ଗଣମାଧ୍ୟମ ପୁଣି ଜିତିଲା ଟ୍ରଫି: ଟାଟା ଷ୍ଟିଲ୍‌ କ୍ରିକେଟ୍‌

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍‌ରେ ରବିବାର ଅନୁଷ୍ଠିତ ଏକାଦଶ ଟାଟା ଷ୍ଟିଲ୍‌ ବଂଧୁତ୍ୱପୂର୍ଣ୍ଣ କ୍ରିକେଟ୍‌ ପ୍ରତିଯୋଗିତାରେ ଗଣମାଧ୍ୟମ ଦଳ ଟ୍ରଫି ବଜାୟ ରଖିଛି। ଫାଇନାଲ୍‌ରେ ପ୍ରଶାସକ ଏକାଦଶକୁ ୬ ଓ୍ଵିକେଟ୍‌ରେ ହରାଇ ଗଣମାଧ୍ୟମ ଲଗାତାର ବିଜେତା ମୁକୁଟ ତୋଳିଛି। ପ୍ରଥମେ ବ୍ୟାଟିଂ କରିଥିବା ପ୍ରଶାସକ ଏକାଦଶ ୧୨ ଓଭରରେ ୭ ଓ୍ଵିକେଟ୍‌ ହରାଇ ୮୮ ରନ୍‌ କରିଥିଲା। ଅଶୋକ ସେଠୀ ୨ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ଗଣମାଧ୍ୟମ ଏକାଦଶ ୧୧.୪ ଓଭରରେ ୪ ଓ୍ଵିକେଟ୍‌ ହରାଇ ୮୯ ରନ୍‌ ସଂଗ୍ରହ କରି ନେଇଥିଲା। ଫୈଜଲ ଅଲୀ (୩୨*, ୩ ଛକା, ୨ ଚୌକା ଏବଂ ୧ ଓ୍ଵିକେଟ୍‌) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ପୂର୍ବରୁ ଅନୁଷ୍ଠିତ ସେମିଫାଇନାଲ୍‌ରେ ଗଣମାଧ୍ୟମ ଏକାଦଶ ୬ ଓ୍ଵିକେଟ୍‌ରେ ରାଜନେତା ଏକାଦଶକୁ ପରାସ୍ତ କରିଥିବାବେେଳେ ସୁକେଶ ବେହେରା (୨୨) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ହୋଇଥିଲେ। ସେହିଭଳି ଦେବୀପ୍ରିୟ ବିଶ୍ୱାଳ (୩ ଓ୍ଵିକେଟ୍‌ ଏବଂ ୪୪ ରନ୍‌)ଙ୍କ ଅଲରାଉଣ୍ଡ୍‌ ସହାୟତାରେ ପ୍ରଶାସକ ଏକାଦଶ ଦ୍ୱିତୀୟ ସେମିଫାଇନାଲ୍‌ରେ ଟାଟା ଷ୍ଟିଲ୍‌ ଏକାଦଶକୁ ପରାସ୍ତ କରି ଫାଇନାଲ୍‌ ଆସିଥିଲା। ସୁକେଶ ବେହେରା ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍‌, ଜେଡି ପତି ଶ୍ରେଷ୍ଠ ବୋଲର, ଦେବୀପ୍ରିୟ ବିଶ୍ୱାଳ ଶ୍ରେଷ୍ଠ ଅଲରାଉଣ୍ଡର୍‌, ମନୋଜ ମହାପାତ୍ର ଶ୍ରେଷ୍ଠ ଓ୍ଵିକେଟରକ୍ଷକ, ସଚିଦାନନ୍ଦ ରାଉତ ଶ୍ରେଷ୍ଠ କ୍ଷେତ୍ରରକ୍ଷକ ପୁରସ୍କାର ପାଇଥିଲେ।

ଉଦ୍‌ଯାପନୀ ଉତ୍ସବରେ ଭୁବନେଶ୍ୱର ସାଂସଦ ପ୍ରସନ୍ନ କୁମାର ପାଟଶାଣୀ, ବିଧାୟକ ପ୍ରିୟଦର୍ଶି ମିଶ୍ର, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ରାଜେଶ ବର୍ମା, ଆଇଏଏସ୍‌ ଅଶୋକ ମୀନା, ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ସଭାପତି କେ ରବି, ବିିଜିନେସ୍‌ ଷ୍ଟାଣ୍ଡାର୍ଡ ଆବାସିକ ସମ୍ପାଦକ ଦିଲୀପ ଶତପଥୀ, ଟାଟା ଷ୍ଟିଲ୍‌ ଗୋପାଳପୁର ପ୍ରକଳ୍ପ ଉପ ସଭାପତି ତଥା ଏସ୍‌ଇଜେଡ୍‌ ପରିଚାଳନା ନିର୍ଦେଶକ ଅରୁଣ ମିଶ୍ର, ଟାଟା ଷ୍ଟିଲ୍‌ ଉପ ସଭାପତି (ଅପରେସନ୍‌ସ) ରାଜୀବ କୁମାର ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ସକାଳେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ଆଇଏଏସ୍‌ ଶାଶ୍ୱତ ମିଶ୍ର, ଟାଟା ଷ୍ଟିଲ୍‌ ମୁଖ୍ୟ ଆବାସିକ ନିର୍ବାହୀ ମଣିକାନ୍ତ ନାଏକ ଏହି ଦିନିକିଆ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ।

ସମ୍ବନ୍ଧିତ ଖବର