ପୁରୁଷ ହକି ଦଳ ଗ୍ରୁପ୍‌ ବିଜେତା, ସେମିରେ ନ୍ୟୁଜିଲାଣ୍ଡକୁ ଭେଟିବ

ଭାରତୀୟ ପୁରୁଷ ହକି ଦଳ ବୁଧବାର ଆଉ ଏକ ରୋମାଞ୍ଚକର ମୁକାବିଲାରେ ଇଂଲଣ୍ଡକୁ ୪-୩ ଗୋଲ୍‌ରେ ହରାଇ ଥିଲା। ଫଳରେ ପୁଲ୍‌ ବି’ର ଶୀର୍ଷ ସ୍ଥାନରେ ରହି ସେମିଫାଇନାଲକୁ ଯାଇଥିଲା। ଭାରତ ସେମିରେ ନ୍ୟୁଜିଲାଣ୍ଡକୁ ଏବଂ ଇଂଲଣ୍ଡ ଆୟୋଜକ ଅଷ୍ଟ୍ରେଲିଆକୁ ଭେଟିବ।

ପୂର୍ବରୁ ସେମିଫାଇନାଲରେ ସ୍ଥାନ ସୁରକ୍ଷିତ କରି ନେଇଥିବା ଭାରତ ଆଜି ନିଜ ଗ୍ରୁପର ଶୀର୍ଷ ସ୍ଥାନ ପାଇଁ ଇଂଲଣ୍ଡକୁ ଭେଟିଥିଲା। ଦୁର୍ବଳ ଆରମ୍ଭ ସତ୍ତ୍ୱେ ଚମତ୍କାର ପ୍ରତ୍ୟାବର୍ତନ କରି ଇଂଲଣ୍ଡକୁ ୪-୩ ଗୋଲ୍‌ରେ ହରାଇ ଗ୍ରୁପ୍‌ ବିଜେତା ହୋଇଥିଲା। ଇଂଲଣ୍ଡ ଉପବିଜେତା ହୋଇ ସେମିଫାଇନାଲକୁ ଯାଇଥିଲା। ପ୍ରଥମ ପାଞ୍ଚ ମିନିଟର ଖେଳରେ ଭାରତ ଦୁଇଟି ସୁଯୋଗ ପାଇଥିଲେ ମଧ୍ୟ ଏହାକୁ ହାତଛଡ଼ା କରିଥିଲା। ଡେଭିଡ୍‌ କଣ୍ଡନଙ୍କ ଗୋଲ୍‌ ବଳରେ ଇଂଲଣ୍ଡ ୧୭ ମିିନିଟ୍‌ରେ ଆଗୁଆ ହୋଇ ଯାଇଥିଲା। ଭାରତ ୩୩ ମିନିଟରେ ଏହି ଗୋଲକୁ ଶୁଝି ଦେଇଥିଲା। ଚତୁର୍ଥ କ୍ୱାର୍ଟର ଆରମ୍ଭରେ ଭାରତ ରୂପୀନ୍ଦର ପାଲ ସିଂହଙ୍କ ମାଧ୍ୟମରେ ଆଉ ଏକ ଗୋଲ୍‌ ଦେଇ ଆଗୁଆ ହୋଇ ଯାଇଥିଲା। ମାତ୍ର କିଛି ସେକେଣ୍ଡ ପରେ ଇଂଲଣ୍ଡ ଲିଆମ ଆସେଁଲଙ୍କ ପେନାଲ୍ଟି କର୍ନର ଗୋଲ୍‌ ବଳରେ ସ୍ଥିତି ୨-୨ କରି ନେଇଥିଲା। ସାନ୍‌ ଓ୍ଵାର୍ଡ ଆଉ ଏକ ପେନାଲ୍ଟି କର୍ନର ଗୋଲ୍‌ ଦେବା ପରେ ଇଂଲଣ୍ଡ ପୁଣି ଥରେ ଆଗୁଆ ହୋଇ ଯାଇଥିଲା। ତେବେ ଭାରତ ଦୁଇ ମିନିଟ୍‌ ଭିତରେ ଦୁଇଟି ଗୋଲ୍‌ ଦେଇ ଇଂଲଣ୍ଡ ପଞ୍ଝାରୁ ବିଜୟ ଛଡ଼ାଇ ନେଇଥିଲା।

ଭାରତ-ଅଷ୍ଟ୍ରେଲିଆ ମହିଳା ସେମି ଆଜି
ଭାରତୀୟ ମହିଳା ହକି ଦଳ ଦୀର୍ଘ ୧୨ ବର୍ଷର ବ୍ୟବଧାନ ପରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସେମିଫାଇନାଲରେ ପ୍ରବେଶ କରିଛି। ସେମିଫାଇନାଲରେ କିନ୍ତୁ ରାଣୀ ରାମପାଲଙ୍କ ଦଳ କଠିନ ପରୀକ୍ଷାର ସମ୍ମୁଖୀନ ହେବ। ଗୁରୁବାର ଖେଳା ଯିବାକୁ ଥିବା ସେମିଫାଇନାଲରେ ଭାରତୀୟ ମହିଳା ଆୟୋଜକ ତଥା ବିଶ୍ୱ ମାନ୍ୟତାର ପଞ୍ଚମ ସ୍ଥାନରେ ଥିବା ଅଷ୍ଟ୍ରେଲିଆକୁ ଭେଟିବ। ଭାରତୀୟ ମହିଳା ଦଳ ପ୍ରଥମ ମ୍ୟାଚ୍‌ରେ େଓ୍ଵଲ୍ସଠାରୁ ୨-୩ ଗୋଲ୍‌ରେ ହାରିବା ପରେ ଲଗାତାର ତିନିଟି ବିଜୟ ହାସଲ କରି ସେମିଫାଇନାଲରେ ପ୍ରବେଶ କରିଛି। ପୁଲ୍‌ ଏ’ରେ ଇଂଲଣ୍ଡ ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି। ବିଶ୍ୱମାନ୍ୟତାର ଦ୍ୱିତୀୟ ସ୍ଥାନରେ ଥିବା ଇଂଲଣ୍ଡ, ମାଲେସିଆ ଓ ଦକ୍ଷିଣ ଆଫ୍ରିକାକୁ ହରାଇଥିବାରୁ ଅଷ୍ଟ୍ରେଲିଆକୁ ଭାରତ ସହଜରେ ବାଟ ଛାଡ଼ିବ ନାହିଁ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର