ମିତାଲିଙ୍କ କୀର୍ତିମାନ, ୨୦୦ ଦିନିକିଆ ଖେଳିବାରେ ପ୍ରଥମ ମହିଳା

ହାମିଲଟନ୍‌: ଭାରତୀୟ ଦଳର ଅଧିନାୟିକା ମିତାଲି ରାଜ୍‌ ଦିନିକିଆ କ୍ରିକେଟ୍‌ରେ ବିଶ୍ବ କୀର୍ତିମାନ ପ୍ରତିଷ୍ଠା କରିଛନ୍ତି। ଶୁକ୍ରବାର ନ୍ୟୁଜିଲାଣ୍ଡ୍‌ ବିପକ୍ଷ ତୃତୀୟ ମ୍ୟାଚ୍‌ ମିତାଲିଙ୍କ ଖେଳ ଜୀବନର ଥିଲା ୨୦୦ତମ ଦିନିକିଆ। ମାତ୍ର ୧୬ ବର୍ଷ ବୟସରେ ଏକ ସ୍କୁଲ୍‌ ଛାତ୍ରୀ ଭାବେ ୧୯୯୯ରେ ଭାରତୀୟ ଦଳରେ ସାମିଲ ହୋଇଥିବା ମିତାଲି ପ୍ରାୟ ଦୁଇ ଦଶନ୍ଧୀର ଖେଳ ଜୀବନ ମଧ୍ୟରେ ୨୦୦ତମ ଦିନିକିଆ ମ୍ୟାଚ୍‌ ଖେଳିବା ନେଇ ଖୁବ୍‌ ଆନନ୍ଦ ପ୍ରକାଶ କରିଛନ୍ତି। ପୁଣି ୨୦୦ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିବାରେ ମିତାଲି ମଧ୍ୟ ବିଶ୍ବର ପ୍ରଥମ ମହିଳା କ୍ରିକେଟର୍‌ ହୋଇଛନ୍ତି। ଏହା ପୂର୍ବରୁ ମିତାଲି ମଧ୍ୟ ଦିନିକିଆ କ୍ରିକେଟ୍‌ରେ ସର୍ବାଧିକ ରନ୍‌ ସଂଗ୍ରହ କରିବାର ମାଇଲଖୁଣ୍ଟ ଛୁଇଁଥିଲେ। ୩୬ ବର୍ଷ ବୟସ୍କା ମିତାଲି ୫୧.୩୩ ହାରରେ ୬୬୨୨ ରନ୍‌ କରି ସର୍ବାଧିକ ରନ୍‌ର କୀର୍ତିମାନ ରଚିଥିଲେ। ଯେଉଁଥିରେ ସାମିଲ ଥିଲା‌ ୭ ଶତକ। ଶୁକ୍ରବାର ସେ ୨୦୦ ଦିନିକିଆ ଖେଳିଥିଲା ବେଳେ ଏହାକୁ ସ୍ମରଣୀୟ କରିପାରିନଥିଲେ। ୨୮ ବଲ୍‌ର ସାମ୍‌ନା କରି ସେ ୯ ରନ୍‌ କରିପାରିଥିଲେ। ଏହା ପୂର୍ବରୁ ୧୯୯ତମ ମ୍ୟାଚ୍‌ରେ ମିତାଲି ଅପରାଜିତ ୬୩ ରନ୍‌ କରିବା ସାଙ୍ଗକୁ ଭାରତକୁ ଶୃଙ୍ଖଳା ଉପହାର ଦେଇଥିଲେ। ଭାରତ ମୋଟ ୨୬୩ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିଲା ବେଳେ ୧୯୯୯ରେ ଆନ୍ତର୍ଜାତିକ ଦିନିକିଆ ପଦାର୍ପଣ କରିଥିବା ମିତାଲି ୨୦୦ ମ୍ୟାଚ୍‌ ଖେଳିବାର ଗୌରବ ବହନ କରିଛନ୍ତି। ଦିନିକିଆ ବ୍ୟତୀତ ମିତାଲି ମଧ୍ୟ ୧୦ ଟେଷ୍ଟ ଓ ୮୫ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ୨୦୦ ଦିନିକିଆ କେବଳ ମୋ ପାଇଁ ଏକ ସଂଖ୍ୟା। ହେଲେ ଆଗକୁ ଆହୁରି କିଛି କରିବାକୁ ବାକି ରହିଛି ବୋଲି ମିତାଲି କହିଛନ୍ତି।

ସମ୍ବନ୍ଧିତ ଖବର