କମିନ୍‌ସଙ୍କ ସ୍ଥାନ ନେଲେ ମିଲ୍‌ନେ

ମୁମ୍ବାଇ: ଚଳିତ ଆଇପିଏଲ୍‌ରେ ଖେଳାଳିଙ୍କ ଆହତ ସଂଖ୍ୟା ବଢ଼ିବାରେ ଲାଗିଛି। କ୍ରମାଗତ ତିନିଟି ପରାଜୟ ପରେ ଚାପରେ ପଡ଼ି ଯାଇଥିବା ମୁମ୍ବାଇ ଇଣ୍ଡିଆନ୍‌ସ ଆହତ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ପ୍ୟାଟ୍‌ କମିନ୍‌ସଙ୍କ ସ୍ଥାନରେ ନ୍ୟୁଜିଲାଣ୍ଡ୍‌ ଦ୍ରୁତ ବୋଲର ଆଦାମ୍‌ ମିଲ୍‌ନେଙ୍କୁ ଦଳରେ ସାମିଲ କରିଛି। କମିନ୍‌ସ ଆହତ ଥିବାରୁ ଭାରତ ଆସିପାରିନଥିଲେ। ସେ ପୂରା ଆଇପିଏଲ୍‌ରୁ ଓହରିଯାଇଥିଲେ। ତେବେ ମିଲ୍‌ନେଙ୍କ ସାମିଲ ମୁମ୍ବାଇ ଇଣ୍ଡିଆନ୍‌ସର ବୋଲିଂ ଶକ୍ତି ବଢ଼ାଇବ। ମିଲ୍‌ନେ ନିଜ ଦେଶ ସାଥୀ ମିଚେଲ ମ୍ୟାକ୍ଲିନାଘାନ୍‌, ଭାରତର ଜସ୍‌ପ୍ରୀତ୍‌ ବୁମ୍‌ରା ଓ ବାଂଲାଦେଶର ମୁସ୍ତାଫିଜୁର ରହମନ୍‌ଙ୍କ ସହ ଦ୍ରୁତ ବୋଲିଂର ମଙ୍ଗ ଧରିବେ। ଯଦିଓ ଆଇପିଏଲ୍‌ କିମ୍ବା ଫ୍ରାଞ୍ଚାଇଜ୍‌ ପକ୍ଷରୁ ମିଳ୍‌ନେଙ୍କ ନାମ ଘୋଷଣା କରାଯାଇନାହିଁ, ତଥାପି ମୁମ୍ବାଇ ଦଳରେ ତାଙ୍କ ନାମ ଯୋଡ଼ି ହୋଇଥିବା ଏବଂ ଶନିବାର ତୃତୀୟ ମ୍ୟାଚ୍‌ ପୂର୍ବରୁ ଦଳ ସହ ଅଭ୍ୟାସ କରିଥିବା ଜଣାପଡ଼ିଛି। ଅବଶ୍ୟ ଶନିବାର ଦିଲ୍ଲୀ ଡେୟାର ଡେଭିଲ୍‌ସ ବିପକ୍ଷ ମ୍ୟାଚ୍‌ରେ ମିଲ୍‌ନେ ଖେଳିନଥିଲେ। ମିଳ୍‌ନେ ଏପର୍ଯ୍ୟନ୍ତ ୭୦ ଟେ୍ଵଣ୍ଟି-୨୦ ମ୍ୟାଚ୍‌ ଖେଳି ୮୩ ଓ୍ଵିକେଟ୍‌ ନିଜ ନାମରେ ରଖିଛନ୍ତି। ମିଲ୍‌ନେଙ୍କ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍‌ସ ଦଳରୁ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଜାସନ୍‌ ବେହେରେନ୍‌ଡ୍ରଫ୍‌ ଆହତ ହୋଇ ଓହରି ଯାଇଥିବାରୁ ତାଙ୍କ ସ୍ଥାନରେ ଦ୍ରୁତ ବୋଲର ମ୍ୟାକ୍ଲିନାଘାନ୍‌ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର