ବିରାଟ କୋହଲିଙ୍କ ପରବର୍ତୀ ଲକ୍ଷ୍ୟ ମିସନ୍ ‘ମାଉଣ୍ଟ୍‌ ୬୦’

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କ ପରବର୍ତୀ ଲକ୍ଷ୍ୟ ମିସନ୍ ‘ମାଉଣ୍ଟ୍ ୬୦’। ବିଶ୍ବ କ୍ରିକେଟରେ ବିରାଟ ହିଁ ଏକମାତ୍ର ବ୍ୟାଟସମ୍ୟାନ୍‌ ଯିଏ ସମସ୍ତ ୩ ଫର୍ମାଟ (ଟେଷ୍ଟ୍‌, ଦିନିକିଆ ଏବଂ ଟି-୨୦)ରେ ୫୦ରୁ ଊର୍ଧ୍ବ ହାରରେ ରନ୍ ସଂଗ୍ରହ କରିଛନ୍ତି। ଏଭଳି ସ୍ଥିର ପ୍ରଦର୍ଶନ ଖୁବ୍ କ୍ବଚିତ ଦେଖିବାକୁ ମିଳିଥାଏ। ୨୦୧୬ ମସିହା ଜୁନ୍ ପର୍ଯ୍ୟନ୍ତ ଗୋଟିଏ ବି ଦ୍ବିଶତକ ହାସଲ କରିନଥିବା କୋହଲି ଏବେ ୭ଟି ଏଭଳି ଦ୍ବିଶତକର ଅଧିକାରୀ ହୋଇସାରିଛନ୍ତି। ଟେଷ୍ଟ୍ କ୍ରିକେଟ୍‌ରେ ଏବେ କୋହଲିଙ୍କ ଲକ୍ଷ୍ୟ ହେଉଛି ହାରାହାରିକୁ ୬୦ ଅତିକ୍ରମ କରାଇବା। ତାଙ୍କର ଏବେ ହାରାହାରି ରହିଛି ୫୪.୭୭। ୮୨ ଟେଷ୍ଟ୍‌ (୧୩୯ ପାଳି) ଖେଳି କୋହଲି ଏବେ ୭୦୬୬ ରନ୍‌ କରିସାରିଛନ୍ତି। ସେଥିରେ ୨୬ ଶତକ ଓ ୨୨ ଅର୍ଧଶତକ ସାମିଲ ରହିଛି। ଆସନ୍ତା ମାସରେ ବାଂଲାଦେଶ ବିପକ୍ଷ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳା ରହିଥିବାରୁ ବିଶ୍ବ କ୍ରିକେଟ୍‌ରେ କୋହଲିଙ୍କ ଏହି ମିଶନ୍‌ କେତେ ସଫଳ ହେବ ସମୟ କହିବ। କିନ୍ତୁ ଏହା କିଛି ଅସମ୍ଭବ ନୁହେଁ। ବିଶ୍ବ କ୍ରିକେଟ୍‌ରେ ବି ଏଭଳି ୬ ଜଣ ବ୍ୟାଟସମ୍ୟାନ୍‌ ଅଛନ୍ତି ଯିଏ ପାଳି ପିଛା ୬୦ରୁ ଊର୍ଧ୍ବ ହାରରେ ରନ୍ ସଂଗ୍ରହ କରିଛନ୍ତି।

ଅନ୍ୟପକ୍ଷରେ ୪ ନମ୍ବରରେ ସ୍ଥିର ପ୍ରଦର୍ଶନ ଦେଇ ଚାଲିଥିବା କୋହଲି ୫୦ ଟେଷ୍ଟ୍‌ରେ ନେତୃତ୍ବ ନେବା ପରେ ଦଳ ସଂଗ୍ରହ କରିଥିବା ସ୍କୋର୍‌ରେ ତାଙ୍କ ପ୍ରତିଶତ ୧୮.୬୭ ରହିଛି। ଯାହାକି ୫୦ ଟେ‌ଷ୍ଟ୍‌ ପୂରଣ କରିଥିବା ସମସ୍ତ ୧୭ ଅଧିନାୟକଙ୍କ ତୁଳନାରେ ସର୍ବାଧିକ। ଏକ୍ଷେତ୍ରରେ କୋହଲିଙ୍କ ପଛକୁ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକ୍‌ ଆଥର୍ଟନ୍‌ (୧୬.୩୪%), ଅଷ୍ଟ୍ରେଲିଆର ଆଲାନ୍‌ ବର୍ଡର (୧୬.୨୭%), ରିକି ପଣ୍ଟିଂ (୧୬.୧୫%) ରହିଛନ୍ତି। ଅନ୍ୟପକ୍ଷରେ ନିମ୍ନ କ୍ରମରେ ବ୍ୟାଟିଂ କରିଥିବା ମହେନ୍ଦ୍ର ସିଂହ ଧୋନିଙ୍କ ପ୍ରତିଶତ ୧୦.୫୩ ରହିଛି। ଯାହାକି ସମସ୍ତ ୧୭ ଅଧିନାୟକଙ୍କ ତୁଳନାରେ ସବୁଠୁ କମ୍‌।

ସମ୍ବନ୍ଧିତ ଖବର