାର ବିଜୟଲକ୍ଷ୍ମୀ ବାରିକଙ୍କୁ ପରାସ୍ତ କରି ଏହି ସଫଳତା ପାଇଥିଲେ। ଏମାନଙ୍କ ବ୍ୟତୀତ ମିରାକିଲ୍‌ ପଣ୍ଡା ଓ ୟଶିତା ରାଉତ ସାଢେ ୫ ଏବଂ ଆରୁଷି ଶ୍ରୀଚନ୍ଦନ, ବିଜୟଲକ୍ଷ୍ମୀ ବାରିକ, ସ୍ନେହାୟୁକ୍ତା ବେହେରା, ଅଧିଶା ଦାଶ, ଆଂଶିକା ପାଣ୍ଡେ, ରିଆ ମହାପାତ୍ର, ସାଇ ସମ୍ପ୍ରଦା ମହାନ୍ତି, ଅନୁଷ୍କା ମହାନ୍ତି ୫ ପଏଣ୍ଟ ଲେଖାଏଁ ପାଇଥିଲେ। ପ୍ରତିଯୋଗିତାର ଶ୍ରେଷ୍ଠ ୨ ଜଣ ଲେଖାଏଁ ଖେଳାଳି ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଛନ୍ତି। ସେହିପରି ପ୍ରତ୍ୟେକ ବିଭାଗର ଶ୍ରେଷ୍ଠ ୧୦ ଜଣଙ୍କୁ ଏବଂ ବିଭିନ୍ନ ବୟସ ବର୍ଗର ବିଜେତାଙ୍କୁ ଉଦ୍‌ଯାପନୀ ସମାରୋହରେ ପୁରସ୍କୃତ କରାଯାଇଥିଲା। ଓପନ ବିଭାଗର ୬ ବର୍ଷରୁ କମ୍‌ରେ ଶ୍ରୀୟମ୍‌ ସତ୍ୟାନାଶ, ୭ ବର୍ଷରୁ କମ୍‌ରେ ପ୍ରୀତ୍‌ପଲ୍‌ ଷଡ଼ଙ୍ଗୀ, ୮ ବର୍ଷରୁ କମ୍‌ରେ ଶ୍ରୀୟାଂଶ ଦେ, ୯ ବର୍ଷରୁ କମ୍‌ରେ ଶ୍ରୀୟାଂଶ ଦାସ, ୧୦ ବର୍ଷରୁ କମ୍‌ରେ ସୋୟମ୍‌ ଲକ୍ଷ୍ମୀଦତ୍ତ ସାବତ, ୧୧ ବର୍ଷରୁ କମ୍‌ରେ ସ୍ୱୟଂମ୍‌ଶ୍ରୀ ମହାନ୍ତି ବିଜେତା ହୋଇଛନ୍ତି। ସେହିପରି ବାଳିକା ବିଭାଗର ୬ ବର୍ଷରୁ କମ୍‌ରେ ଐଶ୍ୱର୍ଯ୍ୟା ସାହୁ, ୭ ବର୍ଷରୁ କମ୍‌ରେ ସନ୍ଦୀପା ପ୍ରିୟଦର୍ଶିନୀ ସାହୁ, ୮ ବର୍ଷରୁ କମ୍‌ରେ ସାଇ ସମ୍ପ୍ରଦା ମହାନ୍ତି, ୯ ବର୍ଷରୁ କମ୍‌ରେ ଅନିଷ୍କା ପାଣ୍ଡେ, ୧୦ ବର୍ଷରୁ କମ୍‌ରେ ସଞ୍ଚି ସାହୁ, ୧୧ ବର୍ଷରୁ କମ୍‌ରେ ଡଲିସିଆନ୍‌ ଦାଶ ବିଜେତା ହୋଇ ପୁରସ୍କାର ପାଇଛନ୍ତି।

ଉଦ୍‌ଯାପନୀ ସମାରୋହରେ କଟକ ଉପ ଜିଲ୍ଲାପାଳ ପ୍ରବୋଧ କୁମାର ରାଉତ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟ୍ରିପଲ୍‌ ସି’ କ୍ଲବ୍‌ର ଉପ ସଭାପତି ବିଶ୍ୱଜିତ ରାୟ, ଚେସ୍‌ ପ୍ରଶିକ୍ଷକ ସତ୍ୟରଂଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଆନ୍ତର୍ଜାତିକ ଆର୍ବିଟର ସୁରେଶ ଚନ୍ଦ୍ର ସାହୁ ଓ ଫିଡେ ଆର୍ବିଟର ଭବେଶ ମହାନ୍ତି ପ୍ରତିଯୋଗିତା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର