ମାସ୍କୋ: ମାତ୍ର ୩ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଦେଶ ଆଇସଲାଣ୍ଡ୍ ବିଶ୍ୱବାସୀଙ୍କୁ ଚକିତ କରି ଦେଇଛି ଫିଫା ବିଶ୍ୱକପ୍ ପଦାର୍ପଣ ସହିତ। ଶନିବାର ଖେଳାଯାଇଥିବା ଗ୍ରୁପ୍ ‘ଡି’ର ଉଦ୍ଘାଟନୀ ମ୍ୟାଚ୍ରେ ଏହି ଛୋଟିଆ ଦେଶ ମହାନ ଖେଳାଳି ଲିଓନେଲ୍ ମେସିଙ୍କ ଆର୍ଜେଣ୍ଟିନାକୁ ଅଟକାଇ ଦେଇଛି। ଏହି ମ୍ୟାଚ୍ ୧-୧ ଗୋଲ୍ରେ ଶେଷ ହୋଇଯିବାରୁ ଆଇସ୍ଲାଣ୍ଡ୍ ମଧ୍ୟ ପଏଣ୍ଟ୍ ଖାତା ଖୋଲି ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଛି। ଲିଓନେଲ ମେସିଙ୍କ ପେନାଲ୍ଟି ବିଫଳତା ଏହି ମ୍ୟାଚ୍ର ମୁଖ୍ୟାଂଶ ହୋଇଛି। ଏହା ଗତଥରର ଉପ ବିଜେତା ଆର୍ଜେଣ୍ଟିନାକୁ ନିରାଶା ଦେଇଛି। ୟୁରୋପୀୟ ଦେଶ ଆଇସଲାଣ୍ଡ୍ର ବିଶ୍ୱକପ୍ ପଦାର୍ପଣ ଏଭଳି ରହିବ ବୋଲି କେହି ବିଶ୍ୱାସ କରିନଥିବେ। ମ୍ୟାଚ୍ରେ ପ୍ରଥମରୁ ଆଇସଲାଣ୍ଡ୍ ଭଲ ଖେଳିଥିଲେ ମଧ୍ୟ ଆର୍ଜେଣ୍ଟିନା ୧୯ତମ ମିନିଟ୍ରେ ପ୍ରଥମ ଗୋଲ୍ ଦେଇ ଆଗୁଆ ହୋଇଯାଇଥିଲା। ମାର୍କୋସ୍ ରୋଜୋଙ୍କଠାରୁ ପାଇଥିବା କ୍ରସ୍କୁ ଅଭିଜ୍ଞ ସର୍ଜିଓ ଆଗୁଏରୋ ଗୋଲ୍ରେ ପରିଣତ କରି ଦେଇଥିଲେ। ଏହି ଚମତ୍କାର ଗୋଲ୍ର ଖୁସି କିନ୍ତୁ ଆର୍ଜେଣ୍ଟିନା ଶିବିରରେ ଅଧିକ ସମୟ ରହିନଥିଲା। ୨୩ ତମ ମିନିଟ୍ରେ ଆଲଫ୍ରେଡ୍ ଫିନ୍ବୋଗାସନ୍ଙ୍କ ଗୋଲ୍ ଆର୍ଜେଣ୍ଟିନାକୁ ଚକିତ କରି ଦେଇଥିଲା। ଆଇସଲାଣ୍ଡ୍ର ପ୍ରଥମ ବିଶ୍ୱକପ୍ ଗୋଲ୍ ଆଲଫ୍ରେଡ୍ ଫିନ୍ବୋଗାସନ୍ଙ୍କ ନାମରେ ରହିଲା। ଏହା ପରେ ମ୍ୟାଚ୍ରେ ଆଉ ଗୋଲ୍ ଦେଖିବାକୁ ମିଳିନଥିଲା। ପ୍ରଥମାର୍ଧ ୧-୧ ଗୋଲ୍ର ଶେଷ ହୋଇଥିଲା। କିନ୍ତୁ ଏକାଧିକ ଗୋଲ୍ ସୁଯୋଗ ସୃଷ୍ଟି ହୋଇଥିଲେ ମଧ୍ୟ ଦୁଇ ଥର ବିଜେତା ଆର୍ଜେଣ୍ଟିନା ବିଫଳ ହୋଇଥିଲା। ୬୪ତମ ମିନିଟ୍ରେ ଲିଓନେଲ୍ ମେସିଙ୍କ ପେନାଲ୍ଟି ବିଫଳତା କିନ୍ତୁ ଆର୍ଜେଣ୍ଟିନା ଉପରେ ଅଧିକ ଚାପ ପକାଇଥିଲା। ତାଙ୍କ ସିଧା ସିଧା ସଟ୍କୁ ରୋକି ଆଇସଲାଣ୍ଡ୍ ଗୋଲି ହାନେସ୍ ହଲଡର୍ସନ୍ ଦେଶକୁ ନିଶ୍ଚିତ ପରାଜୟରୁ ରକ୍ଷା କରି ନାୟକ ପାଲଟିଥିଲେ। ସମ୍ପୂର୍ଣ୍ଣ ମ୍ୟାଚ୍ରେ ମେସିଙ୍କୁ ଆଇସଲାଣ୍ଡ୍ ଖେଳାଳି ଘେରି ଘେରି ଖେଳିବା ତାଙ୍କୁ ଅଧିକ ସୁଯୋଗ ଦେଇନଥିଲା। ତଥାପି ପେନାଲ୍ଟିରେ ସବୁବେଳେ ସଫଳ ମେସି ଏଥର ବିଫଳ ହୋଇ ନିନ୍ଦିତ ହୋଇଥିଲେ। କ୍ଲବ୍ ଓ ଦେଶକୁ ମିଶାଇ ସେ ୧୦୬ରୁ ୮୨ ପେନାଲ୍ଟି ଗୋଲ୍ (୭୭ %) ଦେଇଛନ୍ତି। ସେହିଭଳି ବିଶ୍ୱକପ୍ରେ ତାଙ୍କ ପେନାଲଟି ରୂପାନ୍ତର ୭୧ % ରହିଛି। ଯାହାକି ମନ୍ଦ ନ ଥିଲେ ବି ଏହି ମହାନଙ୍କ ପାଇଁ ଶନିବାରର ବିଫଳତା କଳଙ୍କ ବୋଳିଦେବାର ଆଶଙ୍କା ରଖିଛି। ଜଣେ ଗୋଲ୍ରକ୍ଷକ ଭାବେ ଆଇସଲାଣ୍ଡ୍ ପାଇଁ ବିଶ୍ୱକପ୍ ଖେଳିବା ଏବଂ ବିଶ୍ୱର ଶ୍ରେଷ୍ଠ ଖେଳାଳିଙ୍କ ପେନାଲ୍ଟିର ସମ୍ମୁଖୀନ ହେବା ମୋ ପାଇଁ ବଡ଼ ମୁହୂର୍ତ ଥିଲା। ଏହାକୁ ରୋକି ମୁଁ ମୋ ସ୍ୱପ୍ନକୁ ସାକାର କରିଛି ବୋଲି କହିଛନ୍ତି ଆଇସଲାଣ୍ଡ୍ ଗୋଲରକ୍ଷକ ତଥା ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ହଲ୍ଡର୍ସନ୍। ଏଭଳି ପରିସ୍ଥିତି ଆସିବ ବୋଲି ମୁଁ ଜାଣିଥିଲି। ମେସିଙ୍କ ପେନାଲ୍ଟିକୁ ବି ଆଗରୁ ଦେଖିଥିଲି। ଅନେକ ହୋମ୍ଓ୍ଵାର୍କ କରିଥିବାରୁ ସଫଳ ହେଲି ବୋଲି କହିଛନ୍ତି ହଲ୍ଡର୍ସନ। ଆମେ ଭାରି ମନ୍ଥର ଥିଲୁ ଏବଂ ଏବେ ପରବର୍ତୀ ରାଉଣ୍ଡ୍ ଯିବାକୁ ଅଗ୍ରଭାଗରେ କିଛି ନୂଆ କରିବାକୁ ପଡ଼ିବ ବୋଲି କହିଥିଲେ ଆର୍ଜେଣ୍ଟିନା ପ୍ରଶିକ୍ଷକ ଜର୍ଜ ସାମ୍ପୋଲି।