ପରାଜୟ ଦ୍ବାରରେ ଓଡ଼ିଶା

ଭୁବନେଶ୍ବର: ହରିଆଣା ବିପକ୍ଷ ପ୍ରଥମ ମୁକାବିଲାକୁ କ‌‌ଷ୍ଟେମଷ୍ଟେ ଅମୀମାଂସିତ ରଖିଥିବା ଓଡ଼ିଶା ରଣଜୀ ଦଳ ଉତ୍ତରପ୍ରଦେଶ ଜାଲରେ ପୂରା ଫସି ଯାଇଛି। ସ୍ଥାନୀୟ କିଟ୍ ପଡ଼ିଆରେ ଖେଳୁଥିବା ଋତୁର ଦ୍ବିତୀୟ ମ୍ୟାଚ୍‌ରେ ଘରୋଇ ଦଳ ପରାଜୟ ଦ୍ବାର ଦେଶରେ ରହିଛି। ଦ୍ରୁତ ବୋଲର ବସନ୍ତ ମହାନ୍ତିଙ୍କ ଅଷ୍ଟାଦଶ ପାଞ୍ଚ ୱିକେଟ୍ ସଫଳତା ସତ୍ତ୍ବେ ଭ୍ରମଣକାରୀ ଉତ୍ତର ପ୍ରଦେଶ ତା’ ପ୍ରଥମ ପାଳିରେ ୪୩୭ ରନ୍‌ର ସମ୍ମାନଜନକ ସ୍କୋର କରି ନେଇଥିଲା। ଘରୋଇ ପରିବେଶ ସତ୍ତ୍ବେ ଓଡ଼ିଶା ବ୍ୟାଟ୍ସମ୍ୟାନ୍ କିନ୍ତୁ ପ୍ରଥମ ପାଳି ଭଳି ଦ୍ବିତୀୟ ପାଳିରେ ମଧ୍ୟ ଦକ୍ଷତା ମୂଳକ ବ୍ୟାଟିଂ କରି ପାରି ନଥି‌ଲେ। ଉତ୍ତର ପ୍ରଦେଶର ଦୁଇ ଦ୍ରୁତ ବୋଲର ଅଙ୍କିତ ରାଜପୁତ ଏବଂ ଶିଭମ ମାଭିଙ୍କୁ ତିନିଟି ଲେଖାଏଁ ୱିକେଟ୍ ଟେକିଦେଇ ୧୮୦ ରନ୍‌ରେ ୭ ୱିକେଟ୍ ହରାଇ ବୁଧବାର ତୃତୀୟ ଦିନର ଖେଳ ଶେଷ କରିଥିଲେ। ନିୟମିତ ୱିକେଟ୍ ପଡ଼ିଚାଲିଥିଲା ବେଳେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ସନ୍ଦୀପ ପଟ୍ଟନାୟକ (୪୬) ଓ ମଧ୍ୟକ୍ରମ ତାରକା ଶୁଭ୍ରାଂଶୁ ଷଡ଼ଙ୍ଗୀ (୪୨)ଙ୍କ ସାହସିକ ଲଢ଼େଇ ପାଇଁ ଓଡ଼ିଶା ଆପାତଃ ପାଳି ପରାଜୟ ଟାଳି ପାରିଥିଲା। ବୁଧବାରର ଖେଳ ଶେଷ ସୁଦ୍ଧା କିନ୍ତୁ ଓଡ଼ିଶା ହାତରେ ଶେଷ ୩ ୱିକେଟ୍ ଥିଲା ବେଳେ ଦଳ ଉତ୍ତର ପ୍ରଦେଶର ପ୍ରଥମ ପାଳି ସ୍କୋରଠାରୁ ୧ ରନ୍ ପଛରେ ରହିଛି। ଦିନର ଅନ୍ତିମ ବଲ୍‌ରେ ଦେବବ୍ରତ ପ୍ରଧାନ (୪) ଆଉଟ୍ ହୋଇଥିଲେ। ଅନ୍ୟପଟେ ସାନ୍ତନୁ ମିଶ୍ର ୧୯ ରନ୍‌ରେ ଅପରାଜିତ ରହିଥିଲେ। ଓଡ଼ିଶା ତା’ ପ୍ରଥମ ପାଳିରେ ୨୫୬ ରନ୍ କରିଥିଲା। ଫଳରେ ଉତ୍ତରପ୍ରଦେଶଠାରୁ ୧୮୧ ରନ୍‌ରେ ପଛୁଆ ରହିଥିଲା।

ଉତ୍ତର ପ୍ରଦେଶ ତା’ର ପୂର୍ବଦିନ ସ୍କୋର ୩୬୧/୬ରୁ ଆଜିର ଖେଳ ଆରମ୍ଭ କରିଥିଲା। ଲଗାତାର ତୃତୀୟ ଶତକ ଅର୍ଜନ କରି ଓଡ଼ିଶାକୁ ନୟାନ୍ତ କରିଥିବା ଉତ୍ତରପ୍ରଦେଶ ଅଧିନାୟକ ଅକ୍ଷଦୀପ ନାଥ (୧୫୯)ଙ୍କୁ ରାଜେଶ ମହାନ୍ତି ଆଉ ମାତ୍ର ୮ ରନ୍ ଯୋଡ଼ିବାର ସୁଯୋଗ ଦେଇଥିଲେ। ଅନ୍ୟତମ ଅପରାଜିତ ବ୍ୟାଟ୍ସମ୍ୟାନ୍ ସୌରଭ କୁମାର (୧୦)ଙ୍କୁ ବସନ୍ତ କ୍ଲିନ୍ ବୋଲ୍ଡ କରି ଦେଇଥି‌ଲେ। ସୌରଭ ନିଜ ବ୍ୟକ୍ତିଗତ ସ୍କୋର୍‌ରେ ଆଉ ମାତ୍ର ୨ ରନ୍ ଯୋଡ଼ି ପାରିଥିଲେ। ତେବେ ଶିଭମ ମାଭି (୩୪) ଓ ୟଶ୍ ଦୟାଲ (୨୫*)ଙ୍କୁ ଓଡ଼ିଶା ବୋଲରମାନେ ଶେଷ ୱିକେଟ୍‌ରେ ୫୭ ରନ୍ ଦେଇଥିଲେ। ଫଳରେ ଉତ୍ତର ପ୍ରଦେଶ ୪୦୦ ରନ୍ ଟପି ଯାଇଥିଲା। ଶେଷରେ ଶିଭମଙ୍କୁ ବସନ୍ତ ତାଙ୍କ ଷଷ୍ଠ ଶିକାର କରି ଉତ୍ତରପ୍ରଦେଶ ପାଳିରେ ପୂର୍ଣ୍ଣଛେଦ ଟାଣିଥିଲେ। ଅନୁରାଗ ଷଢ଼ଙ୍ଗୀ (୯) ଲଗାତାର ଦ୍ବିତୀୟ ଥର ପାଇଁ ଏକ ଅଙ୍କ ଆଗକୁ ବଢ଼ି ନପାରିବା ପରେ ଦ୍ବିତୀୟ ପାଳିରେ ଓଡ଼ିଶା ଆଶାଜନକ ଆରମ୍ଭ କରି ପାରି ନଥିଲା। ନର୍ଭରଯୋଗ୍ୟ ଗୋବିନ୍ଦ ପୋଦ୍ଦାର (୨୭), ଅଧିନାୟକ ବିପ୍ଳବ ସାମନ୍ତରାୟ (୮) ଓ ୱିକେଟ୍ ରକ୍ଷକ ସୁଜିତ ‌‌ଲେଙ୍କା (୧୯) ବିଫଳ ହେବା ପରେ ଖେଳ ତୃତୀୟ ଦିନରେ ‌ଶେଷ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଥିଲା। ତେବେ ସନ୍ଦୀପ ଏବଂ ଶୁଭ୍ରାଂଶୁଙ୍କ ପାଇଁ ସମ୍ମାନ ରହି ଯାଇଥିଲା। ବୁଧବାର ଉତ୍ତର ପ୍ରଦେଶର ୪ ୱିକେଟ୍‌କୁ ମିଶାଇ ମୋଟ ୧୧ ୱିକେଟ୍‌ର ପତନ ହୋଇଥିଲା।

ଫିକା ଦିନରେ ବସନ୍ତ ଚମକ
ବୁଧବାର ଓଡ଼ିଶା ଦଳ ଆଶା ଜନକ ପ୍ରଦର୍ଶନ କରି ପାରି ନଥିଲା। ହେଲେ ଅଭିଜ୍ଞ ଦ୍ରୁତ ବୋଲର ବସନ୍ତ ମହାନ୍ତି ତାଙ୍କ ଛାପ ଛାଡ଼ିଥିଲେ। ପୂର୍ବରୁ ଉତ୍ତରପ୍ରଦେଶର ତିନି ଜଣ ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ ପଠାଇ ସାରିଥିବା ବସନ୍ତ ଆଜି ଏହି ଦଳର ବଳକା ୪ ୱିକେଟ୍ ମଧ୍ୟରୁ ତିନିଟି ଅକ୍ତିଆର କରିଥିଲେ। ଫଳରେ ୬୨ ରନ୍ ବ୍ୟୟ କରି ବ୍ୟକ୍ତିଗତ ଭାବେ ମୋଟ ୬ ୱିକେଟ୍ କରାୟତ କରିଥିଲେ। ୩୦.୪ ଓଭର ମଧ୍ୟରୁ ସେ ୧୨ ଓଭର ମ‌େ‌ଡେନ୍ ପକାଇଥିଲେ। ବୁଧବାର ବସନ୍ତ ପ୍ରଥମ ଶ୍ରେଣୀ କ୍ରିକେଟ୍‌ର ଗ‌ୋଟିଏ ପାଳିରେ ଅଷ୍ଟାଦଶ ଥର ପାଇଁ ପାଞ୍ଚ କିମ୍ବା ତା’ଠାରୁ ଅଧିକ ୱି‌କେଟ୍ ନେଇଥିଲେ। ୩୨ ବର୍ଷୀୟ ବସନ୍ତ ୮୪ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୧୬ ଥର ୪ ୱିକେଟ୍ ସଫଳତା ମଧ୍ୟ ପାଇଛନ୍ତି। ଉତ୍ତର ପ୍ରଦେଶ ମ୍ୟାଚ୍‌କୁ ମିଶାଇ ସେ ୩୧୬ ୱିକେଟ୍ ହାସଲ କରିଛନ୍ତି। ୨୭ ରନ୍ ଦେଇ ୭ ୱିକେଟ୍ ନେବା ‌ହେଉଛି ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ।

ସମ୍ବନ୍ଧିତ ଖବର