ମନୁ ସାୱନୀ ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ

ଦୁବାଇ: ଗଣମାଧ୍ୟମ ପେସାଦାର ମନୁ ସାୱନୀଙ୍କୁ ସୋମବାର ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଦାୟିତ୍ବ ପ୍ରଦାନ କରାଯାଇଛି। ବର୍ତମାନ ଏହି ପଦରେ ଥିବା ଡେଭିଡ୍ ରିଚାର୍ଡସନ୍‌ ଜୁଲାଇ ମାସରେ ବିଶ୍ବକପ୍‌ ପରେ ପଦ ତ୍ୟାଗ କରିବା ପର୍ଯ୍ୟନ୍ତ ତାଙ୍କ ସହ ମନୁ ମିଳିତଭାବେ କାମ କରିବେ। ଇଏସପିଏନ୍‌ ଷ୍ଟାର ସ୍ପୋର୍ଟସର ପୂର୍ବତନ ପରିଚାଳନା ନିର୍ଦେଶକ ସାୱନୀ ବାସ୍ତବରେ ଗତ ୬ ସପ୍ତାହ ହେଲାଣି ରିଚାର୍ଡସନଙ୍କ ସହ କାମ କରିବା ଆରମ୍ଭ କରି ଦେଇଛନ୍ତି। ପରିବର୍ତନ ସମୟକୁ ସରଳ କରିବା ଲାଗି ତାଙ୍କୁ ଆଗୁଆ ନିଯୁକ୍ତ କରାଯାଇଛି। ରିଚାର୍ଡସନଙ୍କୁ ବିଶ୍ବକପ୍‌ ଦାୟିତ୍ବ ଦିଆଯାଇଥିବାରୁ ଜାନୁଆରିରୁ ସାୱନୀଙ୍କୁ ନିଯୁକ୍ତ କରାଯାଇଥିଲା। ବିଗତ ୭ ବର୍ଷ ଧରି ରିଚାର୍ଡସନ୍ ଏହି ଦାୟିତ୍ବକୁ ଦକ୍ଷତାର ସହ ତୁଲାଇ ଆସୁଥିଲେ। ତାଙ୍କଠାରୁ ଦାୟିତ୍ବ ନେବା ମୋ ପାଇଁ ଖୁସୀର କଥା ବୋଲି ସାୱନୀ କହିଛନ୍ତି। ଇଏସପିଏନ୍ ସହିତ ଦୀର୍ଘ ୧୭ ବର୍ଷ ବିତାଇଥିବା ସାୱନୀ ଏହାର ବ୍ୟବସାୟିକ ଅଭିବୃଦ୍ଧିରେ ବଡ଼ ଭୂମିକା ତୁଲାଇଥିଲେ। ତାଙ୍କ କା‌ର୍ଯ୍ୟକାଳରେ ସଂସ୍ଥାର ରାଜସ୍ବ ଦୁଇଗୁଣା ହୋଇଯାଇଥିଲା। ୨୦୦୭ରୁ ୨୦୧୫ ମସିହା ପର୍ଯ୍ୟନ୍ତ ସେ ମଧ୍ୟ ଆଇସିସିର ବିଶ୍ବ ପ୍ରସାରଣ ଭାଗୀଦାରି ଚୁକ୍ତିରେ ପ୍ରମୁଖ ଭୂମିକା ତୁଲାଇଥିଲେ। ସେ ମଧ୍ୟ ମାଞ୍ଚେଷ୍ଟର ୟୁନାଇଟେଡର ସଦସ୍ୟ ତଥା ଅଣ କାର୍ଯ୍ୟନିର୍ବାହୀ ନିର୍ଦେଶକ ରହିଛନ୍ତି।

ସମ୍ବନ୍ଧିତ ଖବର