ଭୁବନେଶ୍ବର, : ଆସନ୍ତା ଅେକ୍ଟାବର ୧୮ରୁ ୨୮ ତାରିଖ ପର୍ଯ୍ୟନ୍ତ ଓମାନ୍ର ମସ୍କଟ୍ରେ ଆୟୋଜିତ ହେବ ପଞ୍ଚମ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି। ଏଥିରେ ୬ ଦଳ ଭାଗ ନେବେ। ଭାରତ, ମାଲେସିଆ, ପାକିସ୍ତାନ, କୋରିଆ, ଜାପାନ ସାଙ୍ଗକୁ ଆୟୋଜକ ସମାନ୍ ଟ୍ରଫି ପାଇଁ ଲଢ଼ିବେ। ସମସ୍ତ ଦଳ ରାଉଣ୍ଡ ରବିନ୍ ଭିତ୍ତିରେ ପରସ୍ପର ସହ ମ୍ୟାଚ୍ ଖେଳିବେ। ଶ୍ରେଷ୍ଠ ୪ ଦଳ ସେମିଫାଇନାଲ୍କୁ ଉନ୍ନୀତ ହେବେ। ଭାରତ ୧୮ ତାରିଖ ପ୍ରଥମ ଦିବସରେ ଓମାନ୍ ସହ ଖେଳି ଅଭିଯାନ ଆରମ୍ଭ କରିବା ପରେ ୨୦ରେ ପାକିସ୍ତାନ, ୨୧ରେ ଜାପାନ, ୨୩ରେ ମାଲେସିଆ, ୨୪ରେ କୋରିଆ ସହ ଖେଳି ଲିଗ୍ ପର୍ଯ୍ୟାୟ ଶେଷ କରିବ।
ବିଶ୍ବ ମାନ୍ୟତାର ପଞ୍ଚମ ଭାରତ ଏହି ପ୍ରତିଯୋଗିତାକୁ ପୂର୍ବ ବିେଜତା ଭାବେ ଓହ୍ଲାଇବ। ମାଲେସିଆର କୌଣ୍ଟନ୍ରେ ଆୟୋଜିତ ଗତ ୨୦୧୬ ସଂସ୍କରଣର ଫାଇନାଲ୍ରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ୩-୨ ଗୋଲ୍ରେ ପରାସ୍ତ କରି ଭାରତ ବିଜେତା ହୋଇଥିଲା। ଏଥର ପ୍ରତିଯୋଗିତା ପାଇଁ ବୁଧବାର ୧୮ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି। ପିଆର୍ ଶ୍ରୀଜେସ୍ଙ୍କ ବଦଳରେ ଅର୍ଜୁନ ପୁରସ୍କାରପ୍ରାପ୍ତ ମନ୍ପ୍ରୀତ୍ ସିଂହଙ୍କୁ ଦଳର ନେତୃତ୍ବ ମିଳିଥିଲା ବେଳେ ଚିଙ୍ଗ୍ଲେନ୍ସାନା ସିଂହଙ୍କୁ ଉପଅଧିନାୟକ ଦାୟିତ୍ବ ମିଳିଛି। ତେବେ ଏହି ଦଳରେ ଜଣେ ହେଲେ ଓଡ଼ିଆ ଖେଳାଳିଙ୍କୁ ସ୍ଥାନ ନମିଳିବା ବିଶ୍ବକପ୍ ଆୟୋଜକ ରାଜ୍ୟକୁ ବିସ୍ମିତ କରିଛି। ଅନ୍ୟପକ୍ଷରେ ଆମେ ଯୁବ ଓ ଅଭିଜ୍ଞଙ୍କ ମିଶ୍ରଣରେ ଏକ ସନ୍ତୁଳିତ ଦଳ ବାଛିଛୁ ବୋଲି କହିଛନ୍ତି ଦଳର ମୁଖ୍ୟ ପ୍ରଶିକ୍ଷକ ହରେନ୍ଦ୍ର ସିଂହ। ଓଡ଼ିଶାରେ ଆୟୋଜିତ ବିଶ୍ବକପ୍ ପୂର୍ବରୁ କେତେକ ଖେଳାଳିଙ୍କୁ ପରୀକ୍ଷା କରିବା ପାଇଁ ଏସୀୟ ଚାମ୍ପିଅନ୍ସ ଟ୍ରଫି ପ୍ରତିଯୋଗିତା ଆମ ପାଇଁ ଶେଷ ସୁଯୋଗ ରହିବ। ତେଣୁ ସେହି ଖେଳାଳିମାନେ ଓମାନ୍ରେ ଭଲ ପ୍ରଦର୍ଶନ କରିବେ ବୋଲି ନିଶ୍ଚିତ ଅଛନ୍ତି ହରିନ୍ଦର। ଆମେ ଯୋଜନା ମୁତାବକ ଖେଳିବା ଗୁରୁତ୍ବପୂର୍ଣ୍ଣ। ଫଳରେ ଚାମ୍ପିଅନ୍ସ ଟ୍ରଫିରେ ଆମେ ଏସୀୟ କ୍ରୀଡ଼ାର ସବୁ ଖରାପ ସ୍ମୃତିକୁ ଧୋଇ ଦେଇ ବିଶ୍ବକପ୍ ପୂବର୍ରୁ ତାଜା ଦଳ ଭାବେ ଉଭା ହେବୁ ବୋଲି ହରେନ୍ଦ୍ର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଚାମ୍ପିଅନ୍ସ ଟ୍ରଫି ପାଇଁ ବୁଧବାର ଘୋଷିତ ଭାରତୀୟ ଦଳ ଭୁବନେଶ୍ବରରେ ରହି ଆସନ୍ତା ୩ ସପ୍ତାହ ଧରି ପ୍ରଶିକ୍ଷଣ ଜାରି ରଖିବେ। ଭୁବନେଶ୍ବରରେ ଜାତୀୟ ପ୍ରଶିକ୍ଷଣ ଶିବିର ଚାଲିଥିବାରୁ ଦଳ ଓମାନ୍ ଯାତ୍ରା କରିବା ପର୍ଯ୍ୟନ୍ତ ଏଠାରେ ପ୍ରସ୍ତୁତି ଚଳାଇବ ବୋଲି କୁହାଯାଇଛି।
ଭାରତୀୟ ଦଳ: ପିଆର୍ ଶ୍ରୀଜେସ୍ ଓ କୃଷ୍ଣ ବାହାଦୁର ପାଠକ (ଗୋଲ୍ରକ୍ଷକ), ହର୍ମନ୍ପ୍ରୀତ୍ ସିଂହ, ଗୁରିନ୍ଦର ସିଂହ, ବରୁଣ କୁମାର, କୋଠାଲଜିତ୍ ସିଂହ ଖାଡାଙ୍ଗ୍ବାମ୍, ସୁରିନ୍ଦର କୁମାର, ଜର୍ମନ୍ପ୍ରୀତ୍ ସିଂହ, ହାର୍ଦିକ୍ ସିଂହ (ରକ୍ଷଣଭାଗ), ମନ୍ପ୍ରୀତ୍ ସିଂହ (ଅଧିନାୟକ), ସୁମିତ, ନୀଳକଣ୍ଠ ଶର୍ମା, ଚିଙ୍ଗ୍ଲନ୍ସାନା ସିଂହ କଙ୍ଗୁଜାମ୍ (ଉପଅଧିନାୟକ), ଲଲିତ କୁମାର ଉପାଧ୍ୟାୟ (ମଧ୍ୟଭାଗ), ଆକାଶଦୀପ୍ ସିଂହ, ଗୁର୍ଜାଣ୍ଟ୍ ସିଂହ, ମନ୍ଦୀପ୍ ସିଂହ, ଦିଲ୍ପ୍ରୀତ୍ ସିଂହ (ପୂରୋଭାଗ)।
ବିଶ୍ବକପ୍ ଦଳରେ ସ୍ଥାନ ପାଇବା ଆଶା ରଖିଛି: ଅମିତ
ଭୁବନେଶ୍ବର, ୨୬|୯ (ଇମିସ): କଳିଙ୍ଗ ଷ୍ଟଡିୟମରେ ଚାଲିଥିବା ଜାତୀୟ ହକି ଶିବିରରେ ଆରମ୍ଭରୁ ସ୍ଥାନ ପାଇନଥିବା ଅମିତ ରୋହିଦାସ ପରବର୍ତୀ ସମୟରେ ଡାକରା ପାଇଥିେଲ। ଏହି ଡାକରା ପାଇ ଶିବିରରେ ସେ େଯାଗ ଦେଇଥିଲେ। ହେଲେ ବୁଧବାର ଘୋଷିତ ଏସୀୟ ଚାମ୍ପିଅନ୍ସ ଟ୍ରଫିରେ ମଧ୍ୟ ତାଙ୍କୁ ସ୍ଥାନ ମିଳିନି। ତଥାପି ସେ ନିଜ ମାଟିରେ ବିଶ୍ବକପ୍ ଖେଳିବା ଆଶା ରଖିଛନ୍ତି। ଏସୀୟ ଚାମ୍ପିଅନ୍ସ ଟ୍ରଫି ଦଳ ଚୟନ ପୂର୍ବରୁ ଏଭଳି ଆଶା ରଖିଥିେଲ ଅମିତ। ଏସୀୟ କ୍ରୀଡ଼ା ସେମିଫାଇନାଲ୍ ପରାଜୟକୁ ସେ ଭୁଲି ନାହାନ୍ତି। ଶେଷ ସମୟ ଗୋଲ୍ ସହ ପେନାଲ୍ଟି ସୁଟ୍ଆଉଟ୍ରେ ପରାଜୟ ଦୁଃଖଦ ଥିଲା ବୋଲି କହିଛନ୍ତି ଅମିତ। ସେହି ପରାଜୟର ଭୁଲ୍କୁ ସୁଧାରିବା ଲାଗି ଆମେ ଏହି ଶିବିରରେ ଅଭ୍ୟାସ ଚଲାଇଛୁ। ବିଶ୍ବକପ୍ ପୂର୍ବରୁ ଏସୀୟ ଚାମ୍ପିଅନ୍ସ ଟ୍ରଫିରେ ଭଲ କରି ପଦକ ଜିତି ମନୋବଳ ବଢ଼ାଇବୁ ବୋଲି କହିଛନ୍ତି େସ। ବୀରେନ୍ଦ୍ର ସାମାନ୍ୟ
ଆହତ ସମସ୍ୟାେର ରହିଛନ୍ତି। ଏଥିରୁ ମୁକୁଳିଲେ ସେ ଦଳକୁ ଫେରିବା ସମ୍ଭାବନା ରହିଛି। ମୋ ନାଁ ଏହି ଶିବିରରେ ନଥିବା ମୁଁ ଜାଣି ନଥିଲି। ଏହି ସବୁ କାମ ଦଳୀୟ ଅଧିକାରୀମାନଙ୍କର। ଦଳ ସହ ଶିବିରରେ ଯୋଗ ଦେବା ଲାଗି ମୋତେ ଫୋନ୍ ସହ ମେଲ୍ ଯାଇଥିଲା। ଏହା ପରେ ମୁଁ ଶିିବିରରେ ଯୋଗ ଦେଇ ଖୁସି ଅଛି ବୋଲି କହିଛନ୍ତି ଅମିତ।
ଆମ ପାଇଁ ସୁଯୋଗ: ଶ୍ରୀେଜସ୍
ବିଶ୍ବକପ୍ ପୂର୍ବରୁ ଏସୀୟ ଚାମ୍ପିଅନ୍ସ ଟ୍ରଫି ଆମ ପାଇଁ ଏକ ସୁଯୋଗ ବୋଲି କହିଛନ୍ତି ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ଗୋଲ୍ ରକ୍ଷକ ପିଆର୍ ଶ୍ରୀଜେସ୍। ଏସୀୟ କ୍ରୀଡ଼ାରେ କରିଥିବା ଭୁଲକୁ ଏହି ପ୍ରତିଯୋଗିତାରେ ସୁଧାରିବା ସହ ନୂଆ େଯାଜନା ପ୍ରୟୋଗ କରିବୁ। ଏଠାରେ ଜିତି ଆମର ସ୍ବପ୍ନ ପୂରା କରିବୁ। ଏହି ବିଜୟ ବିଶ୍ବକପ୍ ପୂର୍ବରୁ ଆମକୁ ଆତ୍ମ ବିଶ୍ବାସ ଦେବ ବୋଲି ଶ୍ରୀଜେସ୍ କହିଛନ୍ତି। କଳିଙ୍ଗ ଷ୍ଟାଡିୟମ ପିଚ୍ ନୂଆ। ଏହା ସ୍ଥିର ହେବାକୁ ସମୟ ଲାଗିବ। ଆମେ କିଛି ଦିନ ହେବ ଅଭ୍ୟାସ ଚଲାଇଛୁ ଆଉ ପାଖାପାଖି ୩ ସପ୍ତାହ ଏଠାରେ ରହିବୁ। ଯାହାକି ବିଶ୍ବକପ୍ ପୂର୍ବରୁ ପିଚ୍ ଚିହ୍ନିବାରେ ଅସୁବିଧା ରହିନଥିବ। ବିଶ୍ବକପ୍ ପ୍ରଚାରର କେବିସି ଏକ ଅଂଶ ଥିଲା। ଆମେ ଏଠାରେ ଯୋଗଦେଇ ବହୁତ ଖୁସି। ଆମ ଖେଳାଳିମାନେ କେବିସିରୁ ନୂଆ ଅନୁଭୂତି ସାଉଁଟିଥିବା କହିଛନ୍ତି ଏହି ପୂବର୍ତନ ଅଧିନାୟକ।
ପ୍ରଥମ ଲକ୍ଷ୍ୟ ଲିଗ୍ ପର୍ଯ୍ୟାୟ: ଏସ୍ଭି ସୁନିଲ
ଜାତୀୟ ହକି ଶିବିର ଲାଗି ଓଡ଼ିଶାରେ ସଂପ୍ରତି ଭାରତୀୟ ଖେଳାଳିମାନେ ଡେରା ପକାଇଛନ୍ତି। ବିଶ୍ବକପ୍ ସହ ଏସୀୟ ପ୍ରତିଯୋଗିତାକୁ ଆଖି ଆଗରେ ରଖି ଏହି ଶିବିର ଆୟୋଜନ ହୋଇଛି। ବିଶ୍ବକପ୍ରେ ଆମର ପ୍ରଥମ ଲକ୍ଷ୍ୟ ଲିଗ୍ ପର୍ଯ୍ୟାୟ ବୋଲି କହିଛନ୍ତି ଏସ୍ଭି ସୁନୀଲ। ଆମେ ସ୍ତର ସ୍ତର ଦେଇ ବିଶ୍ବକପ୍ରେ ଆଗକୁ ବଢ଼ିବୁ ଏବଂ ଶ୍ରେଷ୍ଠ ପ୍ରଦର୍ଶନ ଦେବୁ ବୋଲି େସ କହିଛନ୍ତି। ଏଠାକାର ଦର୍ଶକ ଆମକୁ ପୂର୍ଣ୍ଣ ସମର୍ଥନ ଦେଉଛନ୍ତି। ଫଳରେ ସ୍ବର୍ଣ୍ଣ ଜିତିବାରେ ସହଜ ହେବ ବୋଲି କହିଛନ୍ତି ସୁନୀଲ। ପଡ଼ିଆରେ ଆମେ ସର୍ଦାର ସିଂହଙ୍କ ଅନୁପସ୍ଥିତି ନିଶ୍ଚିତ ଅନୁଭବ କରିବୁ। ତାଙ୍କ ସ୍ଥାନରେ ଯେଉଁ ଖେଳାଳି ଆସିବେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଠା କରିବା ଦରକାର। ସଂପ୍ରତି ଏବେ ଭାରତର ମୁଖ୍ୟ ଲକ୍ଷ୍ୟ ଏସୀୟ ଚାମ୍ପିଅନ୍ସ ଟ୍ରଫି ବୋଲି ସେ କହିଛନ୍ତି।
ଅଭ୍ୟାସ ଭଲ ଚାଲିଛି: ହରେନ୍ଦ୍ର
କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜାତୀୟ ହକି ଶିବିର ଭଲ ଭାବେ ଚାଲିଛି। ସମସ୍ତ ଶିବିରାର୍ଥୀ ଏହାକୁ ଉପଭୋଗ କରୁଛନ୍ତି ବୋଲି କହିଛନ୍ତି ଦଳର ମୁଖ୍ୟ ପ୍ରଶିକ୍ଷକ ହରେନ୍ଦ୍ର ସିଂହ। ଖେଳାଳିଙ୍କ ଥିବା କିଛି ଦୁର୍ବଳତାକୁ ସୁଧାରିବା ଲାଗି ଆମ ପ୍ରଶିକ୍ଷଣ ଦଳ କାମ କରୁଛି। ଆଗକୁ ଏସୀୟ ଚାମ୍ପିଅନ୍ସ ଟ୍ରଫି ରହିଛି। ଆମେ ସେଠାରେ ଭଲ ପ୍ରଦର୍ଶନ କରିବୁ। ଏହାର ୩ ସପ୍ତାହ ପରେ ବିଶ୍ବକପ୍ ରହିଛି। ଏସୀୟ ଚାମ୍ପିଅନ୍ସ ଟ୍ରଫି ଜିତିଲେ ଆମ ଖେଳାଳିମାନେ ଦୃଢ଼ ମନୋବଳ ସହ ବିଶ୍ବକପ୍ ଖେଳିବାକୁ ଓହ୍ଲାଇବେ। ଓଡ଼ିଶାରେ ସମେସ୍ତ ହକିକୁ ବୁଝିବା ସହ ହକି ଦେଖିବା ଲାଗି ପଡ଼ିଆକୁ ଆସିଥାନ୍ତି। ଓଡ଼ିଶାବାସୀଙ୍କ ଏହି ଉତ୍ସାହ ବିଶ୍ବକପ୍ରେ ଭାରତକୁ ନିଶ୍ଚିତ ଅଗ୍ରଣୀ ଦେବ ବୋଲି ମୋର ଆଶା। ଭୁବନେଶ୍ବର ବିଶ୍ବକପ୍ ବିଶ୍ବର ସର୍ବଶ୍ରେଷ୍ଠ ହେବ। ଏହା ବାହାର ଦେଶ ହେଉ କି ସ୍ଥାନୀୟ ଲୋକଙ୍କ ପାଇଁ ସ୍ମରଣୀୟ ହେବ ବୋଲି ହରେନ୍ଦ୍ର କହିଛନ୍ତି।
ପୂର୍ବବର୍ତ୍ତୀ ଖବର
ସାଥୀ ଶିକାରୀକୁ ଗୁଳିକରି ହତ୍ୟା : ୧୮ ଦିନ ଲୁଚାଇଥିଲେ, ବନ୍ଧୁକ ସହ ୬ ଗିରଫ
ସମ୍ବନ୍ଧିତ ଖବର