ମାର୍ସ ଭ୍ରାତାଙ୍କ ଶତକ କୀର୍ତି

ସିଡ୍‌ନି ଟେଷ୍ଟ୍‍ ଚତୁର୍ଥ ଦିନ

ସିଡ୍‌ନି: ପଞ୍ଚମ ଆସେସ୍‌ ଟେଷ୍ଟ୍‍ରେ ଅଷ୍ଟ୍ରେଲିଆ ବିଜୟ ଦ୍ୱାରରେ ଛିଡ଼ା ହୋଇ ଶୃଙ୍ଖଳାକୁ ୪-୦ରେ ଶେଷ କରିବା ସୁଯୋଗ ସୃଷ୍ଟି କରିଛି। ଅନ୍ୟପକ୍ଷରେ ଭ୍ରମଣକାରୀ ଇଂଲଣ୍ଡ ଲଗାତାର ଟେଷ୍ଟ୍‍କୁ ଅମୀମାଂସିତ ରଖିବା ଲାଗି ସଂଘର୍ଷ କରୁଛି। ପ୍ରଥମ ପାଳିରେ ୩୦୩ ରନ୍‌ ପଛୁଆ ପଡ଼ିଥିବା ଇଂଲଣ୍ଡ ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ୯୩ ରନ୍‌ରେ ୪ ଓ୍ଵିକେଟ୍‌ ହରାଇଥିବାରୁ ସିଡ୍‌ନି ଟେଷ୍ଟ୍‍ ସମ୍ପୂର୍ଣ୍ଣ ଭାବେ ଅଷ୍ଟ୍ରେଲିଆ ନିୟନ୍ତ୍ରଣରେ ରହିଛି।

ଏସ୍‌ସିଜିରେ ଅଷ୍ଟ୍ରେଲିଆ ରବିବାର ୪୭୯/୪ରୁ ଖେଳି ଚା’ପାନ ବିରତି ପୂର୍ବରୁ ୬୪୯/୭ରେ ପାଳି ଘୋଷଣା କରିଥିଲା। ଉଭୟ ମାର୍ସ ଭ୍ରାତାଙ୍କ ଶତକ ହିଁ ଚତୁର୍ଥ ଦିନର ଚର୍ଚାରେ ରହିଥିଲା। ବଡ଼ ଭାଇ ସନ୍‌ ମାର୍ସ (୧୫୬, ୨୯୧ ବଲ୍‌, ୧୮ ଚୌକା) ଏବଂ ଅଲରାଉଣ୍ଡର ମିଚେଲ୍‌ ମାର୍ସ (୧୦୧, ୧୪୧ ବଲ୍‌, ୧୫ ଚୌକା, ୨ ଛକା) ଶତକ ହାସଲ କରିବାର ବିରଳ ସଂଯୋଗ ଦେଖିବାକୁ ମିଳିଥିଲା। ଏଥି ସହ ଉଭୟ ଅଷ୍ଟ୍ରେଲିଆ କ୍ରିକେଟ୍‌ ଇତିିହାସରେ ତୃତୀୟ ଭ୍ରାତା ଭାବେ ଗୋଟିଏ ଟେଷ୍ଟ୍‍ ପାଳିରେ ଉଭୟ ଶତକ ହାସଲ କରିଥିଲେ। ପୂର୍ବରୁ ଦୁଇ ଭ୍ରାତା ଥିଲେ ଚାପେଲ୍‌ (ଇଆନ୍‌, ଗ୍ରେଗ୍‌) ଏବଂ ଓ୍ଵ (ମାର୍କ, ଷ୍ଟିଭ୍‌)। ଚାପେଲ ଭ୍ରାତା କିନ୍ତୁ ୩ ଥର ଏଭଳି କରିବା ସହିତ ଗୋଟିଏ ଟେଷ୍ଟ୍‍ରେ ଦୁଇ ଥର (ବନାମ ନ୍ୟଜିଲାଣ୍ଡ୍‌, େଓ୍ଵଲିଂଟନ୍‌, ୧୯୭୪) କୃତିତ୍ୱ ଅର୍ଜନ କରିଥିଲେ। ଓ୍ଵ ଭ୍ରାତା ୨ ଥର ସମାନ ପାଳିରେ ଶତକ ହାସଲ କରିଥିଲେ। ୨୦୦୧ରେ ଓ୍ଵ ଭ୍ରାତା ଏବଂ ୧୯୭୨ରେ ଚାପେଲ୍‌ ଭାଇ ଏଭଳି କୃତିତ୍ୱ ଅର୍ଜନ କରିବା ବେଳେ ଇଂଲଣ୍ଡ ବିପକ୍ଷ ଉଭୟ ଟେଷ୍ଟ୍‍କୁ ଅଷ୍ଟ୍ରେଲିଆା ଜିତିଥିଲା। ଅନ୍ୟପକ୍ଷରେ ଇଂଲଣ୍ଡ ପାଇଁ ପଦାର୍ପଣ କରିଥିବା ମାମନ୍‌ କ୍ରେନ୍‌ ତାଙ୍କ ପ୍ରଥମ ପାଳିରେ ୧୯୩ ରନ୍‌ ବ୍ୟୟ କରି ସର୍ବାଧିକ ରନ୍‌ ବ୍ୟୟ କରିବାର ଅଲୋଡ଼ା କ୍ଲବ୍‌ରେ ଶୀର୍ଷ ୫ ଭିତରେ ରହିଲେ। ୨୦୧୦ ଭାରତ ବିପକ୍ଷରେ କଲମ୍ବୋରେ ପଦାର୍ପଣ କରିଥିବା ସୁରଜ ରଣଦୀଭ୍‌ ୨୨୨ ରନ୍‌ ବ୍ୟୟ କରି ୨ ଓ୍ଵିକେଟ୍‌ ନେବା ଏହି କ୍ଲବ୍‌ର ଶୀର୍ଷରେ ରହିଛି।

ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ପ୍ରଥମ ପାଳି: ୩୪୬ (ଜୋ ରୁଟ୍‌-୮୩, ଡି ମଲନ୍‌-୬୨, ପ୍ୟାଟ୍‌ କମିନ୍‌ସ-୪/୮୦, ଜୋସ୍‌ ହାଜେଲଉଡ୍‌-୨/୬୫, ମିଚେଲ୍‌ ଷ୍ଟାର୍କ-୨/୮୦, ନାଥନ୍‌ ଲିଅନ୍‌-୧/୮୬)। ଅଷ୍ଟ୍ରେଲିଆ ପ୍ରଥମ ପାଳି: ୧୯୩ ଓଭରରେ ୬୪୯/୭, ଘୋଷିତ (ଉସ୍‌ମାନ ଖଓ୍ଵାଜା-୧୭୧, ଷ୍ଟିଭେନ୍‌ ସ୍ମିଥ୍‌-୮୩, ସନ୍‌ ମାର୍ସ-୧୫୬, ମିଚେଲ୍‌ ମାର୍ସ-୧୦୧, ମୋଇନ୍‌ ଅଲୀ-୨/୧୭୦, ଜେମ୍‌ସ ଆଣ୍ଡରସନ୍‌-୧/୫୬, କୁରାନ୍‌-୧/୮୨, ଷ୍ଟୁଆର୍ଟ ବ୍ରଡ୍‌-୧/୧୨୧, ମାସନ୍‌ କ୍ରେନ୍‌-୧/୧୯୩)। ଇଂଲଣ୍ଡ ଦ୍ୱିତୀୟ ପାଳି: ୪୬ ଓଭରରେ ୯୩/୪ (ଜୋ ରୁଟ୍‌-୪୨*, ଜନି ବେୟାରଷ୍ଟୋ-୧୭*, ନାଥନ୍‌ ଲିଅନ୍‌-୨/୩୧, ପ୍ୟାଟ୍‌ କମିନ୍‌ସ-୧/୧୨, ମିଚେଲ୍‌ ଷ୍ଟାର୍କ-୧/୧୭)।

ପରାଜୟ ଏଡ଼ାଇବାକୁ ଇଂଲଣ୍ଡର ସଂଘର୍ଷ ୧୨,୦୦୦ ରନ୍‌ କ୍ଲବ୍‌ରେ କୁକ୍‌

ସିଡ୍‌ନି: ଇଂଲଣ୍ଡର ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଆଲିଷ୍ଟର କୁକ୍‌ ୧୨,୦୦୦ ଟେଷ୍ଟ ରନ୍‌ କ୍ଲବ୍‌ରେ ନିଜ ନାମକୁ ଯୋଡ଼ିଛନ୍ତି। ସିଡ୍‌ନି କ୍ରିକେଟ୍‌ ପଡ଼ିଆରେ ଅଷ୍ଟ୍ରେଲିଆ ବିପକ୍ଷ ଆସେସ୍‌ ଶୃଙ୍ଖଳାର ପଞ୍ଚମ ତଥା ଶେଷ ଟେଷ୍ଟର ରବିବାର ଚତୁର୍ଥ ଦିବସରେ ଇଂଲଣ୍ଡ ଦ୍ୱିତୀୟ ପାଳିରେ କୁକ୍‌ ୧୦ ରନ୍‌ କରି ଆଉଟ୍‌ ହୋଇଥିଲେ। ତେବେ ସେ ପାଭିଲିୟନ୍‌ ଫେରିଯିବା ପୂର୍ବରୁ ଟେଷ୍ଟ କ୍ରିକେଟ୍‌ରେ ୧୨,୦୦୦ ରନ୍‌ ପୂରଣ କରିସାରିଥିଲେ। ୧୫୨ ଟେଷ୍ଟରୁ ଏହି ମାଇଲଖୁଣ୍ଟ ଛୁଇଁବା ପରେ ସେ ବିଶ୍ୱର ଷଷ୍ଠ ବ୍ୟାଟ୍‌ସମ୍ୟାନ୍‌ ହୋଇଥିଲେ। ଏଥି ସହିତ ସେ ଭାରତର ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର, ଅଷ୍ଟ୍ରେଲିଆର ରିକି ପଣ୍ଟିଂ, ଦକ୍ଷିଣ ଆଫ୍ରିକାର ଜାକ୍ସ କାଲିସ୍‌, ଭାରତର ରାହୁଲ୍‌ ଦ୍ରାବିଡ୍‌ ଓ ଶ୍ରୀଲଙ୍କାର କୁମାର ସାଙ୍ଗାକାରାଙ୍କ କ୍ଲବ୍‌ରେ ସାମିଲ ହୋଇଛନ୍ତି।

ସମ୍ବନ୍ଧିତ ଖବର