ଇନ୍ଦୋର ଟେଷ୍ଟରେ ମୟଙ୍କ ଅଗ୍ରଓ୍ଵାଲଙ୍କ ଆକର୍ଷଣୀୟ ଦ୍ୱିଶତକ, ଦୃଢ ସ୍ଥିତିରେ ଭାରତ

ଇନ୍ଦୋର : : ଇନ୍ଦୋରର ହୋଲକର କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଭାରତ ବାଂଲାଦେଶ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ନିଜର ସ୍ଥିତି ସୁଦୃଢ କରିଛି । ଆଜି ଭାରତୀୟ ଇନିଂସର ସବୁଠାରୁ ବଡ଼ ଆକର୍ଷଣ ହେଲା ଓପନର ମୟଙ୍କ ଅଗ୍ରଓ୍ଵାଲଙ୍କ ଦ୍ୱିଶତକ । ଏହା ଫଳରେ ଭାରତ ଏପର୍ଯ୍ୟନ୍ତ ୪ ଓ୍ଵିକେଟ ହରାଇ ୩୭୬ ରନ ସଂଗ୍ରହ କରିଛି ଓ ବାଂଲା ଠାରୁ ୨୨୬ ରନରେ ଆଗୁଆ ଅଛି ।

ଗତ କାଲି ରୋହିତ ଶର୍ମାଙ୍କ ସହ ବ୍ୟାଟିଂ ଓପନ କରିଥିବା ମୟଙ୍କ ଚେତେଶ୍ୱର ପୂଜାରାଙ୍କ ସହ ମିଶି ଦଳର ସ୍ଥିତିକୁ ସୁଧାରିଥିଲେ । ପୂଜାରାଙ୍କ ଆଉଟ ପରେ ଅଧିନାୟକ ବିରାଟ କୋହଲୀ ମଧ୍ୟ ଶୂନରେ ଆଉଟ ହୋଇଯାଇଥିଲେ । ତେବେ ମୟଙ୍କ ଗୋଟିଏ ପଟେ ସତର୍କତାର ସହ ବ୍ୟାଟିଂ ଅବ୍ୟାହତ ରଖିଥିଲେ । ବିରାଟଙ୍କ ପରେ ଆସିଥିବା ଅଜିଙ୍କ୍ୟ ରାହାଣେଙ୍କ ସହ ମିଶି ଦଳୀୟ ସ୍ଥିତିକୁ ସୁଦୃଢ କରିଥିଲେ । ଅଜିଙ୍କ୍ୟ ୮୬ ରନ କରି ଆଉଟ ହୋଇଥିଲେ ।

ଗତକାଲି ବାଂଲାଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ଦଳର କୌଣସି ବ୍ୟାଟସମ୍ୟାନ ଭାରତୀୟ ବୋଲରଙ୍କ ସମ୍ମୁଖୀନ ହୋଇପାରିନଥିଲେ । ଦଳ ପକ୍ଷରୁ ମୁସ୍ତାଫିଜୁର ରହିମ ସର୍ବାଧିକ ୪୩ ଓ ମୋମିନୁଲ ହକ ୩୭ ରନ କରିଥିଲେ । ଭାରତ ପକ୍ଷରୁ ମହମ୍ମଦ ସାମୀ ୩ଟି, ଉମେଶ ଯାଦବ, ଇଶାନ୍ତ ଶର୍ମା ଓ ଆର.ଅଶ୍ୱୀନ ୨ଟି ଲେଖାଏଁ ଓ୍ଵିକେଟ ନେଇଥିଲେ । ଗତ ସପ୍ତାହରେ ଅନୁଷ୍ଠିତ ଟି-୨୦ ସିରିଜରେ ଭାରତ ବାଂଲାଦେଶକୁ ୨-୧ ରେ ପରାସ୍ତ କରିଥିଲା ।

ସମ୍ବନ୍ଧିତ ଖବର