ଓଡ଼ିଶା ଦଳର ‘ମିଶନ୍‌ ରୂପକୁଣ୍ଡ’ ଅଭିଯାନ ସଫଳ

ଭୁବନେଶ୍ୱର: ୮ ଜଣିଆ ଓଡ଼ିଶା ଦଳ ‘ମିଶନ୍‌ ରୂପକୁଣ୍ଡ’ ଅଭିଯାନକୁ ସଫଳତାର ସହ ଶେଷ କରିଛନ୍ତି। ଦୁଃସାହସିକ କ୍ରୀଡ଼ା ସଂଗଠକ ତଥା ବନ୍ୟପ୍ରାଣୀପ୍ରେମୀ ସୁଶାନ୍ତ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୫ ପୁରୁଷ ଓ ୩ ମହିଳା ଓଡ଼ିଆ ଅଭିଯାତ୍ରୀ ଏଥିରେ ସାମିଲ ଥିଲେ। ସୁଶାନ୍ତ ଦାସ, ଦୁର୍ଗାମାଧବ ମହାପାତ୍ର, ସୋମନାଥ ଖଟୁଆ, ଅମୃତେନ୍ଦୁ ବରାଳ ଓ ଅଜିତ ପାଢ଼ୀଙ୍କ ସାଙ୍ଗକୁ ସ୍ୱର୍ଣ୍ଣଲତା ଦଳେଇ, ରଞ୍ଜିତା ବେହେରା, ଅନନ୍ୟା ମହାନ୍ତି ଅଭିଯାତ୍ରୀ ଦଳରେ ସଦସ୍ୟ ରହିଥିଲେ। ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲା ଅନ୍ତର୍ଗତ ଘରଓ୍ଵାଲ ହିମାଳୟରେ ସମୁଦ୍ର ପତନଠାରୁ ପ୍ରାୟ ୧୫,୮୯୩ ଫୁଟ ଉଚ୍ଚରେ ଅବସ୍ଥିତ ରହସ୍ୟମୟୀ ରୂପକୁଣ୍ଡ ହ୍ରଦ ‘ମିଶନ୍‌ ରୂପକୁଣ୍ଡ’ ଅଭିଯାନ ୪ ତାରିଖରୁ ଆରମ୍ଭ ହୋଇ ୧୨ ତାରିଖରେ ଶେଷ ହୋଇଛି। ଦୁଃସାହସିକ ଅଭିଯାନ ବ୍ୟତୀତ ବନ୍ୟପ୍ରାଣୀ ସପ୍ତାହ ଉପଲକ୍ଷେ ଅଭିଯାତ୍ରୀମାନେ ହିମାଳୟକୁ ଚିରସବୁଜ ଓ ପରିଷ୍କାର ରଖିବା, ବନ୍ୟପ୍ରାଣୀ ସୁରକ୍ଷା ତଥା ରୂପକୁଣ୍ଡରେ ଉପଲବ୍‌ଧ ନରକଙ୍କାଳଗୁଡ଼ିକୁ ନଷ୍ଟ ନକରି ଭବିଷ୍ୟତ ପାଇଁ ସାଇତି ରଖିବା ନେଇ ଓଡ଼ିଆ ଅଭିଯାତ୍ରୀ ଦଳ ଜନସଚେତନତା ସୃଷ୍ଟି କରିଥିଲେ। ୧୦ ତାରିଖ ଭୋର୍‌ ୪ଟାରୁ ଅଭିଯାତ୍ରୀ ଦଳ ଭାଗୁଆବାସା କ୍ୟାମ୍ପ୍‌ରୁ ଅଭିଯାନ ଆରମ୍ଭ କରିଥିଲା। ଏଭଳି ଏକ ଦୁଃସାହସିକ ଅଭିଯାନ ନିରାପଦ ଓ ସଫଳତାର ସହ ଶେଷ କରିଥିବା ଓଡ଼ିଶା ଦଳ ଆସନ୍ତା ୧୬ ତାରିଖରେ ଭୁବନେଶ୍ୱର ଫେରିବ।

ସମ୍ବନ୍ଧିତ ଖବର