ହରିହର ଶ୍ରେଷ୍ଠ ଗୁରୁ, ସମ୍ମାନିତ ହେବେ ୫

ଏମ୍‌ବି ସ୍ମାରକୀ କ୍ରୀଡ଼ା ପୁରସ୍କାର

ଭୁବନେଶ୍ୱର: ଗୁରୁ ଶିଷ୍ୟ ପରମ୍ପରାକୁ ଆଗକୁ ନେବା ଲକ୍ଷ୍ୟରେ ମୁକୁନ୍ଦ ବରାଳ ମେମୋରିଆଲ୍‌ ଟ୍ରଷ୍ଟ ପକ୍ଷରୁ ଆୟୋଜିତ କ୍ରୀଡ଼ା ପ୍ରତିଭା ସମ୍ମାନ ଏଥର ମୋଟ ୬ ଜଣଙ୍କୁ ମିଳିବ। ସ୍ୱର୍ଗତ ବରାଳଙ୍କ ଶିଷ୍ୟ ହରିହର ସିଂହଙ୍କୁ ଏମ୍‌ବି ସ୍ମାରକୀ ଶ୍ରେଷ୍ଠ କ୍ରୀଡ଼ାଗୁରୁ ସମ୍ମାନ ପ୍ରଦାନ କରାଯିବ। ସେହିଭଳି ୫ ଉଦୀୟମାନ ପ୍ରତିଭାଙ୍କୁ ସମ୍ବର୍ଧିତ କରାଯିବ। ଏସୀୟ ଶକ୍ତିଉତ୍ତୋଳନ ସ୍ୱର୍ଣ୍ଣ ବିଜୟିନୀ ତଥା ଜଣାଶୁଣା କରାଟେକା ଅନୁପମା ସ୍ୱାଇଁ, ସ୍କୁଲ ଗେମ୍ସରେ ଖେଳିଥିବା ଫୁଟ୍‌ବଲର୍‌ ଫରନାମ ଫିରଦୋସ୍‌, ଜାତୀୟ ବିଦ୍ୟାଳୟ ଭାରୋତ୍ତୋଳନରେ କାଂସ୍ୟ ବିଜୟିନୀ ମୋତି ଜାନି, ଜାତୀୟ ଉପକନିଷ୍ଠ ଜୁଡ଼ୋରେ ସ୍ୱର୍ଣ୍ଣ ବିଜୟିନୀ ସଲ୍‌ମା ମୁର୍ମୁ ଏବଂ ଜାତୀୟ ଓ ଦକ୍ଷିଣ ଏସୀୟ କ୍ରୀଡ଼ା କନିଷ୍ଠ ବର୍ଗରେ ପଦକ ବିଜୟିନୀ ଧାବିକା ପ୍ରଜ୍ଞା ପ୍ରଶାନ୍ତି ସାହୁଙ୍କୁ ୧୦,୦୦୦ ଟଙ୍କା ଲେଖାଏଁ ପ୍ରଦାନ ପୂର୍ବକ ଏମ୍‌ବି ମେମୋରିଆଲ୍‌ କ୍ରୀଡ଼ା ପ୍ରତିଭା ସମ୍ମାନ ପ୍ରଦାନ କରାଯିବ। ଜୁଲାଇ ୭ ତାରିଖରେ ଜୟଦେବ ଭବନରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ଟ୍ରଷ୍ଟର୍‌ ଅଧ୍ୟକ୍ଷ ନବରଂଜନ ପଟ୍ଟନାୟକ କ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏହି ଅବସରରେ ସମ୍ବର୍ଧିତ ପ୍ରତିଭାମାନଙ୍କ ଏକ ଫଟୋଚିତ୍ର ସମ୍ବଳିତ ପୋଷ୍ଟର୍‌ ଉନ୍ମୋଚିତ ହୋଇଥିଲା। ସାମ୍ବାଦିକ ସମ୍ମିଳନୀରେର ଅନ୍ୟମାନଙ୍କ ମଧ୍ୟରେ ମୁକୁନ୍ଦ ବରାଳଙ୍କ ସୁପୁତ୍ର ନବକିଶୋର ବରାଳ, କୈବଲ୍ୟ ବରାଳ, ଗୌରୀଶଙ୍କର ମିଶ୍ର, ଦିଲ୍ଲୀପ କୁମାର ଦାସ, ଭାଜପା ନେତା ଜଗନ୍ନାଥ ପ୍ରଧାନ, ସନ୍ତୋଷ ପ୍ରଧାନ, ମନୋରଂଜନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର