ମନ ଜିତିଲା ମସ୍କୋ: ୨୨’ରେ କମ୍ପିବ କାତାର

ସ୍ମିଥ୍‌ଙ୍କ ସହ ଝୁମିଲା ଲୁଝ୍‌ନିକି

ଫୁଟବଲ୍‌ ମହାସମରର ରଙ୍ଗାରଙ୍ଗ ପରିସମାପ୍ତି ଘଟିଛି। ରବିବାରର ଉଦ୍‌ଯାପନୀ ଉତ୍ସବରେ ହଲିଉଡ୍‌ ଅଭିନେତା ଓ ଗାୟକ ଓ୍ଵିଲ୍‌ ସ୍ମିଥ୍‌ ଓ ଆମେରିକୀୟ ଗାୟକ ନିକି ଜାମଙ୍କ ସହ କସୋଭୋ ଗାୟିକା ଏରା ଇଷ୍ଟ୍ରେଫି ପରିବେଷଣ ଲୁଝନିକି ଦର୍ଶକଙ୍କ ମନ ମୋହି ନେଇଥିଲା। ଏମାନେ ଏକସ୍ୱରରେ ବିଶ୍ୱକପ୍‌ର ଅଫିସିଆଲ୍‌ ସଙ୍ଗୀତ ‘ଲିଭ୍‌ ଇଟ୍‌ ଅପ୍‌’ ଗାଇଥିଲେ। ତାଳେ ତାଳେ ଦର୍ଶକ ମଧ୍ୟ ଝୁମିଥିଲେ। ଏହି ତିନି ଜଣଙ୍କ ସହ ବହୁ ସ୍ଥାନୀୟ କଳାକାର ମଧ୍ୟ ଆଜି ଉଦଯାପନୀ ଉତ୍ସବରେ ଅଂଶ ଗ୍ରହଣ କରିଥିଲେ।

ମସ୍କୋ: ୩୧ ଦିନ ଏବଂ ୬୪ ମ୍ୟାଚ୍‌ର ଲଢ଼େଇ ପରେ ରୁଷିଆ ବିଶ୍ୱକପ୍‌ର ସୁଖଦ ପରିସମାପ୍ତି ହୋଇଛି। ତା’ ସହ ପରବର୍ତୀ ବିଶ୍ୱକପ୍‌ର ଆୟୋଜକ କାତାରକୁ ଚଳିତ ଥରର ଆୟୋଜକ ରୁଷିଆ ଦାୟିତ୍ୱ ହସ୍ତାନ୍ତର କରିଛି। ଫଳରେ ୨୦୦୨ରେ ଜାପାନ-ଦକ୍ଷିଣ କୋରିଆ ପରେ ବିଶ୍ୱକପ୍‌ ପୁଣି ଥରେ ଏସିଆ ମହାଦେଶକୁ ଫେରିବାକୁ ଯାଉଛି। ରୁଷିଆ ରାଷ୍ଟ୍ରପତିଙ୍କ ମୁଖ୍ୟାଳୟ କ୍ରେମଲିନ୍‌ରେ ରବିବାର ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଫିଫା ସଭାପତି ଜିଆନି ଇନ୍‌ଫାଣ୍ଟିନୋଙ୍କୁ ବିଶ୍ୱକପ୍‌ ମ୍ୟାଚ୍‌ ବଲ୍‌ ପ୍ରଦାନ କରିଥିଲେ। ଇନ୍‌ଫାଣ୍ଟିନୋ ଏହାକୁ କାତାର ଆମିର ଶେଖ୍‌ ତମିମ ବିନ୍‌ ହମଦ ଅଲ ଥାନିଙ୍କୁ ହସ୍ତାନ୍ତର କରି ଆୟୋଜନ ଅଧିକାର ପ୍ରଦାନର ଔପଚାରିକତା ପୂରଣ କରିଥିଲେ। ବିଶ୍ୱକପ୍‌ ଆୟୋଜନ କରି ରୁଷିଆ ଗର୍ବିତ। ବିଶ୍ୱକପ୍‌ର ଅଭିଜ୍ଞତା ଆମେ କାତାର ସହ ବାଣ୍ଟିବୁ ବୋଲି ପୁଟିନ ଏହି ଅବସରରେ କହିଥିଲେ। ବିଶ୍ୱକପ୍‌ ଚିରାଚରିତ ଭାବେ ମେ, ଜୁନ୍‌ ଏବଂ ଜୁଲାଇ ମାସରେ ଆୟେଜିତ ହୋଇ ଆସୁଛି। ହେଲେ ପ୍ରଥମ ଥର ପାଇଁ କାତାରରେ ନଭେମ୍ବର-ଡିସେମ୍ବରରେ ଆୟୋଜିତ ହେବ। ୨୦୨୨ ବିଶ୍ୱକପ୍‌ ନଭେମ୍ବର ୨୧ରୁ ଆରମ୍ଭ ହୋଇ ଡିସେମ୍ବର ୧୮ରେ ଶେଷ ହେବ। ଏଥିରେ ମଧ୍ୟ ୩୨ ଦଳ ଅଂଶ ଗ୍ରହଣ କରିବେ। କାତାର ଅଷ୍ଟ୍ରେଲିଆ, ଜାପାନ, ଦକ୍ଷିଣ କୋରିଆ, ଆମେରିକାକୁ ପଛରେ ପକାଇ କାତାର ୨୦୨୨ ବିଶ୍ୱକପ୍‌ ଆୟୋଜନ ଅଧିକାର ହାସଲ କରିଥିଲା। ଆରବ ଦୁନିଆର ଏହା ପ୍ରଥମ ଫୁଟବଲ୍‌ ବିଶ୍ୱକପ୍‌ ହେବ। ଏକବିଂଶ ବିଶ୍ୱକପ୍‌ର ଆୟୋଜନ ନେଇ ଗତ ଏକ ମାସ ଧରି ରୁଷିଆ ଉତ୍ସବ ମୁଖର ଥିଲା। ୨୦୨୨ରେ ତୁଳନାତ୍ମକ ଭାବେ କ୍ଷୁଦ୍ର ରାଷ୍ଟ୍ର କାତାର ଫୁଟ୍‌ବଲ୍‌ ବିଶ୍ୱଯୁଦ୍ଧ ପାଇଁ ୨୭ ଦିନ କାଳ କମ୍ପିବ।

ସମ୍ବନ୍ଧିତ ଖବର