ମାର୍କଣ୍ଡେଙ୍କୁ ୫ ୱିକେଟ୍‌: ଭାରତ-ଏ’ର ବିଜୟ

ମହୀଶୁର: ନଭ୍‌ଦୀପ୍‌ ସାଇନି ଓ ସାହବାଜ୍‌ ନଦୀମ୍‌ ଅତିଥି ଦଳ ଇଂଲଣ୍ଡ୍‌ ଲାୟନ୍‌ସର ପ୍ରଥମ ପାଳି ବିପର୍ଯ୍ୟୟ ଘଟାଇବା ପରେ ମୟଙ୍କ ମାର୍କଣ୍ଡେ ଦ୍ବିତୀୟ ପାଳିରେ ୫ ୱିକେଟ୍‌ ଦଖଲ କରିନେବାରୁ ଘରୋଇ ଭାରତ-ଏ ଦଳ ଦ୍ବିତୀୟ ଟେଷ୍ଟ୍‌କୁ ଦିନକ ପୂର୍ବରୁ ଜିତିନେଇଛି। ମାର୍କଣ୍ଡେ ୩୧ ରନ୍‌ରେ ୫ ୱିକେଟ୍‌ ଏବଂ ଜଲଜ ସାକ୍ସେନା ୪୦ ରନ୍‌ରେ ୨ ୱିକେଟ୍‌ ଅକ୍ତିଆର କରି ଲାୟନ୍‌ସ ଦ୍ବିତୀୟ ପାଳିକୁ ୧୮୦ ରନ୍‌ରେ ସଫା କରିଦେଇଥିଲେ। ମାର୍କ‌ଣ୍ଡେଙ୍କର ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ଏହା ତୃତୀୟ ୫ ୱିକେଟ୍‌ ସଫଳତା ଥିଲା। ଦ୍ବିତୀୟ ଦିବସ ସୁଦ୍ଧା କୌଣସି ୱିକେଟ୍‌ ନହରାଇ ୨୪ ରନ୍‌ କରିଥିବା ଲାୟନ୍‌ସ ଦଳ ଶୁକ୍ରବାର ତୃତୀୟ ଦିବସରେ ଆଉ ୧୫୬ ରନ୍ ଯୋଡ଼ି ସମସ୍ତ ୱିକେଟ୍‌ ହରାଇଥିଲା। ଡକେଟ୍‌ (୫୦), ଗ୍ରି‌ଗୋରି (୪୪), ଅଧିନାୟକ ବିଲିଙ୍ଗ୍‌ସ (୨୦) ଓ ହେନ୍‌ (୧୫) କେବଳ ଦୁଇ ଅଙ୍କ ଅତିକ୍ରମ କରିପାରିଥିଲେ। ଫଳରେ ପ୍ରଥମ ପାଳିରେ ୧୪୪ ଓ ଦ୍ବିତୀୟ ପାଳିରେ ୧୮୦ ରନ୍‌ କରି ଲାୟନ୍‌ସ ଏହି ୪ ଦିନିଆ ଟେଷ୍ଟ୍‌ର ତୃତୀୟ ଦିବସରେ ହିଁ ଏକ ପାଳି ଓ ୬୮ ରନ୍‌ରେ ହାରିଗଲା। ଲୋକେଶ ରାହୁଲ୍‌ଙ୍କ ନେତୃତ୍ବରେ ଭାରତ-ଏ ଦଳ ଅଭିମନ୍ୟୁ ଇଶ୍ବରନ୍‌ଙ୍କ ଶତକ ବଳରେ ତା’ର ପ୍ରଥମ ପାଳିରେ ୩୯୨ ରନ୍‌ କରିଥିଲା। ଆଉ ଏହି ବିଜୟ ସହ ଭାରତ-ଏ ମଧ୍ୟ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳାକୁ ୧-୦ରେ କବ୍‌ଜା କରିନେଲା। ଏହା ପୂର୍ବରୁ ଭାରତ-ଏ ମଧ୍ୟ ଲାୟନ୍‌ସ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ୪-୧ରେ ଜିତି ନେଇଥିଲା।

ସଂକ୍ଷିପ୍ତ ସ୍କୋର୍‌: ଭାରତ-ଏ ପ୍ରଥମ ପାଳି- ୩୯୨ (ଅଭିମନ୍ୟୁ ଈଶ୍ବରନ୍‌ ୧୧୭, ଲୋକେଶ ରାହୁଲ୍‌ ୮୧, ପ୍ରିୟଙ୍କ ପାଞ୍ଚଲ୍‌ ୫୦, ଶ୍ରୀକର ଭରତ ୪୬, ଚାପେଲ ୪/୬୦, ବ୍ରିଗ୍‌ସ ୩/୭୧)। ଇଂଲଣ୍ଡ ଲାୟନ୍‌ସ ପ୍ରଥମ ପାଳି-୧୪୪ ଓ ଦ୍ବିତୀୟ ପାଳି (ଫଲୋଅନ୍‌)- ୧୮୦ (ଡକେଟ୍‌ ୫୦, ଗ୍ରି‌ଗୋରି ୪୪, ମୟଙ୍କ ମାର୍କଣ୍ଡେ ୫/୩୧, ଜଲଜ ସାକ୍ସେନା ୨/୪୦)।

ସମ୍ବନ୍ଧିତ ଖବର