ମୟଙ୍କଙ୍କ ଦ୍ୱିଶତକ, ପୃଥ୍ଵୀଙ୍କ ଶତକ

ଦକ୍ଷିଣ ଆଫ୍ରିକା ବୋଲର ଘାଇଲା: ଭାରତ ୪୧୧/୨

ବେଙ୍ଗାଲୁରୁ: ମୟଙ୍କ ଅଗ୍ରଓ୍ଵାଲ୍‌ଙ୍କ ଅପରାଜିତ ଦ୍ୱିଶତକ (୨୨୦) ସାଙ୍ଗକୁ ପୃଥ୍ଵୀ ସ (୧୩୬)ଙ୍କ ଶତକ ବଳରେ ଭାରତ-ଏ ଦଳ ଏଠାରେ ଚାଲିଥିବା ପ୍ରଥମ ଯୁବ ଟେଷ୍ଟ୍‍ରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା-ଏ ବିପକ୍ଷରେ ବଡ଼ ସ୍କୋର୍‌ ଅଭିମୁଖେ ଅଗ୍ରସର ହୋଇଛି। ଭାରତୀୟ ବୋଲରମାନେ ପ୍ରଥମ ଦିବସରେ ହିଁ ଦକ୍ଷିଣ ଆଫ୍ରିକା ପ୍ରଥମ ପାଳିକୁ ୨୪୬ ରନ୍‌ରେ ଅଟକାଇ ଦେବା ପରେ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ମାନେ ଦ୍ୱିତୀୟ ଦିବସରେ ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ନିରାଶ କରିଦେଇଛନ୍ତି। ବିଶେଷକରି ଦୁଇ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ପୃଥ୍ଵୀ ସ ଓ ମୟଙ୍କ ଅଗ୍ରଓ୍ଵାଲ ଭ୍ରମଣକାରୀ ଦଳର ବୋଲରଙ୍କୁ ନିସ୍ତୁକ ପ୍ରହାର କରି ପ୍ରଥମ ଓ୍ଵିକେଟ୍‌ରେ ୨୭୭ ରନ୍‌ ଯୋଡ଼ି ସ୍ଥିତି ଦୃଢ଼ କରିନେଇଥିଲେ। ଉଭୟ ବ୍ୟାଟ୍‌ସମ୍ୟାନ୍‌ ମଧ୍ୟ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିଥିଲେ। ପୃଥ୍ଵୀ ସ ୧୯୬ ବଲ୍‌ରୁ ୨୦ ଚୌକା ଓ ୧ ଛକା ସହାୟତାରେ ୧୩୬ ରନ୍‌ କରି ଆଉଟ୍‌ ହୋଇଥିଲା ବେଳେ ରବିକୁମାର ସମର୍ଥ ୩୭ ରନ୍‌ କରି ପାଭିଲିୟନ୍‌ ଫେରିଥିଲେ। ଅବଶ୍ୟ ସମର୍ଥ ଆଉଟ୍‌ ହେବା ପୂର୍ବରୁ ମୟଙ୍କଙ୍କ ସହ ଦ୍ୱିତୀୟ ଓ୍ଵିକେଟ୍‌ରେ୧୧୮ ରନ୍‌ ଯୋଡ଼ିଥିଲେ। ହେଲେ ମୟଙ୍କ ଅପରାଜିତ ରହି ଦଳକୁ ବଡ଼ ସ୍କୋର୍‌ ଆଡ଼କୁ ଆଗେଇ ନେଇଛନ୍ତି। ମୟଙ୍କ ୨୫୦ ବଲ୍‌ ଖେଳି ୩୧ ଚୌକା ଓ ୪ ଛକା ସହାୟତାରେ ୨୨୦ ରନ୍‌ କରିଛନ୍ତି। ତାଙ୍କ ସହ ଅଧିନାୟକ ଶ୍ରେୟସ ଆୟର ୯ ରନ୍‌ରେ ଅପରାଜିତ ଥିଲା ବେଳେ ଦ୍ୱିତୀୟ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ଭାରତ ୨ ଓ୍ଵିକେଟ୍‌ ବିନିମୟରେ ୪୧୧ (୮୭ ଓଭର) ରନ୍‌ କରିନେଇଛି। ଫଳରେ ହାତରେ ୮ ଓ୍ଵିକେଟ୍‌ ଥାଇ ଭାରତ ୧୬୫ ରନ୍‌ରେ ଆଗୁଆ ହୋଇଯାଇଛି।

ସମ୍ବନ୍ଧିତ ଖବର