ମେସି ଯନ୍ତ୍ରଣା, ନେଇଯିବେ ଅବସର

ମସ୍କୋ: ବିଶ୍ୱକପ୍‌ରେ ଆର୍ଜେଣ୍ଟିନାର ନିରାଶାଜନକ ପ୍ରଦର୍ଶନ ପରେ ଅଧିନାୟକ ତଥା ମହାନ ଖେଳାଳି ଲିଓନେଲ୍‌ ମେସିଙ୍କ ସମୟ ସରି ସରି ଯାଉଥିବା କଥା କ୍ରମେ ସ୍ପଷ୍ଟ ହେବାରେ ଲାଗିଛି। ଆର୍ଜେଣ୍ଟିନାର ବିଦାୟ ଆଶଙ୍କା ବଢ଼ିଯାଇଥିବାରୁ ଚଳିତ ବିଶ୍ୱକପ୍‌ ପରେ ଏହି ମହାନ ଖେଳାଳି ଅବସର ନେଇଯିବେ ବୋଲି ସୂଚନା ମିଳିଛି। ତାଙ୍କ ସହ ସର୍ଜିଓ ଆଗୁଏରୋ ମଧ୍ୟ ଅବସର ନେଇଯିବେ ବୋଲି ସୂଚନା ଦିଆଯାଇଛି। ଏଥି ସହିତ ମାଞ୍ଚେଷ୍ଟର୍‌ ୟୁନାଇଟେଡ ଡିଫେଣ୍ଡର ମାର୍କସ ରୋଜୋ, ଏଭର ବନେଗା, ଆଞ୍ଜେଲ୍‌ ଡି ମାରିଆ, ଜାଭିଏର୍‌ ମାସ୍କେରାନୋ ଏବଂ ଗଞ୍ଜାଲୋ ହିଗୁଆଁ ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ ଛାଡ଼ିଦେବେ ବୋଲି ଚର୍ଚା ବଢ଼ିଛି। ଗୁରୁବାର ରାତିରେ କ୍ରୋଏସିଆ ନିକଟରୁ ହାରିଯିବା ପରେ ମେସିଙ୍କ ଯନ୍ତ୍ରଣା ବଢ଼ିଛି। ନିଜର ୩୧ତମ ଜନ୍ମଦିନଠାରୁ କିଛି ଦିନ ଦୂରରେ ଥିବା ମେସି ଶେଷ ଥର ପାଇଁ ବିଶ୍ୱକପ୍‌ ଖେଳିବା କିନ୍ତୁ ନିଶ୍ଚିତ ହୋଇଛି। ଫଳରେ କ୍ଲବ୍‌ ଏବଂ ଅନ୍ତର୍ଜାତୀୟ ସ୍ତରରେ ବହୁ ସଫଳତା ପାଇବା ସତ୍ତ୍ୱେ ଏହି ମହାନଙ୍କ ଟ୍ରଫି ବନ୍ଧନିରେ ବିଶ୍ୱକପ୍‌ ରହିବା ଅଧୁରା ରହିବ। ୨୦୧୪ ମସିହାରେ ଆର୍ଜେଣ୍ଟିନା ଫାଇନାଲ୍‌ରେ ଜର୍ମାନିଠାରୁ ପେନାଲ୍‌ଟିରେ ହାରି ଉପ ବିଜେତା ରହିଥିଲା। ଅର୍ଥାତ୍‌ ମେସିଙ୍କ ବିଶ୍ୱକପ୍‌ ସଫଳତା ରୌପ୍ୟ ପଦକରେ ସୀମିତ ରହିବ। ୨୦୧୫ ଏବଂ ୨୦୧୬ରେ ମଧ୍ୟ ଆର୍ଜେଣ୍ଟିନା ଲଗାତାର ଭାବେ ଚିଲିଠାରୁ ପେନାଲଟିରେ ହାରି କୋପା ଆମେରିକାରେ ଉପ ବିଜେତା ରହିଥିଲା। ପୂର୍ବରୁ ୨୦୧୬ରେ ମେସି ଅବସର ନେଇଯିବା କଥା ଘୋଷଣା କରିଥିଲେ ମଧ୍ୟ ଓହରିଯାଇଥିଲେ। କିନ୍ତୁ ଚଳିତ ବିଶ୍ୱକପ୍‌ ପରେ ଅବସର ନେବେ ବୋଲି ଘୋଷଣା କରିଥିଲେ। ଏବେ ବ୍ୟକ୍ତିଗତ ଏବଂ ଦଳଗତ ବିଫଳତା ମେସିଙ୍କୁ ଅଧୁରା ସ୍ୱପ୍ନ ସହିତ ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ ଛାଡ଼ିବା ଦ୍ୱାରରେ ଛିଡ଼ା କରିଛି।

ଏବେ ଆର୍ଜେଣ୍ଟିନାର ଭାଗ୍ୟ ସୁତା ଖିଅରେ ଝୁଲୁଛି। କ୍ରୋଏସିଆ ବିପକ୍ଷ ହୃଦୟବିଦାରକ ପରାଜୟ ପରେ ଆର୍ଜେଣ୍ଟିନା ପ୍ରଶିକ୍ଷକ ଜର୍ଜ ସାମ୍ପୋଲି ପ୍ରଶଂସକଙ୍କ ନିକଟରେ କ୍ଷମା ମାଗିଛନ୍ତି। ସାମ୍ପୋଲି କହିଛନ୍ତି ମୁଁ ସବୁ ଦୋଷ ନିଜ ମୁଣ୍ଡ ଉପରକୁ ନେଉଛି। ପ୍ରଶଂସକଙ୍କ ଆଖିରେ ଲୁହ ଦେଖି ସେ ମର୍ମାହତ ବୋଲି କହିଛନ୍ତି। ଏଥି ପାଇଁ ମୋତେ ପ୍ରଥମେ କ୍ଷମା କରିଦିଅନ୍ତୁ। ବିଶେଷ କରି ଯେଉଁମାନେ ସୁଦୂର ଆର୍ଜେଣ୍ଟିନାରୁ ଆସିଥିଲେ ରୁଷିଆକୁ ମ୍ୟାଚ୍‌ ଦେଖିବା ପାଇଁ। ଏଥି ପାଇଁ ମୁଁ ସମ୍ପୂର୍ଣ୍ଣ ଭାବେ ଦାୟୀ। ମୁଁ ଭିନ୍ନ କୌଶଳ କରିଥିଲେ ସମ୍ଭବତଃ ଫଳାଫଳ ଭିନ୍ନ ହୋଇପାରିଥାନ୍ତା ବୋଲି ସାମ୍ପୋଲି କହିଥିଲେ। ଏବେ ଆମକୁ ନାଇଜେରିଆକୁ ନିଶ୍ଚିତ ହରାଇବାକୁ ପଡ଼ିବ ବୋଲି ସେ କହିଛନ୍ତି। ଦଳକୁ ୩-୪-୩ ଫର୍ମେସନ୍‌ରେ ଖେଳାଇବା ଏବଂ ୩ଟି ପରିବର୍ତନ କରାଯିବା ଭୁଲ ଥିଲା ବୋଲି ମଧ୍ୟ ସାମ୍ପୋଲି ସ୍ୱୀକାର କରିଛନ୍ତି। ଏବେ ଆର୍ଜେଣ୍ଟିନା ୨୦୦୨ ମସିହା ଭଳି ପ୍ରଥମ ରାଉଣ୍ଡ୍‌ରୁ ବିଦା ହେବା ଆଶଙ୍କାରେ ପଡ଼ିଛି। କିନ୍ତୁ ଦଳ ଅନ୍ୟତମ ଦାବିଦାର ଭାବେ ରୁଷିଆ ଆସିଥିଲା। କ୍ରୋଏସିଆ ବିପକ୍ଷ ପରାଜୟ ପରେ କିଛି ଆର୍ଜେଣ୍ଟିନା ଖେଳାଳି ପ୍ରଶିକ୍ଷକ ଜର୍ଜ ସାମ୍ପୋଲିଙ୍କ ବିରୋଧରେ ବିଦ୍ରୋହ କରିଥିବା କୁହାଯାଉଛି। ସାମ୍ପୋଲିଙ୍କ ଖେଳ ପଦ୍ଧତି ଏବଂ ଶୈଳୀକୁ କିଛି ବରିଷ୍ଠ ଖେଳାଳି ବିରୋଧ କରିଛନ୍ତି। ‘କର ବା ମର’ ସ୍ଥିତିରେ ଥିବା ନାଇଜେରିଆ ବିପକ୍ଷ ଶେଷ ଲିଗ୍‌ ମ୍ୟାଚ୍‌ ପୂର୍ବରୁ ସାମ୍ପୋଲିଙ୍କୁ ପରିବର୍ତନ କରିବା ଲାଗି କିଛି ଖେଳାଳି ଅଡି ବସିଥିବା କୁହାଯାଉଛି।

ପ୍ରଶଂସକ କାନ୍ଦିଲେ
ବୁଏନସ ଏରସ୍‌: ରୁଷିଆର ନିଝ୍‌ନି ନଭଗୋରଡ୍‌ ଷ୍ଟାଡିୟମରେ କ୍ରୋଏସିଆ ନିକଟରୁ ଆର୍ଜେଣ୍ଟିନାର ପରାଜୟକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ଦେଶର କୋଟି କୋଟି ପ୍ରଶଂସକ। ବୁଏନସ ଏରସ୍‌ରେ ଗୁରୁବାର ରାତିରେ ଜମିଥିବା ପାର୍ଟି ହଠାତ୍‌ ହତାଶା ଭାବରେ ବୁଡ଼ିଯାଇଥିଲା। ସମସ୍ତଙ୍କ ଆଖିରୁ ଲୋତକର ଧାର ବୋହିଯାଇଥିଲା। ଆମେ ଅତି ଖରାପ ଭାବେ ହାରିଗଲୁ, ଏବେ ନାଇଜେରିଆ ଉପରେ ନିର୍ଭରଶୀଳ ବୋଲି କହିଥିଲେ ୨୨ ବର୍ଷୀୟ ପ୍ରଶଂସକ ଜୋକ୍ୱିନ୍‌। ବାର୍ସିଲୋନାକୁ ଲଗାତାର ବିଜୟୀ କରି ଆସୁଥିବା ମେସିଙ୍କ ଦୁଃଖରେ ବି ସମଦୁଃଖୀ ହୋଇଛନ୍ତି ପ୍ରଶଂସକମାନେ। ମେସି ବାର୍ସିଲୋନାକୁ ବିଜୟ ଦେଉଛନ୍ତି, କିନ୍ତୁ ଆମକୁ କେବଳ ପରାଜୟ ଓ ଦୁଃଖ ବୋଲି କହିଥିଲେ ୪୮ ବର୍ଷୀୟ ଆଲଫ୍ରେଡୋ ଡୋମିନଗେ୍ଵଜ୍‌।

ସମ୍ବନ୍ଧିତ ଖବର