ମନ୍‌ପ୍ରୀତ୍‌ ଦେଲେ ଚେତାବନୀ :‘ଭଲ ନ ଖେଳିଲେ ଖାଲି ହାତ’

ଭୁବନେଶ୍ବର: ହକି ବିଶ୍ବକପ୍‌ ‌କ୍ବାର୍ଟର ଫାଇନାଲ୍‌ ଖେଳିବା ପୂର୍ବରୁ ଭାରତୀୟ ଦଳର ଅଧିନାୟକ ମନ୍‌ପ୍ରୀତ୍ ସିଂହ ସାଥୀ ଖେଳାଳିଙ୍କୁ ଚେତାବନୀ ଭରା ଶୁଭକାମନା ଦେଇଛନ୍ତି। ଭଲ ପ୍ରଦର୍ଶନ ନ କଲେ ମିଳେଇଯିବାକୁ ପଡ଼ିବ। ଅର୍ଥାତ୍ କର ବା ମର ସ୍ଥିତିରେ ରହିଛି ଦଳ। ଭଲ ପ୍ରଦର୍ଶନ ନ ଦ‌େଲେ ଖାଲି ହାତରେ ଫେରିବାକୁ ପଡ଼ିବ ବୋଲି କହିଛନ୍ତି ମନ୍‌ପ୍ରୀତ୍। ୪୩ ବର୍ଷ ପରେ ପ୍ରଥମ ବିଶ୍ବକପ୍ ପଦକଠାରୁ ମାତ୍ର ୨ ବିଜୟ ଦୂରରେ ରହିଛି ଭାରତ। ୨୦୧୬ ରିଓ ଅଲିମ୍ପିକ୍ସ କ୍ବାର୍ଟର ଫାଇନାଲ୍‌ ପରେ ପ୍ରଥମ ଥର ବଡ଼ ପରୀକ୍ଷାର ସମ୍ମୁଖୀନ ହୋଇଛି ଦଳ। ପ୍ରମୁଖ ପ୍ରତିଯୋଗିତା ଏବଂ ଚାପଭରା ମୁକାବିଲାରେ ଭାରତ ହଡ଼ବଡେଇ ଗୋଲ୍‌ ବରଣ କରି ହାରିଯାଉଥିବାର ପରମ୍ପରା ରଖିଥିବାରୁ ଏହି ମ୍ୟାଚ୍ କିଭଳି ଖେଳିବ ଦେଖିବାର ଅଛି। ନିକଟ ଅୀତତରେ ଚଳିତ ବର୍ଷ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ଏବଂ ଜାକର୍ତା ଏସୀୟ କ୍ରୀଡ଼ା ସେମିଫାଇନାଲରେ ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇଥିଲା। ଶନିବାର କାନାଡ଼ା ବିପକ୍ଷ ବିଜୟ ପରେ ଭାରତ ପ୍ରଶିକ୍ଷକ ହରେନ୍ଦ୍ର ସିଂହ କହିଥିଲେ, ଏବେ ଅସଲ ବିଶ୍ବକପ୍ ଆରମ୍ଭ ହେବ। ‌ସେ ବାରମ୍ବାର କହି ଆସିଛନ୍ତି ପଛକୁ ନୁହେଁ, ଭବିଷ୍ୟତକୁ ଦେଖି ଖେଳିବାକୁ ହେବ। ଆଉ ପାଦେ ଆଗକୁ ବଢ଼ି ଅଧିନାୟକ ମନ୍‌ପ୍ରୀତ ସିଂହ କହିଛନ୍ତି ‘ଭଲ ପ୍ରଦର୍ଶନର ବିକଳ୍ପ ନାହିଁ’। ଖେଳାଳିମାନଙ୍କୁ ବିଶେଷ କିଛି କହିବାର ନାହିଁ, ସମସ୍ତଙ୍କୁ ଜଣା ଏ କ୍ବାର୍ଟର ଫାଇନାଲ୍‌ କେତେ ଗୁରୁତ୍ବପୂର୍ଣ୍ଣ। ଅସୁସ୍ଥତା ସତ୍ତ୍ବେ କାନାଡ଼ା ବିପକ୍ଷରେ ସୀମିତ ସମୟ ଖେଳିଥିବା ମନ୍‌ପ୍ରୀତ୍ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ପ୍ରକାଶ କରିଛନ୍ତି। ଭାରତୀୟ ଦଳ ମଧ୍ୟ ନେଦରଲାଣ୍ଡ୍ ମ୍ୟାଚ୍‌କୁ ଅନୁସରଣ କରୁଛି ଏବଂ ଖେଳାଳିମାନେ ଏବେ ଶ୍ରେଷ୍ଠ ଆକ୍ରମଣାତ୍ମକ ସମୟରେ ରହିଛନ୍ତି ବୋଲି ମଧ୍ୟ ମନ୍‌ପ୍ରୀତ୍ କହିଛନ୍ତି। ଆମେ ରକ୍ଷଣାତ୍ମକ ନ ହୋଇ ଅଧିକ ଆକ୍ରମଣ କଲେ ଅଧିକ ସୁଯୋଗ ରହିବ ଏବଂ ଚାପ ସୃଷ୍ଟି କରିପାରିବୁ ବୋଲି ସେ କହିଛନ୍ତି। ହକି ଇଣ୍ଡିଆ ଲିଗ୍ ପରେ ଆମେ ଆଉ ହଲାଣ୍ଡ୍ ଏବଂ ଅଷ୍ଟ୍ରେଲିଆ ଖେଳାଳିଙ୍କ ବିପକ୍ଷରେ ଖେଳିବାକୁ ଭୟ କି ଚାପରେ ରହୁନାହୁଁ ବୋଲି ମନପ୍ରୀତ୍ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର